ନୂଆଦିଲ୍ଲୀ: ବଡ଼ ବିବାଦରେ ଫସିଲା ଟେକ୍ ଜାଏଣ୍ଟ ମାଇକ୍ରୋସଫ୍ଟ। ମାଇକ୍ରୋସଫ୍ଟର ୭.୩ ବିଲିୟନ ଡଲାର ବା ପ୍ରାୟ ୬୦ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏଆଇ-ଡାଟା ସେଣ୍ଟର (AI Data Centre) ବିରୋଧରେ ଆମେରିକାରେ ଏକ ବଡ଼ ମାମଲା ରୁଜୁ ହୋଇଛି। ପ୍ରକୃତରେ ଏହି ଡାଟା ସେଣ୍ଟରରୁ ଅନବରତ ବାହାରୁଥିବା ଶବ୍ଦରେ ସ୍ଥାନୀୟ ବାସିନ୍ଦାମାନେ ଅତିଷ୍ଠ ହୋଇ ଏହି ଆଇନଗତ ପଦକ୍ଷେପ ଗ୍ରହଣ କରିଛନ୍ତି।

ସୂଚନା ଅନୁସାରେ, ଆମେରିକାର ୱିସକନସିନ (Wisconsin) ସ୍ଥିତ ମାଉଣ୍ଟ ପ୍ଲେଜାଣ୍ଟରେ ଏହି ବିଶାଳ ଡାଟା ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଯାହାକୁ କିଛି ଦିନ ତଳେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏଆଇ ଡାଟା ସେଣ୍ଟର ବୋଲି ଦାବି କରିଥିଲେ। ମାତ୍ର ଏହାର ପ୍ରଦୂଷଣ ଯୋଗୁଁ ପଡ଼ୋଶୀ ଗାଁ ଷ୍ଟୁର୍ଟେଭାଣ୍ଟ (Sturtevant)ର ବାସିନ୍ଦାମାନେ ଏକ କ୍ଲାସ- ଆକ୍ସନ ଲ’ସୁଟ୍ (Class-action Lawsuit) ବା ସାମୂହିକ ମାମଲା ଦାୟର କରିଛନ୍ତି।

୨୪ ଘଣ୍ଟା ଶୁଭୁଛି ମାଲବାହୀ ଟ୍ରେନ ଭଳି ଶବ୍ଦ:

ସ୍ଥାନୀୟ ବାସିନ୍ଦା ଆମି ସିମ୍ବଲନିକଙ୍କ କହିବା ଅନୁଯାୟୀ, ଏହି କ୍ୟାମ୍ପସରୁ ଦିନରାତି ୨୪ ଘଣ୍ଟା ଏକ ଭୟଙ୍କର ଶବ୍ଦ ବାହାରୁଛି। ଏହି ଶବ୍ଦ ଠିକ୍ ଘର ପାଖରେ ଠିଆ ହୋଇ ରହିଥିବା ଏକ ମାଲବାହୀ ଟ୍ରେନର ଇଞ୍ଜିନ ଚାଲିବା ଭଳି ପ୍ରତୀତ ହେଉଛି। ଏହି କାରଣରୁ ଲୋକମାନଙ୍କର ଶୋଇବା ଏବଂ ସାଧାରଣ ଜୀବନଯାପନ କରିବା ସମ୍ପୂର୍ଣ୍ଣ ଦୁର୍ବିସହ ହୋଇପଡ଼ିଛି। ମାମଲାରେ ଦର୍ଶାଯାଇଛି ଯେ, ଡାଟା ସେଣ୍ଟରରେ ବ୍ୟବହୃତ ଡିଜେଲ ଜେନେରେଟର, ଚିଲର ଏବଂ ବିରାଟ କୁଲିଙ୍ଗ ଟାୱାର (HVAC system) ଯୋଗୁ ଏଭଳି ଅତ୍ୟଧିକ ଶବ୍ଦ ସୃଷ୍ଟି ହେଉଛି।

Also Read: କମିବ ଭାରତର ଅଭିବୃଦ୍ଧି, ଯୁଦ୍ଧ ପାଇଁ ସତର୍କ କରାଇଦେଲା ଆଇଏମଏଫ୍

ସମସ୍ୟା ସମାଧାନର ମିଛ ଦାବି:

ମାଇକ୍ରୋସଫ୍ଟ ଗତ ମାସରେ ଦାବି କରିଥିଲା ଯେ, ସ୍ୱତନ୍ତ୍ର କୁଲିଙ୍ଗ ଫ୍ୟାନ ଲଗାଇ ଏହି ସମସ୍ୟାର ସମାଧାନ କରାଯାଇଛି। ମାତ୍ର ଜୁଲାଇ ୧ରେ ନୂତନ ଭାବେ ରୁଜୁ ହୋଇଥିବା ଏହି ମାମଲା, କମ୍ପାନୀର ଦାବିକୁ ମିଛ ପ୍ରମାଣିତ କରୁଛି। ଲୋକଙ୍କ କହିବା କଥା, କମ୍ପାନୀ କୌଣସି ପ୍ରକାରର ଶବ୍ଦ ପ୍ରତିରୋଧୀ ବ୍ୟାରିୟର ବା ପ୍ରାଚୀର ନିର୍ମାଣ କରିନାହିଁ।

ବର୍ତ୍ତମାନ ଏହି ଅଞ୍ଚଳରେ ମାଇକ୍ରୋସଫ୍ଟ ଆହୁରି ୧୫ଟି ଡାଟା ସେଣ୍ଟର ତିଆରି କରିବାକୁ ଯୋଜନା କରୁଛି, ଯାହା ସ୍ଥାନୀୟ ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। କମ୍ପାନୀ ନିଜ ପକ୍ଷ ରଖି କହିଛି ଯେ, ସେମାନେ ଜଣେ ଭଲ ପଡ଼ୋଶୀ ଭାବେ ସମସ୍ୟାର ସମାଧାନ ପାଇଁ ପ୍ରତିବଦ୍ଧ ଅଛନ୍ତି।