ମୁମ୍ବାଇ: ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ପରେ ଅକିଲ ହୁସେନଙ୍କ ଘାତକ ବୋଲିଂ। ଆଇପିଏଲ୍ ୨୦୨୬ର ୩୩ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦୩ ରନରେ ଶୋଚନୀୟ ଭାବେ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସଞ୍ଜୁ ସାମସନଙ୍କ ଅପରାଜିତ ୧୦୧ ରନ ବଳରେ ୬ ଓ୍ଵିକେଟ୍ ହରାଇ ୨୦୭ ରନ କରିଛି। ଜବାବରେ ମୁମ୍ବାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୦୪ ରନରେ ଅଲଆଉଟ୍ ହୋଇଛି। ସୂର୍ଯ୍ୟକୁମାର ୩୬ ରନ ଓ ତିଳକ ବର୍ମା ୩୭ ରନ କରିବାକୁ ସକ୍ଷମ ହୋଇଥିଲେ। ଚେନ୍ନାଇର ଅକିଲ ହୁସେନ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତୃତୀୟ ବିଜୟ ସହ ଚେନ୍ନାଇ ଅଙ୍କ ତାଲିକାରେ ପଞ୍ଚମକୁ ଉଠିଥିବା ବେଳେ ମୁମ୍ଵାଇ ଅଷ୍ଟମକୁ ଖସିଛି

୨୦୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇକୁ ଆରମ୍ଭରୁ ଝଟକା ଲାଗିଥିଲା। ଦଳ ୧୧ ରନ ଭିତରେ ୩ ଓ୍ଵିକେଟ୍ ହରାଇଥିଲା। କ୍ଵିଣ୍ଟନ ଡି କକ ୭ ରନ କରିଥିବା ବେଳେ ଦାନିସ ମାଲେଓ୍ଵାର ଓ ନମନ ଧୀର ଖାତା ବି ଖୋଲି ପାରି ନ ଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ଇନିଂସ ସଜାଡ଼ିବାକୁ ଚେଷ୍ଟା କରିଥିଲେ। ଉଭୟ ୭୩ ରନ ଯୋଡ଼ିଥିଲେ। ହେଲେ ଉଭୟ ସୂର୍ଯ୍ୟକୁମାର(୩୬ ରନ) ଓ ତିଳକ ବର୍ମା(୩୭ ରନ) ଆଉଟ୍ ହେବା ପରେ ମୁମ୍ବାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା।

ଅକିଲ ହୁସେନ ୪ ଓ୍ଵିକେଟ୍ ନେଇ ମୁମ୍ବାଇର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧ ରନ, ଶେରଫନ ରଦରଫୋର୍ଡ ୦ ଆଉଟ୍ ହେବା ମୁମ୍ବାଇର ବିଜୟ ଆଶା ମଉଳି ଯାଇଥିଲା। ଏକଦା ୩ ଓ୍ଵିକେଟ୍ ହରାଇ ୮୪ ରନ କରିଥିବା ମୁମ୍ବାଇ ଶେଷ ୭ ଓ୍ଵିକେଟ୍ ମାତ୍ର ୨୦ ରନ ଭିତରେ ହରାଇ ୧୦୪ ରନରେ ଅଲଆଉଟ୍ ହୋଇଛି। ବୋଲିଂରେ ଅକିଲ ହୁସେନ ୧୭ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ନୂର ଅହମ୍ମଦ ୨୪ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ବୋକି ବୋଲରଙ୍କୁ ମଧ୍ୟ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।