ମୁମ୍ୱାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ୧୯ତମ ସିଜିନ୍ । ଏହାର ଉତ୍ସାହ ଧୀରେ ଧୀରେ ଶୀର୍ଷରେ ପହଞ୍ଚିବାରେ ଲାଗିଛି । କାହିଁକି ବା ହେବନି ? IPL ହେଉଛି ବିଶ୍ୱର ସବୁଠାରୁ ବଡ଼ ଓ ସବୁଠାରୁ ରୋମାଞ୍ଚକର T-୨୦ ଲିଗ୍ । ୨୦୦୮ ମସିହାରେ ଆରମ୍ଭ ହୋଇଥିବା ଏହି ଲିଗ୍ କ୍ରିକେଟ୍ ଜଗତରେ ବିପ୍ଳବ ଆଣି ଦେଇଥିଲା । ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ୨୦୦୭ ଟି-୨୦ ବିଶ୍ୱକପ୍ ଜିତିବା ପରେ ଭାରତରେ ଏହି ଫର୍ମାଟର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଥିଲା । IPL ନିଜେ ଏହାକୁ ନୂତନ ଉଚ୍ଚତାରେ ପହଞ୍ଚାଇଥିଲା।

ଭାରତ ୨୦୦୬ ମସିହାରେ ବୀରେନ୍ଦ୍ର ସେହୱାଗଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି୨୦ ଆନ୍ତର୍ଜାତୀୟ (ଟି୨୦ଆଇ) ମ୍ୟାଚ୍ ଖେଳିଥିଲା। ସେବେଠାରୁ ଏହି ଫର୍ମାଟରେ ୧୧୯ ଜଣ ଖେଳାଳି ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିଛନ୍ତି । ଆଇପିଏଲରେ ଖେଳିଥିବା ଭାରତୀୟ ଓ ବିଦେଶୀ ଖେଳାଳିଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି।ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡଙ୍କ ଭଳି କିମ୍ବଦନ୍ତୀମାନେ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ଟି୨୦ କ୍ରିକେଟ ଖେଳିଥିଲେ ।

ପରେ ସେମାନେ ମଧ୍ୟ ଆଇପିଏଲରେ ଅଂଶଗ୍ରହଣ କରିଥିଲେ । ତେବେ ସୌରଭ ଗାଙ୍ଗୁଲି, ଭିଭିଏସ ଲକ୍ଷ୍ମଣ ଓ ଅନିଲ କୁମ୍ବଲେଙ୍କ ଭଳି କିମ୍ବଦନ୍ତୀମାନେ ଭାରତ ପାଇଁ ଟି୨୦ ଆନ୍ତର୍ଜାତୀୟ ଖେଳି ନଥିଲେ । କିନ୍ତୁ ପରେ ଆଇପିଏଲରେ ଅଂଶଗ୍ରହଣ କରିଥିଲେ । ହେଲେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏପରି ଜଣେ ଖେଳାଳି ଅଛନ୍ତି ଯିଏ ଭାରତ ପାଇଁ ଟି୨୦ କ୍ରିକେଟ ଖେଳିଥିଲେ । କିନ୍ତୁ କେବେ ବି ଆଇପିଏଲରେ ଖେଳିବାର ସୁଯୋଗ ପାଇ ନଥିଲେ । ଏହି ଖେଳାଳି ଜଣଙ୍କ ହେଉଛନ୍ତି ଦିନେଶ ମୋଙ୍ଗିଆ ।

ଭାରତର ପ୍ରଥମ ଟି-୨୦ ବିଜୟର ନାୟକ ଥିଲେ:

ଦିନେଶ ମୋଙ୍ଗିଆ ଡିସେମ୍ବର ୧, ୨୦୦୬ରେ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପାଇଁ ତାଙ୍କର ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ସେହି ମ୍ୟାଚ୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ୪୫ ବଲ୍ରେ ୩୮ ରନ୍ କରିଥିଲେ। ଭାରତ ୧ ବଲ୍ ବାକି ଥାଇ ୬ ୱିକେଟ୍ରେ ମ୍ୟାଚ୍ ଜିତିଥିଲା। ଏହା ସତ୍ତ୍ୱେ, ଯେତେବେଳେ ଆଇପିଏଲ୍ ଆରମ୍ଭ ହୋଇଥିଲା। ପରେ ଏହା ବିଶ୍ୱର ସର୍ବବୃହତ ଟି-୨୦ ପ୍ରତିଯୋଗିତା ହୋଇଥିଲା । ମୋଙ୍ଗିଆଙ୍କୁ ଲିଗ୍ରେ ସୁଯୋଗ ମିଳିନଥିଲା।

୪୮ ବର୍ଷୀୟ ଦିନେଶ ମୋଙ୍ଗିଆଙ୍କ କ୍ୟାରିଅର୍ ତାଙ୍କ ଦକ୍ଷତା ଓ ନିର୍ଭର ଯୋଗ୍ୟତାର ପ୍ରମାଣ । ବାମହାତୀ ଅଲରାଉଣ୍ଡର ମୋଙ୍ଗିଆ ଭାରତ ପାଇଁ ୫୭ଟି ଦିନିକିଆ ଖେଳି ୨୭.୯୫ ହାରରେ ୧୨୩୦ ରନ୍ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ଓ ଚାରୋଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ମୋଙ୍ଗିଆଙ୍କ ଦିନିକିଆରେ ସର୍ବୋତ୍ତମ ସ୍କୋର ଥିଲା ୧୫୯*, ଯାହା ସେ ମାର୍ଚ୍ଚ ୨୦୦୨ରେ ଜିମ୍ବାୱେ ବିପକ୍ଷରେ କରିଥିଲେ। ମୋଙ୍ଗିଆ ମଧ୍ୟ ଦିନିକିଆ ଅନ୍ତର୍ଜାତୀୟରେ ୪୦.୭୮ ହାରରେ ୧୪ ୱିକେଟ୍ ନେଇଥିଲେ।

​​​​​​​

ଏହା ବ୍ୟତୀତ, ଦିନେଶ ମୋଙ୍ଗିଆ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୩୮ ରନ୍ କରିଥିଲେ। ମୋଙ୍ଗିଆ କ୍ରିକେଟ୍ ବିଶ୍ୱକପ୍ ୨୦୨୩ରେ ମଧ୍ୟ ଭାରତୀୟ ଦଳର ଅଂଶ ଥିଲେ, ଯେଉଁଠାରେ ସୌରଭ ଗାଙ୍ଗୁଲିଙ୍କ ଦଳ ଫାଇନାଲରେ ପହଞ୍ଚିଥିଲା। ଘରୋଇ କ୍ରିକେଟ୍ରେ, ସେ ପଞ୍ଜାବ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ। ମୋଙ୍ଗିଆ ୧୨୧ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୮୦୨୮ ରନ୍ କରିଥିଲେ, ଯେଉଁଥିରେ ୨୭ ଶତକ ଏବଂ ୨୮ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ତାଙ୍କର ସର୍ବୋତ୍ତମ ସ୍କୋର ଥିଲା ୩୦୮ ଅପରାଜିତ। ଲିଷ୍ଟ ଏ କ୍ରିକେଟ୍‌ରେ, ମୋଙ୍ଗିଆ ୧୯୮ ମ୍ୟାଚ୍ରେ ୫୫୩୫ ରନ୍ ଏବଂ ୩୨ ଟି-୨୦ ମ୍ୟାଚ୍ରେ ୬୩୩ ରନ୍ କରିଥିଲେ।

ମୋଙ୍ଗିଆ କାହିଁକି IPLରେ ଖେଳିପାରିଲେନି ?

ଏହି ପ୍ରଶ୍ନ ଏବେ ବି କ୍ରିକେଟ୍ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି: କ’ଣ ହେଲା ଯେ ଭାରତ ପାଇଁ T20 କ୍ରିକେଟ୍ ଖେଳିଥିବା ଜଣେ ଖେଳାଳି, ତାଙ୍କର ପ୍ରଭାବଶାଳୀ ରେକର୍ଡ ସତ୍ତ୍ୱେ, IPLରେ ଗୋଟିଏ ବି ମ୍ୟାଚ୍ ଖେଳିପାରିଲେ ନାହିଁ? ଏହା ଉଲ୍ଲେଖନୀୟ ଯେ ଦିନେଶ ମୋଙ୍ଗିଆ ଇଣ୍ଡିଆନ୍ କ୍ରିକେଟ୍ ଲିଗ୍ (ICL)ରେ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଫଳରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ତାଙ୍କୁ ବାସନ୍ଦ କରିଥିଲା।

Also Read...PBKS vs LSG: ଏତେ କ୍ୟାଚ୍ ଛାଡିଲେ ଯେ, ଲୁଚାଇବାକୁ ପଡିଲା ଖେଳାଳିଙ୍କ ମୁହଁ, ବିଜୟ ପରେ ଭିଡିଓ ଭାଇରାଲ...

ତଥାପି, ଅକ୍ଟୋବର ୨୦୦୮ରେ, ଶୃଙ୍ଖଳାଗତ କାରଣରୁ ମୋଙ୍ଗିଆଙ୍କୁ ICL ରୁ ମଧ୍ୟ ନିଲମ୍ବିତ କରାଯାଇଥିଲା।ଦିନେଶ ମୋଙ୍ଗିଆ ପୂର୍ବରୁ କିୱି କିମ୍ବଦନ୍ତୀ କ୍ରିସ୍ କେର୍ନ୍ସଙ୍କ ଆଘାତ ବିଷୟରେ ଜାଣିଥିଲେ । କିନ୍ତୁ ସେ କର୍ତ୍ତୃପକ୍ଷଙ୍କୁ ଜଣାଇ ନଥିଲେ। ICLରେ ଖେଳୁଥିବା ଅନେକ ଭାରତୀୟ ଖେଳାଳିଙ୍କୁ BCCI କ୍ଷମା କରିଦେଇଥିଲେ । କିନ୍ତୁ ମୋଙ୍ଗିଆ ବୋର୍ଡର ସାଧାରଣ କ୍ଷମା ଯୋଜନାରୁ ଲାଭ ପାଇ ନଥିଲେ । ମୁଖ୍ୟଧାରାର କ୍ରିକେଟରୁ ବାହାର କରିଦେଇଥିଲେ।