ବେଜିଂ ୧୮।୧: ଚୀନ୍ ର ଇନର ମଙ୍ଗୋଲିୟା ସ୍ୱାୟତଶାସିତ କ୍ଷେତ୍ରର ପଶ୍ଚିମ ବାଓଟୁ ସହରରେ ରବିବାର ଭୀଷଣ ବିସ୍ଫୋରଣର ଖବର ଆସୁଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା ଓ ବଡ଼ ବଡ଼ କୋଠା ଥରିଉଠିଥିଲା। ଏଣୁ ବିସ୍ଫୋରଣ କେତେ ଘାତକ ତାହା ସହଜରେ ଅନୁମାନ କରାଯାଇ ପାରେ। ଏପର୍ଯ୍ୟନ୍ତ ବିସ୍ଫୋରଣ ମୃତ୍ୟୁ ନେଇ କୌଣସି ସୂଚନା ଆସି ନାହିଁ, ତେବେ ୫ ଜଣ ନିଖୋଜ ଥିବା କୁହାଯାଉଛି। ଏହି ବିସ୍ଫୋରଣ ଏକ ଷ୍ଟିଲପ୍ଲାଣ୍ଟରେ ହୋଇଥିବାର କୁହାଯାଉଛି।

ସରକାରୀ ଗଣମାଧ୍ୟମ ସିହ୍ନୁଆ ଅନୁସାରେ ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆଖପାଖ ଅଞ୍ଚଳରେ ସ୍ପଷ୍ଟ କମ୍ପନ ଅନୁଭବ କରାଯାଇଥିଲା। ବିସ୍ଫୋରଣର କାରଣ ତଦନ୍ତ କରାଯାଉଛି। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ବିସ୍ଫୋରଣ ସ୍ଥାନରେ ନିଆଁର ଶିଖା ଉପରକୁ ଉଠୁଥିବାର ଦେଖାଯାଇଛି। ଏହି ବିସ୍ଫୋରଣ ଯୋଗୁ ଅନେକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ କେତେ ଲୋକ ଆହତ ହୋଇଛନ୍ତି ତାର ସଠିକ ସୂଚନା ମିଳି ନାହିଁ।

କୁହାଯାଉଛି ଏହି ବିସ୍ଫୋରଣ ବାଓଗାଙ୍ଗ ୟୁନାଇଟେଡ ଷ୍ଟିଲର ପ୍ଲେଟ ପ୍ଲାଣ୍ଟରେ ମଧ୍ୟାହ୍ନ ପାଖାପାଖି ୩ଟା ବେଳେ ହୋଇଛି। ଏହି କମ୍ପାନୀ ବାଓଟୁରେ ପ୍ରମୁଖ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ। ଘଟଣା ପରେ ଭୀଷଣ ଧୂଆଁ ବାହାରୁଥିବା ଦେଖାଯାଇଛି। ଏହି ବିସ୍ଫୋରଣର କମ୍ପନ ଆଖାପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ଏଣୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଏହି ଘଟଣା ଚୀନ୍ ରେ ଉଦ୍ୟୋଗ ସୁରକ୍ଷା ପ୍ରତି ପୁଣିଥରେ ପ୍ରଶ୍ନବାଚୀ ଲଗାଇଛି, ଯେଉଁଠି ନିୟମିତ ଘଟଣା, ଦୁର୍ଘଟଣା ଲାଗି ରହିଛି।