ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ଇଟାଲୀ ସ୍ଥିତ ଡାଟା ସେଣ୍ଟରର ଜଣେ କର୍ମଚାରୀ ଚାକିରି ଛାଡ଼ିବା ପରେ କମ୍ପାନୀ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ।  ଜୁନ୍ ୨୬ ରେ 'ନୁର୍' ନାମକ ଜଣେ 'କ୍ରିଟିକାଲ୍ ଏନଭାଇର୍ନମେଣ୍ଟ ଟେକ୍ନିସିଆନ୍' ନିଜ ପଦରୁ ଇସ୍ତଫା ଦେବା ସହ ୟୁରୋପରେ କାର୍ଯ୍ୟରତ ହଜାର ହଜାର ସହକର୍ମୀଙ୍କୁ ଏକ ବିସ୍ତୃତ ଇମେଲ୍ ପଠାଇଛନ୍ତି। 'ନୋ ଆଜୁର୍ ଫର୍ ଆପାର୍ଟହାଇଡ୍' (No Azure for Apartheid - NOAA) ନାମକ ଏକ କର୍ମଚାରୀ ସଂଗଠନ ପକ୍ଷରୁ ଏହି ଇମେଲକୁ ସାର୍ବଜନୀନ କରାଯାଇଛି। ନୁରଙ୍କ କହିବା ଅନୁଯାୟୀ, ମାଇକ୍ରୋସଫ୍ଟ ଗାଜା ଯୁଦ୍ଧରେ ଇସ୍ରାଏଲ୍ ସେନାକୁ ସମସ୍ତ ପ୍ରକାରର ବୈଷୟିକ ସହାୟତା ଯୋଗାଇ ଦେଉଛି, ଯାହା ସେ ସହ୍ୟ କରିପାରିଲେ ନାହିଁ।

ନୁର୍ ନିଜ ଇମେଲରେ ଦର୍ଶାଇଛନ୍ତି ଯେ, ମାଇକ୍ରୋସଫ୍ଟର ୟୁରୋପୀୟ ଡାଟା ସେଣ୍ଟରଗୁଡ଼ିକ ପ୍ରକୃତରେ "ବ୍ୟାପକ ସର୍ଭେଲାନ୍ସ ସେଣ୍ଟର" ପାଲଟିଛି ଏବଂ ପାଲେଷ୍ଟାଇନକୁ ଡିଜିଟାଲ୍ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିବାର ଗବେଷଣାଗାର ଭାବେ ବ୍ୟବହାର କରାଯାଉଛି।  ଅଗଷ୍ଟ ୨୦୨୫ ରେ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଗୁପ୍ତଚର ସଂସ୍ଥା 'ୟୁନିଟ୍ ୮୨୦୦', ମାଇକ୍ରୋସଫ୍ଟର ଆଜୁର୍ କ୍ଲାଉଡ୍ ପ୍ଲାଟଫର୍ମ ବ୍ୟବହାର କରି ପାଲେଷ୍ଟାଇନବାସୀଙ୍କ ପ୍ରାୟ ୧୧,୫୦୦ ଟେରାବାଇଟ୍  ଫୋନ୍ କଲ୍ ରେକର୍ଡ ନେଦରଲ୍ୟାଣ୍ଡ ଏବଂ ଆୟରଲ୍ୟାଣ୍ଡର ଡାଟା ସେଣ୍ଟରରେ ସଂରକ୍ଷିତ କରି ରଖିଥିଲା। ଏହି ତଥ୍ୟକୁ ଆଧାର କରି ଇସ୍ରାଏଲ୍ ସେନା ବିମାନ ଆକ୍ରମଣ ଓ ଗିରଫଦାରୀ ପାଇଁ ଟାର୍ଗେଟ୍ ସ୍ଥିର କରୁଥିଲା।

ନୁର୍‌ ଅଭିଯୋଗ କରିଛନ୍ତି ଯେ, ଏହି ସର୍ଭେଲାନ୍ସ ଡାଟାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ମାଧ୍ୟମରେ ପ୍ରୋସେସ୍ କରାଯାଉଛି, ଯାହା ସାଧାରଣ ନାଗରିକ ଓ ସେମାନଙ୍କ ପରିବାରକୁ ହତ୍ୟା କରିବା ପାଇଁ ଭୁଲ୍ ଏବଂ ମନଗଢ଼ା ବାହାନା ତିଆରି କରୁଛି। ଯୁଦ୍ଧର ପ୍ରଥମ ୬ ମାସରେ ସେନା ଦ୍ୱାରା ମାଇକ୍ରୋସଫ୍ଟ AI ର ବ୍ୟବହାର ୬୪ ଗୁଣ ବୃଦ୍ଧି ପାଇଥିଲା। ଆୟରଲ୍ୟାଣ୍ଡର ଡାଟା ସେଣ୍ଟରରେ 'ଅଲ୍-ମୁନାସିକ୍' ନାମକ ଏକ ଆପ୍ଲିକେସନ୍ ହୋଷ୍ଟ କରାଯାଉଛି, ଯାହା ପାଲେଷ୍ଟାଇନବାସୀଙ୍କ ଗତିବିଧିକୁ ନିୟନ୍ତ୍ରଣ କରେ ଏବଂ ସେମାନଙ୍କ ଫୋନର ବ୍ୟକ୍ତିଗତ ମେସେଜ୍ ଓ ଫାଇଲ୍ ପଢ଼ିବା ପାଇଁ ଅନୁମତି ଦିଏ। ମାଇକ୍ରୋସଫ୍ଟ କମ୍ପାନୀ ପକ୍ଷରୁ ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରାଯାଇଛି । ସାଧାରଣ ନାଗରିକଙ୍କ ଉପରେ ଏଭଳି ନଜର ରଖାଯିବା ସମ୍ପର୍କରେ ସେମାନେ ଅବଗତ ନଥିଲେ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି ।

ଘଟଣା ସାମ୍ନାକୁ ଆସିବା ପରେ କମ୍ପାନୀ ପକ୍ଷରୁ କିଛି ପଦକ୍ଷେପ ନିଆଯାଇଛି।  ସେପ୍ଟେମ୍ବରରେ କମ୍ପାନୀର ସଭାପତି ବ୍ରାଡ୍ ସ୍ମିଥ୍ ସ୍ପଷ୍ଟ କରିଥିଲେ ଯେ ସେମାନେ ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ନିର୍ଦ୍ଦିଷ୍ଟ ୟୁନିଟ୍ ପାଇଁ କେତେକ ଆଜୁର୍ ସେବାକୁ ବନ୍ଦ କରିଦେଇଛନ୍ତି। ମେ ୨୦୨୬ ରେ ମାଇକ୍ରୋସଫ୍ଟ ତାଙ୍କର ଇସ୍ରାଏଲ୍ ଜେନେରାଲ୍ ମ୍ୟାନେଜରଙ୍କୁ ମଧ୍ୟ ପଦରୁ ହଟାଇ ଦେଇଛି। ୟୁରୋପୀୟ ୟୁନିଅନ୍‌ର GDPR (ଡାଟା ସୁରକ୍ଷା ଆଇନ) ର କଡ଼ା ନିୟମ ଯୋଗୁଁ କମ୍ପାନୀ ଏହି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ତେବେ ନୁର୍‌ଙ୍କ ଅଭିଯୋଗ ଅନୁଯାୟୀ, ଅଗଷ୍ଟରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏବଂ କମ୍ପାନୀ ନିଜର ଆଭ୍ୟନ୍ତରୀଣ ଯାଞ୍ଚ ଆରମ୍ଭ କରିବା ମଧ୍ୟରେ (ଅଗଷ୍ଟ ୬ ରୁ ୧୫ ମଧ୍ୟରେ), ମାଇକ୍ରୋସଫ୍ଟ ଗୋପନୀୟ ଭାବେ ସେହି ତଥ୍ୟଗୁଡ଼ିକୁ ନେଦରଲ୍ୟାଣ୍ଡରୁ ଇସ୍ରାଏଲ୍ ଡାଟା ସେଣ୍ଟରକୁ ସ୍ଥାନାନ୍ତର କରିଦେଇଥିଲା, ଯେପରି ୟୁରୋପୀୟ ନିୟାମକମାନେ ଏହାର ଯାଞ୍ଚ କରିପାରିବେ ନାହିଁ।

ନୁର୍‌ଙ୍କ ଏହି ଇସ୍ତଫା କୌଣସି ଏକାକୀ ଘଟଣା ନୁହେଁ। NOAA ସଂଗଠନ ପକ୍ଷରୁ ମାଇକ୍ରୋସଫ୍ଟର ସିଆଟେଲ୍ ସ୍ଥିତ ମୁଖ୍ୟାଳୟ ବାହାରେ ପୂର୍ବରୁ ବଡ଼ ଧରଣର ବିରୋଧ ପ୍ରଦର୍ଶନ କରାଯାଇଛି, ଯାହା ଫଳରେ କମ୍ପାନୀ ଇସ୍ରାଏଲ୍‌ର ଗୁପ୍ତଚର ସଂସ୍ଥା 'ୟୁନିଟ୍ ୮୨୦୦' ସହ ନିଜର ବଡ଼ ଚୁକ୍ତି ବାତିଲ କରିବାକୁ ବାଧ୍ୟ ହୋଇଥିଲା। ଇମେଲ୍‌ର ଶେଷରେ ନୁର୍ ନିଜର ସହକର୍ମୀମାନଙ୍କୁ ଏକଜୁଟ ହେବାକୁ ଅନୁରୋଧ କରିଛନ୍ତି । ଆମେ ହିଁ ମାଇକ୍ରୋସଫ୍ଟର ପ୍ରଯୁକ୍ତିବିଦ୍ୟା ତିଆରି କରୁଛୁ ଏବଂ କମ୍ପାନୀ ଚଲାଉଛୁ। ତେଣୁ ଆମ ଶ୍ରମ ଯେପରି କୌଣସି ନରସଂହାର ବା ମାନବିକତା ବିରୋଧୀ ଅପରାଧରେ ବ୍ୟବହୃତ ନହେବ, ତାହା ନିଶ୍ଚିତ କରିବାର ଶକ୍ତି ଓ ଦାୟିତ୍ୱ ଆମର ଅଛି। ମୁଁ ଏହି ପ୍ରକ୍ରିୟାରୁ ନିଜକୁ ମୁକ୍ତ କରୁଛି ବୋଲି ନୁର ଲେଖିଛନ୍ତି ।