ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଥିରେ ଦେଖିବାକୁ ମିଳିଛି ‘ଅଜଣା ଧୁରନ୍ଧର’ ଭୟ । କାରଣ ଆତଙ୍କୀ ସଂଗଠନ ଜୈଶ- ଏ- ମହମ୍ମଦର ନେତା ମସୂଦ ଅଜହରର ଘନିଷ୍ଠ ଟପ୍ କମାଣ୍ଡର ମୌଲାନା ସଲମାନ ଅଜହରକୁ ହତ୍ୟା କରାଯାଇଛି। ମୌଲାନା ସଲମାନ ଅଜହର ମୃତ୍ୟୁ ରହସ୍ୟଜନକ ଭାବରେ ଏକ ସଡ଼କ ଦୁର୍ଘଟଣାରେ ହୋଇଛି। କୁହାଯାଉଛି ଏକ ଅଜଣା ଗାଡ଼ି ତାକୁ ଧକ୍କା ଦେବାର ତା’ର ମୃତ୍ୟୁ ହୋଇଛି।

ରିପୋର୍ଟ ଅନୁସାରେ, ଘଟଣା ପାକିସ୍ତାନର ପଞ୍ଜାବ ପ୍ରାନ୍ତର ବହାବଲପୁରରେ ହୋଇଛି। ବଡ଼ କଥା ହେଲା ବହାବଲପୁରକୁ ଜୈଶ- ଏ- ମହମ୍ମଦର ମଜଭୁତ ଗଡ଼ ବୋଲି ଧରାଯାଉଛି। ସଂଗଠନର ମୁଖ୍ୟାଳୟ ମଧ୍ୟ ଏଠାରେ ରହିଛି। ସଲମାନ ଅଜହର ରାସ୍ତାରେ ଛିଡ଼ା ହୋଇଥିବା ସମୟରେ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇ ଫେରାର ମାରିଥିଲା। ଧକ୍କା ଦେଇଥିବା ଗାଡ଼ି ଚିହ୍ନଟ ହୋଇନଥିବା ବେଳେ, ପାକିସ୍ତାନ ଏଜେନ୍ସୀ ଏହାକୁ ଏକ ସାମାନ୍ୟ ଦୁର୍ଘଟଣା ଭାବରେ ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ଏକ ଷଡ଼ଯନ୍ତ୍ର ଭାବରେ ଦେଖାଯାଉଛି।

ସଲମାନ ଅଜହର କିଏ ?

ସଲମାନ ଅଜହର ଜୈଶ- ଏ- ମହମ୍ମଦରେ ଏକ ଖୁବ ପ୍ରଭାବଶାଳୀ ଏବଂ ବଡ଼ ନାଁ ଥିଲା। ସେ ଜୈଶର ସଂସ୍ଥାପକ ଏବଂ ବୈଶ୍ବିକ ଆତଙ୍କୀ ମସୂଦ ଅଜହରର ସବୁଠୁ ବିଶ୍ବସ୍ତ ଲୋକଙ୍କ ମଧ୍ୟରେ ଜଣେ ଥିଲା। ସଂଗଠନର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ତା’ ପରାମର୍ଶରେ ନିଆଯାଉଥିଲା। ସଲମାନ ଅଜହରର ମୁଖ୍ୟ କାମ ଭାରତ ବିରୋଧୀ ଆତଙ୍କୀ ଷଡ଼ଯନ୍ତ୍ର, ନୂଆ ଆତଙ୍କୀବାଦୀଙ୍କୁ ଭର୍ତ୍ତି କରିବା, ସେମାନଙ୍କୁ ଟ୍ରେନିଂ ଏବଂ ଫଣ୍ଡ ଯୋଗାଇବା। ହେଲେ ତା’ର ମୃତ୍ୟୁରେ ଜୈଶ- ଏ- ମହମ୍ମଦର ଅନ୍ତରୀଣ ଢାଞ୍ଚାକୁ ଗଭୀର କ୍ଷତି ପହଞ୍ଚାଇଛି। କାରଣ ସେ ସଂଗଠନର କୋର ଗ୍ରୁପର ଅଂଶ ଥିଲା।

Also Read: ମାସୁଦ ଅଜହର ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ, ପୂର୍ବତନ RAW ଏଜେଣ୍ଟ ଲକି ବିଷ୍ଟଙ୍କ ବଡ ଦାବି

ପାକିସ୍ତାନରେ ‘ଟାର୍ଗେଟ କିଲିଂ’ ଭୟ

ସଲମାନ ଅଜହର ଭାରତ ବିରୋଧରେ ଅନେକ ବଡ଼ ଆତଙ୍କୀ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଥିଲା ଏବଂ ସେ ମସୂଦ ଅଜହରର ସବୁଠୁ ବିଶ୍ବସ୍ତ ମଧ୍ୟରେ ଜଣାଯାଉଥିଲା। ଘଟଣା ପରେ ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଠାରୁ ଆରମ୍ଭ କରି ଆତଙ୍କୀ ମାଷ୍ଟରମାଇଣ୍ଡଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏହାକୁ ପାକିସ୍ତାନରେ ଆତଙ୍କବାଦୀଙ୍କୁ ହେଉଥିବା ଟାର୍ଗେଟ କିଲିଂର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଭାବରେ ଦେଖାଯାଉଛି। କାରଣ ବିଗତ କିଛି ସମୟରୁ ଏଭଳି ହତ୍ୟା ମାମଲା ସାମ୍ନାକୁ ଆସୁଛି।