ଲକ୍ଷ୍ନୌ: ଏକ ଲୁଗା ଦୋକାନରେ ମାତ୍ର ୧୬ ଟଙ୍କାରେ ପୋଷାକ ବିକ୍ରି ହେଉଥିବା ଖବର ପ୍ରଚାରିତ ହେବା ପରେ ଅଗଷ୍ଟ ୧୫ ତାରିଖ ରାତିରେ ହଜାର ହଜାର ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଏଥିପାଇଁ ଅଞ୍ଚଳରେ ଚାପା ଉତ୍ତେଜନା ଏବଂ ଦଳାଚକଟା ସ୍ଥିତି ଉପୁଜିଥିଲା । ଶେଷ​‌ରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା।

ଉତ୍ତର ପ୍ରଦେଶର କାନପୁରସ୍ଥିତ ଆନୱାରଗଞ୍ଜ ଅଞ୍ଚଳର ଆଲମ ମାର୍କେଟରେ 'ଆଲମ ମାର୍ଟ'ର ମାଲିକ ରଇସ୍ ଆଲମ ନିଜ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ଏକ ଅଫର ପ୍ରଚାର କରିଥିଲେ। ଅଗଷ୍ଟ ୧୫ ମଧ୍ୟରାତ୍ରିରୁ (ଅଗଷ୍ଟ ୧୬ ପରବର୍ତ୍ତୀ ୧୬ ମିନିଟ୍ ପର୍ଯ୍ୟନ୍ତ ଯେକୌଣସି ପୋଷାକ ମାତ୍ର ୧୬ ଟଙ୍କାରେ ମିଳିବ ବୋଲି ସେ ଘୋଷଣା କରିଥିଲେ।

ଇନ୍‌ଷ୍ଟାଗ୍ରାମ୍ ଏବଂ ଫେସବୁକ୍‌ରେ ଏହି ଅଫର୍ ଭାଇରାଲ ହେବା ପରେ ଅଗଷ୍ଟ ୧୫ ରାତି ୧୧ଟାରୁ ହଜାର ହଜାର ଲୋକ ଦୋକାନ ସାମ୍ନାରେ ଏକାଠି ହେବାକୁ ଲାଗିଥିଲେ। ଫଳରେ ରାସ୍ତାରେ ପ୍ରବଳ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା।

ତେବେ Ghar Ke kalesh ନାମକ ଏକ ଟ୍ବିଟର ହ୍ୟାଣ୍ଡେଲରୁ ଏହି ଭିଡିଓ ସେୟାର କରାଯାଇଛି । ଆପଣ ଚାହିଁଲେ ଟ୍ବିଟରରେ ଏହି Video ଟିକୁ ଦେଖିପାରି

ଭିଡ଼ ଅଧିକ ହେବାରୁ ଦୋକାନ ମାଲିକ ଶୋ'ରୁମ୍‌ର ସଟର ବନ୍ଦ କରିଦେଇଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକମାନେ ୧୬ ଟଙ୍କିଆ ଅଫର ଦେବା ପାଇଁ ଜିଦ୍ ଧରିଥିଲେ। ଏହି ବିଷୟକୁ ନେଇ ଦୋକାନୀ, କର୍ମଚାରୀ ଏବଂ ଗ୍ରାହକଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ଅନେକ ଲୋକ ତଳେ ପଡ଼ିଯାଇ ଆହାତ ମଧ୍ୟ ହୋଇଥିଲେ।

ସ୍ଥିତି ଜଟିଳ ହେବାରୁ ଆନୱାରଗଞ୍ଜ ଏବଂ ଆଖପାଖ ଥାନାରୁ ପୁଲିସ ବଳ ଘଟଣାସ୍ଥଳରେ ପହଞ୍ଚି ଭିଡ଼କୁ ହଟାଇବା ପାଇଁ ମୃଦୁ ଲାଠିଚାଳନା କରିଥିଲେ। କର୍ତ୍ତବ୍ୟରତ ପୁଲିସ ସବ୍-ଇନ୍ସପେକ୍ଟରଙ୍କ ଅଭିଯୋଗ ଆଧାରରେ ଶାନ୍ତିଭଙ୍ଗ ଏବଂ ସାଧାରଣ ଜନତାଙ୍କ ସୁରକ୍ଷାକୁ ବିପଦରେ ପକାଇବା ଅଭିଯୋଗରେ ଦୋକାନ ମାଲିକ ମହମ୍ମଦ ଆଲମ, ରଇସ୍ ଆଲମ ଏବଂ ସଲମାନ ଆଲମଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୁଲିସ ସଲମାନ ଆଲମଙ୍କୁ ଗିରଫ କରିଥିବା ବେଳେ ଫେରାର ଥିବା ରଇସ୍ ଆଲମ ଓ ମହମ୍ମଦ ଆଲମଙ୍କୁ ଖୋଜୁଛି।