ନୂଆଦିଲ୍ଲୀ, ୦୮/୧୦ : ବିଶ୍ଵ ବଜାରର ଆହ୍ବାନପୂର୍ଣ ସ୍ଥିତି ଯୋଗୁ ଡଲାର ତୁଳନାରେ ଟଙ୍କାର ବିନିମୟ ଦୁର୍ବଳ ହୋଇଚାଲିଛି। ଟଙ୍କ ମୂଲ୍ୟ ୯୭ ସ୍ତର ଛୁଇଁଛି । କାରବାର ସମୟରେ ବୁଧବାର ଟଙ୍କା ମୂଲ୍ୟ ୯୭.୧୫୧ ସ୍ତର ଛୁଇଁଥିଲା। ଦିନ ମଧ୍ୟରେ ଟଙ୍କା ପ୍ରଥମେ ୯୬.୮୩ ସ୍ତରକୁ ଖସିଥିଲା।

ଫଳରେ ଟଙ୍କା ଏସିଆର ସବୁଠୁ ଦୁର୍ବଳ ପ୍ରଦର୍ଶନକାରୀ ମୁଦ୍ରା ପାଲଟିଛି। କାରବାର ଶେଷ ବେଳ ୯୬.୭୮ ସ୍ତରରେ ରହିଛି। ଯାହା ୫ ମାସର ସର୍ବନିମ୍ନ ସ୍ତର । ଅଦ୍ୟାବଧି ଟଙ୍କାର ସର୍ବନିମ୍ନ ସ୍ତର ୯୬.୯୮ ରହିଥିଲା । ଟଙ୍କା ମୂଲ୍ୟରେ ହ୍ରାସକୁ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ ଗତ ୨ ସପ୍ତାହ ହେବ ଉଦ୍ୟମ ଜାରି ରଖିଛି । କାରଣ ଟଙ୍କା ବାସ୍ତବ ପକ୍ଷେ ୯୭ ସ୍ତର ଟପିଲେ ନୂଆ ରେକର୍ଡ ନିମ୍ନ ସ୍ତର ଛୁଇଁବ।

ବଜାର ସ୍ଥିତିକୁ ନଜରରେ ରଖି ରିଜର୍ଭବ୍ୟାଙ୍କ ଏହାର ରେପୋ ହାରରେ ୦.୨୫% ବୃଦ୍ଧି କରିଛି। ଆଗାମୀ ଦିନରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ଏହାର ରେପୋ ହାରରେ ବୃଦ୍ଧି କରିବା ସମ୍ଭାବନା ରହିଛି। ବିଶ୍ବ ବଜାର ସ୍ଥିତି ସଙ୍କଟାପନ୍ନ ଥିବାରୁ ଟଙ୍କାର ବିନିମୟ ମୂଲ୍ୟ ଉପରେ ଚାପ ରହିବ। ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୬.୪୫ରୁ ୯୭.୨୫ ସ୍ତର ଛୁଇଁପାରେ ବୋଲି ଏଲକେପି ସିକ୍ୟୁରିଟିଜ୍ର ରିସର୍ଚ୍ଚ ଆନାଲିଷ୍ଟ ଯତିନ ତ୍ରିବେଦୀ କହିଛନ୍ତି ।