ବୁଧ ଗୋଚର: ଜ୍ୟୋତିଷ ଶାସ୍ତ୍ରରେ ବୁଦ୍ଧି, ତର୍କ, ବ୍ୟବସାୟ ଏବଂ ସଂବାଦର କାରକ ଗ୍ରହ ବୁଧଙ୍କ ରାଶି ପରିବର୍ତ୍ତନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ । ଦୃକ୍ ପଞ୍ଚାଙ୍ଗ ଅନୁସାରେ, ଅଗଷ୍ଟ ୫ରେ ବୁଧ ଦେବ ମିଥୁନ ରାଶିରୁ ବାହାରି ଚନ୍ଦ୍ରଙ୍କ ରାଶି 'କର୍କଟ'କୁ ଗୋଚର କରିବାକୁ ଯାଉଛନ୍ତି । ସେ ଏହି ରାଶିରେ ଅଗଷ୍ଟ ୨୨ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।

କର୍କଟ ହେଉଛି ଜଳ ତତ୍ତ୍ୱର ରାଶି, ତେଣୁ ବୁଧଙ୍କ ଏହି ଭାବପ୍ରବଣ ରାଶିକୁ ଆଗମନ ଲୋକଙ୍କ ଚିନ୍ତାଧାରା, କାର୍ଯ୍ୟଶୈଳୀ ଏବଂ କଥାବାର୍ତ୍ତାର ଢଙ୍ଗକୁ ପ୍ରଭାବିତ କରିବ । ବ୍ୟବସାୟ ଏବଂ କ୍ୟାରିଅର ଦୃଷ୍ଟିକୋଣରୁ ବୁଧଙ୍କ ଏହି ଗୋଚର କେତେକ ରାଶି ପାଇଁ ଅତ୍ୟନ୍ତ ଫଳଦାୟୀ ଏବଂ ଧନଲାଭ କରାଇବା ଭଳି ସାବ୍ୟସ୍ତ ହେବ ।

ମିଥୁନ ରାଶି: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବୁଧଙ୍କ ଚଳନ ବେଶ ଫଳଦାୟୀ ହେବ । ବୁଧ ଦେବ ଆପଣଙ୍କ ରାଶିର ସ୍ୱାମୀ ଅଟନ୍ତି ଏବଂ ତାଙ୍କର ଏହି ଗୋଚର ଆପଣଙ୍କ ରାଶିରୁ ଦ୍ୱିତୀୟ ଭାବ (ଧନ ଏବଂ ବାଣୀ)ରେ ହେବାକୁ ଯାଉଛି । ଆପଣଙ୍କ ଆର୍ଥିକ ସ୍ଥିତିରେ ବଡ଼ ଉନ୍ନତି ଦେଖିବାକୁ ମିଳିବ । ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ । ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ମାର୍କେଟିଂ, ମିଡିଆ, ଓକିଲାତି ଏବଂ କନ୍ସଲଟାନ୍ସି କ୍ଷେତ୍ର ସହ ଜଡ଼ିତ ଲୋକଙ୍କୁ ସେମାନଙ୍କ କଥାବାର୍ତ୍ତା ବଳରେ ବଡ଼ ଚୁକ୍ତି ମିଳିପାରେ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜବୁତ ହେବ ଏବଂ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବାର ସୁଯୋଗ ମିଳିବ ।

କନ୍ୟା ରାଶି: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବୁଧଙ୍କ ଏହି ଗୋଚର ଏକାଦଶ ଭାବ (ଆୟ ଏବଂ ଲାଭ)ରେ ହେବାକୁ ଯାଉଛି । ବୁଧ ଆପଣଙ୍କ ରାଶିର ସ୍ୱାମୀ ହୋଇଥିବାରୁ ଏହି ସମୟ ଆପଣଙ୍କ ପାଇଁ ବରଦାନ ସଦୃଶ। ଆୟର ନୂଆ ଉତ୍ସ ସୃଷ୍ଟି ହେବ । ପାର୍ଟ-ଟାଇମ୍ କାମ କିମ୍ବା ନିବେଶରୁ ରୋଜଗାର କରିବାକୁ ଭାବୁଥିଲେ ଏହି ସମୟ ଲାଭଦାୟକ ରହିବ । ଚାକିରିଆ ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ବଡ଼ ସଫଳତା ମିଳିପାରେ । ବ୍ୟବସାୟୀଙ୍କ ପାଇଁ ବଡ଼ ବିଜନେସ୍ ଡିଲ୍ ଫାଇନାଲ୍ ହେବାର ସମ୍ଭାବନା ଅଛି । ଦୀର୍ଘଦିନରୁ ଅଟକି ରହିଥିବା ଯୋଜନାଗୁଡ଼ିକ ପୂରଣ ହେବ ।

ତୁଳା ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ବୁଧ ଦେବଙ୍କ ଗୋଚର ଦଶମ ଭାବ (କର୍ମ ଭାବ)ରେ ହେବାକୁ ଯାଉଛି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ । ସିନିୟରମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ, ଯାହା ଦ୍ୱାରା ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ମିଳିବାର ବାଟ ଫିଟିବ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ କିମ୍ବା ବର୍ତ୍ତମାନର କାମକୁ ବଢ଼ାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଅଗଷ୍ଟ ୫ରୁ ୨୨ ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଅନୁକୂଳ । ସମାଜ ଓ କାର୍ଯ୍ୟକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ପାଇବ ।

ମୀନ ରାଶି: ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବୁଧଙ୍କ ଏହି ଗୋଚର ପଞ୍ଚମ ଭାବ (ଶିକ୍ଷା, ବୁଦ୍ଧି ଏବଂ ସନ୍ତାନ)ରେ ହେବାକୁ ଯାଉଛି । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା କିମ୍ବା ଉଚ୍ଚଶିକ୍ଷା ପାଇଁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀଙ୍କ ଏକାଗ୍ରତା ବୃଦ୍ଧି ପାଇବ ଏବଂ ଶୁଭ ଫଳ ମିଳିବ । ସେୟାର ମାର୍କେଟ୍, ଲଟେରୀ କିମ୍ବା ସଟ୍ଟା ବଜାର ସହ ଜଡ଼ିତ ଲୋକଙ୍କୁ ହଠାତ୍ ଧନଲାଭ ହୋଇପାରେ, କିନ୍ତୁ ନିବେଶ ଭାବିଚିନ୍ତି କରନ୍ତୁ । ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ । ପ୍ରେମ ଜୀବନରେ ମଧୁରତା ଆସିବ ।

ବୁଧ ଦେବଙ୍କ ଲାଗି ପ୍ରତିକାର

ବୁଧ ଦେବଙ୍କ ଶୁଭ ପ୍ରଭାବକୁ ଆହୁରି ବଢ଼ାଇବା ପାଇଁ ଏହି ସମୟ ମଧ୍ୟରେ ବୁଧବାର ଦିନ ଗାଈକୁ ଘାସ କିମ୍ବା ଭିଜା ହୋଇଥିବା ମୁଗ ଡାଲି ଖାଇବାକୁ ଦିଅନ୍ତୁ । ଏହାଛଡ଼ା “ଓଁ ବୁଂ ବୁଧାୟ ନମଃ” ମନ୍ତ୍ର ଜପ କରିବା ବ୍ୟବସାୟ ଏବଂ ବୁଦ୍ଧି ପାଇଁ ଲାଭଦାୟକ ହେବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ଲୋକବିଶ୍ୱାସ ଉପରେ ଆଧାରିତ । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ ୭ ଡିଜିଟାଲ କୌଣସି ଜିନିଷର ସତ୍ୟତାର ପ୍ରମାଣ ପ୍ରଦାନ କରେ ନାହିଁ।)