ନୂଆଦିଲ୍ଲୀ: ଚୀନର ଜଣେ କୋଟିପତି ବ୍ୟବସାୟୀଙ୍କ କିସ୍ ଭିଡିଓ ଭାଇରାଲ୍ ହେବା ପରେ ତାଙ୍କ କମ୍ପାନୀ ବଡ଼ କ୍ଷତି ସହିଛି । ଜଣେ ମହିଳାଙ୍କୁ ଲିଫ୍ଟ ଭିତରେ ଚୁମ୍ବନ ଦେଉଥିବାର ଭିଡିଓ ଭାଇରାଲ ହେବା ପରେ ତାଙ୍କ ବଡ଼ ବ୍ୟବସାୟିକ ସାମ୍ରାଜ୍ୟକୁ ଶକ୍ତ ଧକ୍କା ଲାଗିଛି। ମାତ୍ର କେଇ ଘଣ୍ଟା ମଧ୍ୟରେ କମ୍ପାନୀର ବଜାର ମୂଲ୍ୟରୁ ପ୍ରାୟ ୨୦ ବିଲିୟନ ୟୁଆନ୍ (ପ୍ରାୟ ୨୮ ହଜାର କୋଟି ଟଙ୍କା ) ସ୍ୱାହା ହୋଇଯାଇଛି। 'ଲିଆନ୍ହେ ଜାଓବାଓ'ର ରିପୋର୍ଟ ଅନୁଯାୟୀ, ଏହି ବିବାଦର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଚେନ୍ ତାଓ (Chen Tao)। ସେ ହେଉଛନ୍ତି ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ (PCB) ପ୍ରସ୍ତୁତ କରୁଥିବା ଚୀନର ପ୍ରମୁଖ କମ୍ପାନୀ 'ଭିକ୍ଟ୍ରି ଜାଏଣ୍ଟ ଟେକ୍ନୋଲୋଜି' (ଏହା ଶେଙ୍ଘଙ୍ଗ ଟେକ୍ନୋଲୋଜି ନାମରେ ମଧ୍ୟ ଜଣାଶୁଣା) ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍। ଏହି କମ୍ପାନୀ ବିଶ୍ୱର ପ୍ରସିଦ୍ଧ ଏଆଇ (AI) ଚିପ୍ ନିର୍ମାତା 'ଏନଭିଡିଆ' (Nvidia) କୁ PCB ଯୋଗାଉଥିବା ଏକ ପ୍ରମୁଖ ସପ୍ଲାୟର୍।

କେମିତି ଆରମ୍ଭ ହେଲା ଏହି ବିବାଦ?

ଜୁନ୍ ୬ରେ ଚୀନର ସୋସିଆଲ ମିଡିଆ ଆପ୍ 'ଡୋୟିନ୍' (Douyin) ର ଜଣେ ବ୍ୟବହାରକାରୀ "ଜେନଜେନ୍ ଜେନିସ୍" (Zhenzhen Janice) କିଛି ପୋଷ୍ଟ ସେୟାର କରିଥିଲେ । ଏଥିରେ ବ୍ୟକ୍ତିଗତ ଚାଟ୍ର ସ୍କ୍ରିନସଟ୍ ସହିତ ଏକ ସନ୍ଦେହଜନକ ଭିଡିଓ ଥିଲା । ଯେଉଁଥିରେ ଚେନ୍ ତାଓ ଏବଂ ଜଣେ ମହିଳା ଲିଫ୍ଟ ଭିତରେ ପରଷ୍ପରର ହାତ ଧରିବା ସହ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଥିଲା। ୫୪ ବର୍ଷୀୟ ବିବାହିତ ବିଲେନିୟର ଚେନ୍ଙ୍କ ସହ ମହିଳାଙ୍କର ପ୍ରେମ ସମ୍ପର୍କ ରହିଛି ବୋଲି ପୋଷ୍ଟରେ ଦାବି ହୋଇଥିଲା ।

ଏହି ଆପତ୍ତିଜନକ ଭିଡିଓ ଏବଂ ସ୍କ୍ରିନସଟ୍ ଚୀନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନେଟିଜେନ୍ସ ମଧ୍ୟରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା। ଶେଙ୍ଘଙ୍ଗ ଟେକ୍ନୋଲୋଜିର ଚେୟାରମ୍ୟାନଙ୍କ ଏହି ବ୍ୟକ୍ତିଗତ ବିବାଦର ପ୍ରଭାବ ସିଧାସଳଖ କମ୍ପାନୀର ଶେୟାର ଉପରେ ଦେଖିବାକୁ ମିଳିଥିଲା। ଶେଙ୍ଘଙ୍ଗ ଟେକ୍ନୋଲୋଜିର 'ଏ-ଶେୟାର' (A-shares) କାରବାର ସମୟରେ ହଠାତ ୯ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା। 'Hk01' ର ଏକ ରିପୋର୍ଟ ଅନୁଯାୟୀ, ଏହି ହ୍ରାସ ଯୋଗୁଁ ମାତ୍ର କେଇ ଘଣ୍ଟା ମଧ୍ୟରେ କମ୍ପାନୀର ବଜାର ପୁଞ୍ଜି (Market Value) ରୁ ୨୦ ବିଲିୟନ ୟୁଆନ୍ ହ୍ରାସ ପାଇଥିଲା।

ହଂକଂ ଶେୟାର ବଜାରରେ ତାଲିକାଭୁକ୍ତ କମ୍ପାନୀର ଅଂଶଧନ ମଧ୍ୟ ଚାପରେ ରହିଥିଲା। ତେବେ ପରଦିନ ଅର୍ଥାତ୍ ଜୁନ୍ ୯ ରେ 'ଏ-ଶେୟାର' ଏବଂ 'ଏଚ୍-ଶେୟାର' (H-shares) ଉଭୟରେ ସୁଧାର ଦେଖାଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ 'ଭିକ୍ଟ୍ରି ଜାଏଣ୍ଟ ଟେକ୍ନୋଲୋଜି' ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିଜର ପକ୍ଷ ରଖିଛି । ଇଣ୍ଟରନେଟ୍ରେ ଘୂରି ବୁଲୁଥିବା ସୂଚନା ସହିତ କମ୍ପାନୀର ବ୍ୟବସାୟିକ କାର୍ଯ୍ୟକଳାପର କୌଣସି ସମ୍ପର୍କ ନାହିଁ। ଏହା କମ୍ପାନୀର ଆଭ୍ୟନ୍ତରୀଣ ନିୟନ୍ତ୍ରଣ କିମ୍ବା କର୍ପୋରେଟ୍ ଗଭର୍ଣ୍ଣାନ୍ସ ଭଳି କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ପ୍ରଭାବିତ କରୁନାହିଁ। କମ୍ପାନୀର ଉତ୍ପାଦନ, ବ୍ୟବସାୟ ଏବଂ ଅର୍ଡର ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି ବୋଲି କମ୍ପାନୀ କହିଛି।

ଚେୟାରମ୍ୟାନ୍ ଚେନ୍ ତାଓ ନିଜ ପଦବୀରୁ ଇସ୍ତଫା ଦେବେ କି ନାହିଁ ଏବଂ ବର୍ତ୍ତମାନ ସେ କେଉଁଠି ଅଛନ୍ତି, ସେହି ପ୍ରଶ୍ନର ଉତ୍ତରରେ କମ୍ପାନୀର କର୍ମଚାରୀମାନେ କହିଛନ୍ତି ଯେ, ‘ଏହା ତାଙ୍କର ବ୍ୟକ୍ତିଗତ ଗୋପନୀୟତା (Privacy) ର ବିଷୟ, ତେଣୁ ଏହା ଉପରେ ଆଲୋଚନା କରିବା ସମ୍ଭବ ନୁହେଁ। ଅଧିକ ସୂଚନା ପାଇଁ କମ୍ପାନୀର ବିଜ୍ଞପ୍ତିକୁ ଅପେକ୍ଷା କରନ୍ତୁ।’

କମ୍ପାନୀର ବର୍ତ୍ତମାନ ସ୍ଥିତି

ଉଲ୍ଲେଖଯୋଗ୍ୟ ଯେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରର ପ୍ରମୁଖ କମ୍ପାନୀ 'Nvidia' ର ସପ୍ଲାୟର୍ ହେବା ପରେ ଶେଙ୍ଘଙ୍ଗ ଟେକ୍ନୋଲୋଜି ଖୁବ୍ କମ୍ ଦିନରେ ବଡ଼ ସଫଳତା ହାସଲ କରିଛି। ବର୍ତ୍ତମାନ ଏହି କମ୍ପାନୀର ମୋଟ ବଜାର ମୂଲ୍ୟ ପ୍ରାୟ ୩୬୦ ବିଲିୟନ ୟୁଆନ୍ (ପ୍ରାୟ ୫୦ ବିଲିୟନ ଡଲାର) ରହିଛି। ଅନ୍ୟପଟେ ବ୍ଲୁମବର୍ଗ (Bloomberg) ର ରିପୋର୍ଟ ଅନୁଯାୟୀ, ବିବାଦ ଘେରରେ ଥିବା ଚେନ୍ ତାଓଙ୍କ ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୧.୬ ବିଲିୟନ ଡଲାର ।