ପ୍ୟାରିସ : ଫ୍ରାନ୍ସରେ ପ୍ରବାସନ ନୀତିକୁ ନେଇ ବଢ଼ୁଛି ବିବାଦ। ଦେଶର ସାଂସ୍କୃତିକ ପରିଚୟ, ସୁରକ୍ଷା ଓ ପ୍ରବାସୀଙ୍କ ଭୂମିକାକୁ ନେଇ ଚାଲିଛି ରାଜନୈତିକ ଚର୍ଚ୍ଚା। ପ୍ରବାସୀ ଲୋକଙ୍କୁ ନେଇ ଫ୍ରାନ୍ସରେ ତୀବ୍ରତର ହୋଇଛି ବିକ୍ଷୋଭ ପ୍ରଦର୍ଶନ । ଗତକିଛିଦିନ ହେବ ଫ୍ରାନ୍ସର ରାଜରାସ୍ତାକୁ ଓଲ୍ହାଇ ଆସିଛନ୍ତି ହଜାର ହଜାର ଲୋକେ । କେଉଁଠି ଜଳୁଛି ଗାଡି ଟାୟାର ତ ଆଉ କେଉଁଠି ଜଳୁଛି କୋଠା । ଆଉ ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ୟାରିସ୍କୁ ନେଇ ଦେଇଥିବା ବିବାଦୀୟ ଦାବି ଏହି ପ୍ରସଙ୍ଗକୁ ଆହୁରି ତୀବ୍ରତର କରିଛି । ରିପୋର୍ଟ ଅନୁସାରେ, ଏହି ପ୍ରତିବାଦରେ ୮ ଲକ୍ଷରୁ ଅଧିକ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଫ୍ରାନ୍ସର ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ନେଇ ଆରମ୍ଭ ହୋଇଥିବା ବିକ୍ଷୋଭ ଧୀରେ ଧୀରେ ବ୍ୟାପକ ରୂପ ନେଉଛି। ଏହି ପ୍ରସଙ୍ଗକୁ ନେଇ ଡୋନାଲ୍ଡ ଟ୍ରମ୍ପ ପ୍ରବାସନ ନୀତିକୁ ଦାୟୀ କରିଛନ୍ତି। ଏପରିକି ପ୍ୟାରିସ୍ ଖୁବ୍ଶୀଘ୍ର ମୁସଲିମ୍ମାନଙ୍କ ସହରରେ ପରିଣତ ହେବ ବୋଲି ସେ ଦାବି କରିଛନ୍ତି। ତେବେ ଫ୍ରାନ୍ସକୁ ନେଇ ପ୍ରକୃତ ତଥ୍ୟ କ’ଣ ରହିଛି ତାକୁ ନେଇ ଆଣେ ଚର୍ଚ୍ଚା ଚାଲିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବୟାନକୁ ନେଇ ଅନ୍ତର୍ଜାତୀୟ ରାଜନୀତିରେ ଏବେ ବିବାଦ ଜୋର୍ ଧରିଛି। ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ଖୁବ୍ଶୀଘ୍ର ଏକ ମୁସଲିମ୍ ସହରରେ ପରିଣତ ହେବ ବୋଲି ଦାବି କରି ସେ ଫ୍ରାନ୍ସର ଇମିଗ୍ରେସନ୍ ବା ପ୍ରବାସନ ନୀତିକୁ ଦାୟୀ କରିଛନ୍ତି। ଅନ୍ୟପଟେ, ଫ୍ରାନ୍ସରେ ଚାଲିଥିବା ବିକ୍ଷୋଭ ଓ ହିଂସାକୁ ନେଇ ମଧ୍ୟ ବଢ଼ିଛି ରାଜନୈତିକ ହିଂସା । ବିକ୍ଷୋଭ ମଧ୍ୟରେ ଟ୍ରମ୍ପ ଫ୍ରାନ୍ସ ସରକାରଙ୍କ ପ୍ରବାସନ ନୀତିକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କୁ ଟାର୍ଗେଟ୍ କରି ଟ୍ରମ୍ପ କହିଛନ୍ତି ଯେ, ଫ୍ରାନ୍ସରେ ବହୁ ସଂଖ୍ୟାରେ ପ୍ରବାସୀଙ୍କ ପ୍ରବେଶ ଦେଶର ସାମାଜିକ ଓ ସାଂସ୍କୃତିକ ପରିଚୟକୁ ପ୍ରଭାବିତ କରୁଛି। ଯାହା ପାଇଁ ଆଜି ଫ୍ରାନ୍ସ ବାସିନ୍ଦା ସରକାରଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି | କିଏ କହୁଛି ପ୍ରବାସୀଙ୍କ ଆଗମନ ଅର୍ଥନୀତି ଓ ଶ୍ରମ ବଜାରକୁ ସହାୟତା କରୁଛି, ତ ଆଉ କିଛି ରାଜନୈତିକ ଗୋଷ୍ଠୀ ସୀମା ସୁରକ୍ଷା ଓ ସାଂସ୍କୃତିକ ପରିଚୟକୁ ନେଇ ପ୍ରଶ୍ନ ଉଠାଉଛନ୍ତି।କିନ୍ତୁ ଏହାକୁ ନେଇ ଟ୍ରମ୍ପଙ୍କ ଦାବି କିଛି ଅଲଗା ରହିଛି । ଟ୍ରମ୍ପଙ୍କ କହିବା ଅନୁସାରେ, ଫ୍ରାନ୍ସ ଯଦି ନିଜ ସୀମାକୁ ପୂର୍ବରୁ କଡ଼ାକଡ଼ି କରିଥାନ୍ତା, ତେବେ ଏଭଳି ପରିସ୍ଥିତି ଉପୁଜିନଥାନ୍ତା। ଏପରିକି ପ୍ୟାରିସ୍ ଖୁବ୍ଶୀଘ୍ର ଏକ ମୁସଲିମ୍ ସହରରେ ପରିଣତ ହେବ ବୋଲି ସେ ଦୃଢ ମନ୍ତବ୍ୟ ଦେଇଛନ୍ତି।

ଫ୍ରାନ୍ସରେ ଖ୍ରୀଷ୍ଟଧର୍ମ ପରେ ଇସଲାମ ହେଉଛି ଦ୍ୱିତୀୟ ବୃହତ୍ତମ ଧର୍ମ। INSEE ଏବଂ ଫ୍ରାନ୍ସର ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋଗ୍ରାଫିକ୍ ଷ୍ଟଡିଜ୍ର ଏକ ସର୍ଭେ ଅନୁସାରେ, ୧୮ରୁ ୫୯ ବର୍ଷ ବୟସର ପ୍ରାୟ ୧୦ ପ୍ରତିଶତ ଲୋକ ମୁସଲିମ୍। ଫ୍ରାନ୍ସର ଅଧିକାଂଶ ମୁସଲିମ୍ ସୁନ୍ନି ସମ୍ପ୍ରଦାୟର। ସେମାନଙ୍କ ମୂଳ ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ ଏବଂ ସବ୍-ସାହାରା ଆଫ୍ରିକା ଭଳି ଅଞ୍ଚଳ ସହ ଜଡ଼ିତ। ୨୦୨୪ର ଏକ ରିପୋର୍ଟ ଅନୁସାରେ, ସର୍ଭେରେ ସାମିଲ ହୋଇଥିବା ୭୬ % ମୁସଲିମ୍ ଧର୍ମକୁ ନିଜ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଅନ୍ୟପଟେ, ଫ୍ରାନ୍ସର ବିଦେଶୀ ଅଞ୍ଚଳରେ ପ୍ରାୟ ୯୭ % ଜନସଂଖ୍ୟା ମୁସଲିମ୍। ଫ୍ରାନ୍ସରେ ମୁସଲିମ୍ ଜନସଂଖ୍ୟାରେ ପ୍ରବାସୀଙ୍କର ମଧ୍ୟ ଅବଦାନ ରହିଛି। ତଥ୍ୟ ଅନୁଯାଇ , ୨୦୨୪ରେ ଫ୍ରାନ୍ସରେ ପ୍ରାୟ ୭୬ ଲକ୍ଷ ୧୫ ହଜାର ପ୍ରବାସୀ ରହୁଥିଲେ, ଯାହା ଦେଶର ମୋଟ ଜନସଂଖ୍ୟାର ୧୧.୨ ପ୍ରତିଶତ।

ପ୍ୟୁ ରିସର୍ଚ୍ଚ ସେଣ୍ଟର ୨୦୫୦ ସୁଦ୍ଧା ୟୁରୋପରେ ସମ୍ଭାବ୍ୟ ମୁସଲିମ ଜନସଂଖ୍ୟା ଉପରେ ଏକ ଅଧ୍ୟୟନ କରିଥିଲା। ଏହି ଆକଳନ ଉଚ୍ଚ ପ୍ରବାସୀ ପରିସ୍ଥିତି ଉପରେ ଆଧାରିତ ଥିଲା। ଏହି ଅଧ୍ୟୟନ ଅନୁଯାୟୀ, ୨୦୫୦ ସୁଦ୍ଧା ଫ୍ରାନ୍ସର ମୋଟ ଜନସଂଖ୍ୟାର ୧୮% ମୁସଲିମ ହୋଇପାରନ୍ତି। ବର୍ତ୍ତମାନ ଉପଲବ୍ଧ ସର୍ବେକ୍ଷଣ ଅନୁସାରେ, ଏହି ଅଂଶ ପ୍ରାୟ ୧୦% ରହିଛି । ତେବେ ଏହି ତଥ୍ୟରେ ପ୍ରବାସୀଙ୍କୁ ସେମାନଙ୍କ ଧର୍ମ ଆଧାରରେ ଭିନ୍ନ ଭିନ୍ନ ବର୍ଗରେ ବିଭକ୍ତ କରାଯାଇନାହିଁ। କୌଣସି ନିର୍ଭରଯୋଗ୍ୟ ତଥ୍ୟ ବିନା ଏହା ସତ ବୋଲି କୁହାଯାଇପାରିବ ନାହିଁ। ତେବେ ଫ୍ରାନ୍ସରେ ପ୍ରବାସନ ନୀତିକୁ ନେଇ ବଢ଼ୁଥିବା ବିବାଦ ଆଗକୁ କେଉଁ ମୋଡ଼ ନେବ, ତା’ ଉପରେ ଏବେ ସାରା ବିଶ୍ୱର ନଜର। ଟ୍ରମ୍ପଙ୍କ ଏହି ବୟାନ ଅନ୍ତର୍ଜାତୀୟ ସ୍ତରରେ ନୂଆ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ, ଏହି ପ୍ରସଙ୍ଗରେ ତଥ୍ୟ ଓ ବାସ୍ତବ ସ୍ଥିତି କ’ଣ, ତାହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।