ନୂଆଦିଲ୍ଲୀ: ଭୋକିଲା ପେଟର ଥିବା ବେଳେ ମଦ୍ୟପାନ କରିବାକୁ ଇଚ୍ଛା ହୁଏ । ଭୋକ ବଢ଼ିବା ସହ ମଦ୍ୟପାନ ପ୍ରତି ଆକର୍ଷଣ ବଢ଼ି ବଢ଼ି ଯାଏ । ବୈଜ୍ଞାନିକଙ୍କ ଅଧ୍ୟୟନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ପେଟରେ ଭୋକ ଥିଲେ, ମଦ୍ୟପାନ ପ୍ରତି ଆଶକ୍ତି ବଢ଼ିବା ପଛରେ ଏକ କାରଣ ରହିଛି । ଏଥିପାଇଁ ବ୍ରେନ୍‌ ବା ମସ୍ତିଷ୍କରେ ଥିବା ଏକ ନିର୍ଦ୍ଦିଷ୍ଟ କୋଷ ଦାୟୀ ବୋଲି ଅଧ୍ୟୟନରୁ ଜଣାପଡ଼ିଛି ।  ଶରୀରରେ ଭୋକର ପରିମାଣ ବୃଦ୍ଧି ପାଇଲେ ମଦ୍ୟପାନ ପ୍ରତି ଆକର୍ଷଣ ବୃଦ୍ଧି ପାଏ। ବୈଜ୍ଞାନିକମାନଙ୍କ ଗବେଷଣା ଅନୁଯାୟୀ, ଭୋକିଲା ଥିବା ସମୟରେ ମଦ୍ୟପାନ ଅଧିକ ଲୋଭନୀୟ ଏବଂ ଆନନ୍ଦଦାୟକ ମନେହୁଏ ।  ଶରୀରରେ ଏହାକୁ ପାଇବାର ତୀବ୍ର ଇଚ୍ଛା ଜାଗ୍ରତ ହୋଇଥାଏ । ମସ୍ତିଷ୍କରେ ଥିବା ଏକ ନିର୍ଦ୍ଦିଷ୍ଟ କୋଷିକାର ସକ୍ରିୟ ହେବା ଯୋଗୁଁ ଏପରି ଘଟିଥାଏ । 

ଏହି ଅଧ୍ୟୟନଟି ଫଳରେ ଲାଗୁଥିବା ମାଛି ଉପରେ କରାଯାଇଛି । କିନ୍ତୁ ଏଥିରୁ ମିଳିଥିବା ନିଷ୍କର୍ଷ, ମଣିଷଣ ପ୍ରବୃତ୍ତି ସହ ମେଳ ଖାଉଛି । ମାନସିକ ଚାପ, ପରିବେଶର ପ୍ରଭାବ କିପରି ମଦ୍ୟପାନର ଇଚ୍ଛାକୁ ବଢ଼ାଏ ସେ ସମ୍ପର୍କରେ ଏହି ଅଧ୍ୟୟନରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରିଛି। ‘ବ୍ରାଉନ୍ ୟୁନିଭରସିଟି’ର କାର୍ନି ଇନଷ୍ଟିଚ୍ୟୁଟ୍ ଫର୍ ବ୍ରେନ୍ ସାଇନ୍ସର ଗବେଷକ କେଭିନ୍ ନୁନେଜ୍ ଏବଂ ଲୁଇସ୍ ଶେରର୍ ଏହି ପରୀକ୍ଷା କରିଥିଲେ । ଏଥିରେ ‘ମୋଣ୍ଟାନା ଷ୍ଟେଟ୍ ୟୁନିଭରସିଟି’ର ଜଣେ ଗବେଷକ ମଧ୍ୟ ସାମିଲ ଥିଲେ। 

ସେମାନେ ମଦ୍ୟପାନ ସହ ଜଡ଼ିତ ସ୍ମୃତି କିପରି ମସ୍ତିଷ୍କରେ ନିଶା ପାଇଁ ଆକର୍ଷଣ ସୃଷ୍ଟି କରେ, ତାହା ଅନୁଧ୍ୟାନ କରିଥିଲେ। ଗବେଷକଙ୍କ ଅନୁଯାୟୀ, ଯଦି ଆପଣ ଭୋକିଲା ଅଛନ୍ତି, ତେବେ କାମରୁ ଘରକୁ ଫେରିବା ବାଟରେ କୌଣସି ମଦ ଦୋକାନ କିମ୍ବା ବାର୍‌ ଆଡ଼କୁ ଆପଣ ଆକର୍ଷିତ ହେବାର ସମ୍ଭାବନା ଅଧିକ ରହିଥାଏ।  କିନ୍ତୁ ପେଟ ଭର୍ତ୍ତି ଥିବା ସମୟରେ ଏହି ବୋର୍ଡ଼ଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଯାଏ ନାହିଁ । 

ମାଛି ଉପରେ ପରୀକ୍ଷାରୁ ବଡ଼ ଖୁଲାସା
​​​​​​​ଏହି ପରୀକ୍ଷଣ ପାଇଁ ଗବେଷକମାନେ ୩୦ଟି ଲେଖାଏଁ ଫଳ ମାଛିଙ୍କୁ ଏକାଠି ରଖିଥିଲେ । ଗୋଟିଏ ନିର୍ଦ୍ଦିଷ୍ଟ ବାସ୍ନା ସହିତ ମଦ୍ୟପାନକୁ ଯୋଡ଼ିବା ପାଇଁ ସେଗୁଡ଼ିକୁ ତାଲିମ ଦେଇଥିଲେ। ୫୦ ମିନିଟର ବ୍ୟବଧାନ ମଧ୍ୟରେ ସେଗୁଡ଼ିକୁ ୧୦ ମିନିଟ୍ ଲେଖାଏଁ ତିନୋଟି ପର୍ଯ୍ୟାୟରେ ନିଶା କରୁଥିବା ଆଲକହଲ ବାଷ୍ପ ଦିଆଯାଇଥିଲା । ଏହା ଗୋଟିଏ ନିର୍ଦ୍ଦିଷ୍ଟ ବାସ୍ନା ସହିତ ଜଡ଼ିତ ଥିଲା। ସେହିପରି ଅନ୍ୟ ଏକ ବାସ୍ନାରେ କୌଣସି ଆଲକହଲ ମିଶାଯାଇନଥିଲା। ଏହାପରେ ମାଛିଗୁଡ଼ିକୁ ସେହି ଦୁଇଟି ବାସ୍ନା ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ ଛାଡ଼ି ଦିଆଯାଇଥିଲା ।

VUMa3 ଦାୟୀ
ଆରମ୍ଭରୁ ମାଛିଗୁଡ଼ିକ ଆଲକହଲର ବାସ୍ନାକୁ ପସନ୍ଦ କରୁନଥିଲେ। କିନ୍ତୁ ସମୟ ବିତିବା ସହିତ ଏହା ଆଡ଼କୁ ଆକର୍ଷିତ ହେବାକୁ ଲାଗିଥିଲେ। ପରୀକ୍ଷାରୁ ଦେଖାଗଲା ଯେ, ଯେଉଁ ମାଛିଗୁଡ଼ିକୁ ଖାଦ୍ୟ ଦିଆଯାଇନଥିଲା, ସେଗୁଡ଼ିକ ପେଟପୂରା ଖାଇଥିବା ମାଛି ତୁଳନାରେ ତିନି ଘଣ୍ଟା ପୂର୍ବରୁ ଆଲକହଲ ବାସ୍ନା ଆଡ଼କୁ ମୁହାଁଇଥିଲେ। ‘ଅକ୍ଟୋପାମାଇନ୍’ ନାମକ ଏକ ରାସାୟନିକ ପଦାର୍ଥ ଯୋଗୁଁ ଏପରି ଘଟୁଛି ବୋଲି ଜାଣିବାକୁ ପାଇଥିଲେ ବୈଜ୍ଞାନିକ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପଛରେ ‘VUMa3’ ନାମକ କେବଳ ଗୋଟିଏ ମସ୍ତିଷ୍କ କୋଷିକାର ଭୂମିକା ରହିଛି ବୋଲି ଜଣାପଡ଼ିଥିଲା । ତେବେ ଭୋକିଲା ପେଟରେ , ମଦ୍ୟପାନ ପ୍ରତି ଆକର୍ଷିତ ହେବା ନେଇ ଏହି ଗବେଷଣାରୁ ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ ।