IPL 2026: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଗର୍ଜିଲା ତିଳକ ବର୍ମାଙ୍କ ବ୍ୟାଟ୍। ଏହି ବାମହାତୀ ବ୍ୟାଟରଙ୍କ ଧୂଆଁଧାର ୧୦୧ ରନର ଇନିଂସ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୧୯୯ ରନ କରିଛି। ଏକଦା ୧୪ ଓଭରରେ ୧୦୩ ରନ କରିଥିବା ମୁମ୍ବାଇ ଶେଷ ୬ ଓଭରରେ ଧୂଆଁଧାର ବ୍ୟାଟିଂ କରି ୯୬ ରନ ଯୋଡ଼ିବାରୁ ଦଳ ୨୦୦ ନିକଟ ପହଞ୍ଚି ପାରିଛି। ତିଳକଙ୍କ ବ୍ୟତୀତ ନମନ ଧୀର ଉପର କ୍ରମରେ ୪୫ ରନର ଉପଯୋଗୀ ରନ କରିଛନ୍ତି। ଆଇପିଏଲ୍ ୨୦୨୬ର ୩୦ତମ ମ୍ୟାଚ୍ ଜିତିବା ପାଇଁ ଗୁଜରାଟ ଟାଇଟନ୍ସ ସମ୍ମୁଖରେ ୨୦୦ ରନର ବିଜୟ ଲକ୍ଷ୍ୟ ରହିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ନିରାଶଜନକ ଥିଲା। ୨୫ ରନ ଭିତରେ ଦଳ ଦୁଇ ଓପନର ଦାନିଶ ମାଲେଓ୍ଵାର(୨) ଓ କ୍ଵିଣ୍ଟନ ଡିକ(୧୩)ଙ୍କ ଓ୍ଵିକେଟ୍ ହରାଇଥିଲା। ଗତ ମ୍ୟାଚରେ ଡିକକ ଶତକ ମାରି ଅପରାଜିତ ଥିଲେ । ଏହା ପରେ ଖରାପ ଫର୍ମ ଦେଇ ଗତି କରୁଥିବା ସୂର୍ଯ୍ୟକୁମାର ଯାଦବ(୧୫ ରନ) ପୁଣି ଥରେ ନିରାଶ କରିଥିଲେ। ହେଲେ ନମନ ଧୀର ଉପର କ୍ରମରେ ୩୨ ବଲରୁ ୪୫ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଗୁଜରାଟ ବୋଲର ଶାଣିତ ବୋଲିଂ କରି ଆରମ୍ଭରୁ ମୁମ୍ବାଇ ବ୍ୟାଟରଙ୍କ  ହାତ ଖୋଲିବାକୁ ସୁଯୋଗ ଦେଇ ନ ଥିଲେ। ୧୪ ଓଭର ପର୍ଯ୍ୟନ୍ତ ମୁମ୍ବାଇ ରନ ହାର ସାଢେ ୭ ତଳେ ରହିଥିଲା। ଦଳ ୧୦୩ ରନ କରିଥିଲା।

Also Read: ଟିମ୍ ଇଣ୍ଡିଆ ପାଇଁ ଖେଳିଥିଲେ T-୨୦, ବେଶ୍ ଚିତାକର୍ଷକ ଥିଲା ବ୍ୟାଟିଂ....ତଥାପି ରହିଗଲେ ପଛରେ?

ହେଲେ ଏହାପରେ ଅଲଗା ରୂପରେ ନଜର ଆସିଥିଲେ ତିଳକ ବର୍ମା। ଏହି ବାମହାତୀ ବ୍ୟାଟର ଏମିତି ଧୂଆଁଧାର ବ୍ୟାଟିଂ କରିବେ ଗୁଜରାଟ ବୋଲର ଭାବି ନ ଥିଲେ। ଛକା ଓ ଚୌକା ବର୍ଷା କରି  ଚାଲିଲେ ତିଲକ ବର୍ମା। ତାଙ୍କ ଆଗରେ ଗିଲଙ୍କ ରଣନୀତି ଫେଲ୍ ମାରିଥିଲା। ପ୍ରଥମ ୨୨ ବଲରେ ୧୯ ରନ କରିଥିବା ତିଳକ ୨୩ ବଲରେ ୮୨ ରନ କରି ମୁମ୍ବାଇର ସ୍କୋରକୁ ୧୯୯ ରନରେ ପହଞ୍ଚାଇଥିଲେ। ଅନ୍ୟ ପାର୍ଶ୍ଵରେ କେହି ସହାୟତା ଦେଇ ନ ଥିଲେ ବି ତିଳକ ୪୫ ବଲରେ ୮ ଚୌକା ଓ ୭ ଛକା ଜରିଆରେ ୧୦୧ ରନର ଅପରାଜିତ ଇନିଂସ ଖେଳିଥିଲେ। ମୁମ୍ବାଇ ପକ୍ଷରୁ ତିଳକଙ୍କ ଏହା ଯୁଗ୍ମ ଦ୍ରୁତ ଶତକ।

MI ଇନିଂସ ଅଗ୍ରଗତି
ଓଭର ୧-୬: ୪୬/୩ (RR: ୭.୬୬)
ଓଭର ୭-୧୪: ୫୭/୧ (RR: ୭.୧୨)
ଓଭର ୧୫-୧୭: ୩୮/୦ (RR: ୧୨.୬୬)
ଓଭର ୧୮-୨୦: ୫୮/୧ (RR: ୧୯.୩୩)