ଭୁବନେଶ୍ବର ୧୪।୧: ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ତଥା ବ୍ଲକ୍, ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ କହିଛନ୍ତି, ଯେଉଁମାନେ ମାନୁନାହାନ୍ତି ସରକାରୀ ସ୍ତରରେ ତାଙ୍କୁ ଚେତାବନୀ ଦିଆଯାଉଛି । ଏହା ଏକ ନିରନ୍ତର ପ୍ରୟାସ । ଦୀର୍ଘ ଦିନ ଧରି ଯାହା ହେବା କଥା ତାହା ହୋଇନାହିଁ । ଯାହା ହେବା କଥା ତାହା ଆମେ କମ୍ ସମୟ ମଧ୍ୟରେ କରୁଛୁ । ତାଗିଦ୍ କରାଯାଉଛି । ଖାଲି ନାଲି ଆଖିରେ ସମସ୍ୟା ସମାଧାନ ହେବ ତା ନୁହେଁ ଆନ୍ତରିକତା, ଆତ୍ମୀୟତାର ଆବଶ୍ୟକତା ଅଛି । ଆନୁସଙ୍ଗୀକତା ବ୍ୟବସ୍ଥା ଆବଶ୍ୟକ ଅଛି ।

ଭାଷା ପ୍ରତିଷ୍ଠାନ ତରଫରୁ ପ୍ରଶାସନିକ ଅଧିକାରୀ ଓ ଯେଉଁମାନେ ନଥିକୁ ପେସ୍ କରନ୍ତି ସେମାନଙ୍କୁ ପାଖରୁ ଓଡ଼ିଆ କିପରି ଆରମ୍ଭ ହେବ ସେନେଇ ଚେଷ୍ଟା ଚାଲିଛି । ତାଙ୍କୁ ୭ଟି କର୍ମଶାଳା କରିସାରିଲୁଣି । ତାଙ୍କୁ ପ୍ରଶାସନିକ ଶବ୍ଦକୋଷ ଶିକ୍ଷା ଦିଆଯାଉଛି । କଷ୍ଟ ଶବ୍ଦକୁ ସରଳରେ ଉପସ୍ଥାପନ କରିବାକୁ କୁହାଯାଉଛି । ଓଡ଼ିଆ ଭାଷା ପ୍ରୟୋଗ ବେଳେ ଭୁଲ୍ ହେବ କିନ୍ତୁ ଏହାସତ୍ତ୍ବେ ବି ଚେଷ୍ଟା ଜାରି ରହିବ । ଆନ୍ତରିକତା ଆସିବା ପାଇଁ ଯାହା କରାଯିବା କଥା ତାହା କରାଯାଉଛି । ବହୁ ସୁଧୁରିଲାଣି । ବିଧାନସଭାରେ ଯାହା ପ୍ରକାଶ ହେଉଛି ସବୁ ଓଡ଼ିଆରେ ପ୍ରକାଶିତ ହେଉଛି । ଖୋଦ୍ ମନ୍ତ୍ରୀଙ୍କ ତିନୋଟି ବିଭାଗରେ ଓଡ଼ିଆରେ ଲେଖା ପାଇଁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ କହିଛନ୍ତି । ସବୁକଥାକୁ ସକାରାତ୍ମକ ଭାବେ ନିଆଯାଉଛି ବୋଲି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।