ପ୍ୟାରିସ୍ : ପୂର୍ବ ଫ୍ରାନ୍ସ ବାୟୁସେନା ଘାଟିରେ ଅବତରଣ କାଳରେ ଏକ ମିରାଜ-୨୦୦୦ ଡି ଫାଇଟର ଜେଟ୍ ଦୁର୍ଘଟଣାରେ ଧ୍ୱଂସ୍ତ ହୋଇଯାଇଛି। ରାତ୍ରିକାଳୀନ ଟ୍ରେନିଂ ମିସନରେ ଜଣେ ଚାଳଦଳ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ତେବେ ଅନ୍ୟ ଜଣକ ଏବେ ବି ନିଖୋଜ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ମିରେଜ ୨୦୦୦ ଡି ଫାଇଟରଜେଟ୍ ୨୦ ଅକ୍ଟୋବର ବିଳମ୍ବିତ ସନ୍ଧ୍ୟାରେ ବାୟୁସେନା ଘାଟିକୁ ଫେରୁଥିଲା। ସେତେବେଳେ ନାନ୍ସୀ-ଓଚେ ବାୟୁସେନା ଘାଟିରୁ ପାଖାପାଖି ୧୮ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ରୋଗୋଭିଲେ ନିକଟରେ କ୍ରାସ୍ ହୋଇଯାଇଛି।

ଏହି ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଫରାସୀ ସଶସ୍ତ୍ର ବଳ ଶବ ଜବତ କରିଛନ୍ତି। ତେବେ ଅନ୍ୟ ଜଣେ ପାଇଲଟଙ୍କ ସନ୍ଧାନ ଜାରି ରହିଛି। ସ୍ଥାନୀୟ ଅଧିକାରୀ ୟଭେସ ସେଗୁଇ କହିଛନ୍ତି ଯେ ଏକ ଜଙ୍ଗଲ ଉପରେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା। ପାଗ ଖରାପ ଥିବା ସତ୍ତ୍ୱେ ରାତି ତମାମ ସନ୍ଧାନ ଅଭିଯାନ ଜାରିଥିଲା। ଫ୍ରାନ୍ସର ଏହି ମିରାଜ-୨୦୦୦ ଡି ଫାଇଟର ଜେଟ୍ ଟି ନାନ୍ସୀ-ଓଚେ ଏୟାର ବେସ୍ ର ଥିଲା। ରାତ୍ରିକାଳୀନ ଟ୍ରେନିଂ ମିସନ ପରେ ବିମାନଟି ଅବତରଣ ଉଦ୍ୟମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ନାନ୍ସୀ-ଓଚେ ଏୟାରବେସ୍ କମାଣ୍ଡାଣ୍ଟ କର୍ଣ୍ଣେଲ ଲୁଡୋଭିକ ହମବର୍ଟ କହିଛନ୍ତି ଯେ ବିମାନରେ ଥିବା ‘ୱିପନ ସିଷ୍ଟମ ଅଫିସର’ ଜଣେ ଅଭିଜ୍ଞ ସୈନିକ ଓ ସେ ଜଣେ ଯୁବ ପାଇଲଟଙ୍କ ସହ ଉଡାଣ କରୁଥିଲେ। ଅଧିକାରୀ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ତ୍ୱରାନ୍ୱିତ କରିଛନ୍ତି। ମିରାଜ-୨୦୦ଡି ଏକ ଦୁଇ ସିଟର ଫାଇଟର ଜେଟ୍। ଏହା ମୁଖ୍ୟ ରୂପେ ଆକାଶରୁ ସ୍ଥଳଭାଗକୁ ଆକ୍ରମଣ କରିବା ପାଇଁ ଡିଜାଇନ କରାଯାଇଛି। ଫରାସୀ ସଶସ୍ତ୍ର ବଳ ମନ୍ତ୍ରାଳୟ ଅନୁସାରେ ଏହି ବିମାନକୁ ଜଟିଳ ପରିସ୍ଥିତିରେ କାମ କରିବା ପାଇଁ ତିଆରି କରାଯାଇଛି। ଏହା ପାରମ୍ପରିକ ଅଭିଯାନ ସମେତ ପାୱାର ପ୍ରୋଜେକ୍ସନ ମିସନ ପାଇଁ ମଧ୍ୟ ସକ୍ଷମ।