ହାଇଦ୍ରାବାଦ: ସୁପ୍ରିମକୋର୍ଟ ଯେଉଁ ଦିନ ମିନାକ୍ଷୀ ନଟରାଜନଙ୍କ ରାଜ୍ୟସଭା ନୋମିନେସନ ଅସ୍ୱୀକୃତିକୁ ଚ୍ୟାଲେଞ୍ଜ କରି ରୁଜୁ ଆବେଦନକୁ ଖାରଜ କଲେ ଠିକ୍ ସେହିଦିନ ହାଇଦ୍ରାବାଦର ଏକ କୋର୍ଟ ସମାନ ମାମଲାରେ ତାଙ୍କୁ ଆଶ୍ୱସ୍ତ କରିଛନ୍ତି। ତେବେ ସେତେବେଳକୁ ମିନାକ୍ଷୀ ନଟରାଜନଙ୍କ ରାଜ୍ୟସଭା ନାମାଙ୍କନ ଶେଷ ହୋଇଯାଇଛି ଓ ସେ ରାଜ୍ୟସଭାକୁ ନିର୍ବାଚିତ ହେବାର ସୁଯୋଗ ହରାଇଛନ୍ତି। ଏଆଇସିସି ତେଲେଙ୍ଗାନା ପ୍ରଭାରୀ ନଟରାଜନଙ୍କ ରାଜ୍ୟସଭା ନୋମିନେସନ ହାଇଦ୍ରାବାଦର ଏକ କୋର୍ଟରେ ତାଙ୍କ ବିରୋଧରେ ଲମ୍ବିତ ମାମଲାର ସୂଚନା ନ ଦିଆଯିବା କାରଣରୁ ରଦ୍ଦ ହୋଇଯାଇଥିଲା।

ତେବେ ଶୁକ୍ରବାର ଅତିରିକ୍ତ ମୁଖ୍ୟ ମହାନଗର ମାଜିଷ୍ଟ୍ରେଟ୍ ଙ୍କ କୋର୍ଟ ଏହି ମାମଲାରେ ଅଭିଯୋଗକାରୀ ଏ.ଶ୍ରୀଲତାଙ୍କ ଦ୍ୱାରା ରୁଜୁ ଆବେଦନକୁ ଅଧିକାର କ୍ଷେତ୍ର ସମ୍ପର୍କିତ କାରଣରୁ ଫେରସ୍ତ କରିଦେଇଛନ୍ତି। ମାଜିଷ୍ଟ୍ରେଟ କହିଛନ୍ତି ଯେ କୋର୍ଟ ଆବେଦନ ଉପରେ ଶୁଣାଣି କରିବେ ନାହିଁ। କାରଣ ଅଭିଯୁକ୍ତ ଓ ପ୍ରତିବାଦୀ ପୂର୍ବ ଅଥବା ବର୍ତ୍ତମାନର ଜନ ପ୍ରତିନିଧି। ଏଣୁ କୋର୍ଟ ଶ୍ରୀଲତାଙ୍କୁ ଉଚ୍ଚିତ ନ୍ୟାୟାଳୟରେ ପିଟିସନ ରୁଜୁ କରିବାକୁ ପରାମର୍ଶ ଦେଇଛନ୍ତି।

କୋର୍ଟରେ କଂଗ୍ରେସ ପାର୍ଟିର ପ୍ରତିନିଧିତ୍ୱ କରି ଓକିଲ ରବିଶଙ୍କର ଜନ୍ଧ୍ୟାଲା କହିଛନ୍ତି ଯେ ସାଧାରଣ ସମ୍ପାଦକଙ୍କ ସମେତ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରତିବାଦୀ ଏମଏଲସି ଅଛନ୍ତି ନଚେତ ବର୍ତ୍ତମାନର ବିଧାୟକ ଅଛନ୍ତି। ଏଣୁ ଏହି ନ୍ୟାୟାଳୟ ଆମକୁ ସମନ ଜାରି କରିବାର ଅଧିକାର କ୍ଷେତ୍ରରେ ନାହାନ୍ତି। ଓକିଲଙ୍କ କଥାରେ ନ୍ୟାୟାଳୟ ସହମତ ହେବା ସହ ପିଟିସନ ଫେରାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତରେ ବର୍ତ୍ତମାନ ଓ ପୂର୍ବତନ ସାଂସଦ ଓ ବିଧାନସଭା ସଦସ୍ୟଙ୍କ ଅପରାଧିକ ମାମଲାର ଶୁଣାଣି ଲାଗି ସ୍ୱତନ୍ତ୍ର ନ୍ୟାୟାଳୟ ସବୁ ଅଛନ୍ତି। ଏହି ନ୍ୟାୟାଳୟଗୁଡିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତ୍ୱରିତ ଶୁଣାଣି ସୁନିଶ୍ଚିତ କରିବା ଓ ରାଜନୀତିରେ ଅପରାଧିକରଣକୁ କମ କରିବା ଲାଗି ସ୍ଥାପନା କରାଯାଇଥିଲା।

ଏହି ମାମଲା ଏ.ଶ୍ରୀଲତାଙ୍କ ଦ୍ୱାରା ଡିସେମ୍ବର ୨୦୨୫ରେ ହାଇଦ୍ରାବାଦର ନାମପଲ୍ଲୀ ଚତୁର୍ଥ ଅତିରିକ୍ତ ମୁଖ୍ୟ ମହାନଗରୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ରୁଜୁ କରାଯାଇଥିଲା ଓ ଏହା ଏକ ବ୍ୟକ୍ତିଗତ ଅଭିଯୋଗ ଥିଲା। ଲିଖିତ ଅଭିଯୋଗରେ ଶ୍ରୀଲତା ଆରୋପ ଲଗାଇଛନ୍ତି ଯେ ନଟରାଜନ କୁମ୍ଭମ ଶିବକୁମାର ରେଡ୍ଡୀଙ୍କୁ ରାଜନୈତିକ ସଂକ୍ଷରଣ ଦେଇଛନ୍ତି, ଯାହାଙ୍କ ବିରୋଧରେ ସେ ଯୌନ ଦୁର୍ବ୍ୟବହାର, ଅସଦାଚରଣ ଓ ଜୀବନରେ ମାରିଦେବାର ଗୁରୁତର ଆରୋପ ଲଗାଇଥିଲେ। ଶ୍ରୀଲତା ଆରୋପ ଲଗାଇଥିଲେ ଯେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମିନାକ୍ଷୀ ନଟରାଜନଙ୍କ ସମେତ ତେଲେଙ୍ଗାନା କଂଗ୍ରେସ ନେତାମାନେ ଶିବକୁମାର ରେଡ୍ଡୀଙ୍କ ପ୍ରାଥମିକ ସଦସ୍ୟତା ରଦ୍ଦ କରିବାରେ କୌଣସି ପ୍ରକାରର ହସ୍ତକ୍ଷେପ କରିନଥିଲେ।

ଶ୍ରୀଲତା ତାଙ୍କ ଅଭିଯୋଗରେ ୭ କଂଗ୍ରେସ ନେତାଙ୍କ ନାମ ଉଲ୍ଲେଖ କରିଛନ୍ତି। ଏଥିରେ ମିନାକ୍ଷୀ ନଟରାଜନ ପ୍ରତିବାଦୀ ସଂଖ୍ୟା ୪ ଅଛନ୍ତି। ଅନ୍ୟପ୍ରମୁଖ ନେତାଙ୍କ ମଧ୍ୟରେ ବର୍ତ୍ତମାନର ପ୍ରଦେଶ କଂଗ୍ରେସ ସଭାପତି ମହେଶ କୁମାର ଗୌଡ (ପ୍ରତିବାଦୀ ସଂଖ୍ୟା-୩) ଓ ପଶୁପାଳନ ଏବଂ ଦୁଗ୍ଧ ବିକାଶ ମନ୍ତ୍ରୀ ୱକାତୀ ଶ୍ରୀହରୀ (ପ୍ରତିବାଦୀ ସଂଖ୍ୟା ୫ ) ଅଛନ୍ତି। ଏହା ଛଡା ନାରାୟଣପେଟ ବିଧାୟକ ଚିତ୍ତନ ପର୍ଣ୍ଣିକା ରେଡ୍ଡୀ ମଧ୍ୟ ଏହି ମାମଲାରେ ପ୍ରତିବାଦୀ ଅଛନ୍ତି। ହାଇଦ୍ରାବାଦରେ ମାମଲା ଥିବା ଜଣା ନ ପଡିବାରୁ ଏଆଇସିସି ନେତାଙ୍କୁ ମଧ୍ୟପ୍ରଦେଶରେ ରାଜ୍ୟସଭା ସିଟ୍ ହରାଇବାକୁ ପଡିଛି। କାରଣ ରିଟର୍ଣ୍ଣିଂ ଅଫିସର ମାମଲାର ବିବରଣୀ ଉଲ୍ଲେଖ ନଥିବାରୁ ନଟରାଜନଙ୍କ ନିର୍ବାଚନୀ ଆଫିଡେଭିଟ୍ କୁ ରଦ୍ଦ କରିଦେଇଛନ୍ତି ।