ପୁରୀ, ୨୫/୦୮ : ପୁରୀ ଜିଲ୍ଲା ଅନ୍ତର୍ଗତ ଭାର୍ଗବୀ ଓ ମଙ୍ଗଳା ନଦୀ ମୁହାଣ ସମେତ ଅନ୍ୟ ସମୁଦ୍ରର ମୁହାଣ ଅଞ୍ଚଳଗୁଡ଼ିକରେ କିଛି ଦିନ ହେବ ପ୍ରଚୁର ପରିମାଣରେ ବିଷଧର ସାମୁଦ୍ରିକ ସାପ ଦେଖାଯାଉଛନ୍ତି। ଏହାଦ୍ଵାରା ନଦୀ ଓ ସମୁଦ୍ର ମୁହାଣ ନିକଟରେ ଚଳପ୍ରଚଳ କରୁଥିବା ସାଧାରଣ ଜନତା ଏବଂ ଜୀବିକା ନିର୍ବାହ ପାଇଁ ସମୁଦ୍ରକୁ ଯାଉଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଜୀବନ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ରଛି।

ଏହି ସାପର ବିଷ ନାଗ ସାପ ଠାରୁ ୧୦ ଗୁଣା ଅଧିକ ମାରାତ୍ମକ। ଏହି ସାପ କାମୁଡ଼ିଲେ ବଞ୍ଚିବା ଆଶା କ୍ଷୀଣ ତେଣୁ ଏହି ସାପମାନଙ୍କ ବିଷୟରେ ସମୁଦ୍ରକୂଳିଆ ବାସିନ୍ଦା ଓ ମତ୍ସ୍ୟଜୀବୀଙ୍କୁ ତୁରନ୍ତ ସଚେତନ କରାଯାଉ ବୋଲି ଦାବି ହେଉଛି। ଏନେଇ ପୁରୀ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ)ଙ୍କୁ ପରିବେଶବିତ୍ ସରୋଜ କୁମାର ଜେନା ନିବେଦନ ପତ୍ର ଦେଇଛନ୍ତି।

Also Read :- ବର୍ଷା ଛାଡୁନି, ନଦୀ ଫୁଲୁଛି : ପୁଣି ବନ୍ୟା ! ଏହି ସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ପରିବେଶବିତ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନୂଆନଈ ଓ ରାମଚଣ୍ଡୀ ମୁହାଁଣମାନଙ୍କରେ ଏହି ସାପ ବହୁ ପରିମାଣର ଦେଖିବାକୁ ମିଳୁଛି। ସମୁଦ୍ର ଜୁଆରରେ ସାପମାନେ ଭାସି ଆସି ବାଲିରେ ରହି ଯାଉଛନ୍ତି। ସେମାନେ ବାଲିରେ ସହଜ ସହଜରେ ଚଳପ୍ରଚଳ କରିପାରୁନାହାନ୍ତି। ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରବଳ ପର୍ଯ୍ୟଟକଙ୍କ ସମାଗମ ହେଉଥିବାରୁ ସେମାନଙ୍କ ସୁରକ୍ଷା ସାଙ୍ଗକୁ ଉପକୂଳ ଅଧିବାସୀଙ୍କ ସୁରକ୍ଷା ଜରୁରି ହୋଇପଡ଼ିଛି ବୋଲି ପରିବେଶବିତ ବହିଛନ୍ତି।

ସେ ଆହୁରି କହିଛନ୍ତି, ସମୁଦ୍ରରେ ଜାଲ ପକାଇବା, ଜାଲ ସଂଗ୍ରହ କରିବା କିମ୍ବା ମୁହାଣ ଅଞ୍ଚଳରେ ମାଛ ଧରିବା ସମୟରେ ଏହି ବିଷଧର ସାପଗୁଡ଼ିକ ଜାଲରେ ଛନ୍ଦି ହୋଇ ଯାଉଛନ୍ତି। ଏହାଦ୍ଵାରା ଜାଣତ ବା ଅଜାଶତରେ ସାପଗୁଡ଼ିକ ମତ୍ସ୍ୟଜୀବୀଙ୍କ ନିକଟତର ହୋଇ ବିପଦ ସୃଷ୍ଟି କରୁଛନ୍ତି । ଯଦି କୌଣସି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରେ ଏହି ସାପ କାମୁଡ଼ି ଦିଅନ୍ତି, ତୁରନ୍ତ କି ଉପଚାର କରାଯିବ ସେ ସମ୍ବନ୍ଧରେ ମତ୍ସ୍ୟଜୀବୀମାନଙ୍କୁ ସଚେତନ ଓ ପ୍ରତିକାର ଜଣାଇବା ଜରୁରି। ତେଣୁ ମୁହାଣ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ସାଧାରଣ ଜନସାଧାରଣ ଓ ମତ୍ସ୍ୟଜୀବୀଙ୍କ ପାଇଁ ସଚେତନତା ସୂଚନା ଫଳକ ଲଗାଯାଉ। ଜଣେ ଅଭିଜ୍ଞ ସାପ ବିଶେଷଜ୍ଞଙ୍କୁ ଆଣି ମତ୍ସ୍ୟଜୀବୀମାନଙ୍କ ପାଇଁ ଏକ ବିଶେଷ ତାଲିମ ଶିବିରର ଆୟୋଜନ କରାଯାଉ । ଯେଉଁଥରେ ସାମୁଦ୍ରିକ ସାପ ଚିହ୍ନଟ କରିବା, ସେମାନଙ୍କଠାରୁ ସୁରକ୍ଷିତ ରହିବା ଏବଂ କାମୁଡ଼ିଲେ କି ପ୍ରକାର ପ୍ରାଥମିକ ଚିକିତ୍ସା କରାଯିବ, ସେ ବିଷୟରେ ସମ୍ପୂର୍ଣ ସୂଚନା ଦିଆଯାଇପାରିବ। ଏହି ସମ୍ବେଦନଶୀଳ ସମସ୍ୟାର ଗୁରୁତ୍ବକୁ ବୁଝି ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ ମତ୍ସ୍ୟ ଅଧିକାରୀଙ୍କୁ ନିବେଦନ କରିଛନ୍ତି।