ନୂଆଦିଲ୍ଲୀ, ୨୭/୦୮ : ପ୍ରେମ ପାଇଁ ପରୀକ୍ଷା ପେପର ଲିକ୍, ବ୍ରେକ୍ଅପ୍ ପରେ ଖୁଲାସା । ମହାରାଷ୍ଟ୍ର ଲୋକସେବା ଆୟୋଗ (ଏମପିଏସସି) ଡ୍ରଗ୍ ଇନ୍ସପେକ୍ଟର ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରେମ ସମ୍ପର୍କ ଏକ ପ୍ରମୁଖ ଦିଗ ଭାବେ ସାମ୍ନାକୁ ଆସିଛି। ଏହି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ୩ ଜଣ ଏମପିଏସସି ଅଧିକାରୀଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ପ୍ରଥମେ ନିଜ ପ୍ରେମିକାଙ୍କ ପାଇଁ ପ୍ରଶ୍ନପତ୍ର ଲିକ୍ କରିଥିବା ଏବଂ ବ୍ରେକ୍ ଅପ୍ ପରେ କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ ଏହି ଘଟଣା ଉପରୁ ପରଦା ଉଠିଛି।

Also Read :- ଓଡ଼ିଶାରେ ବାତିଲ ହେଲା ୨୦ ଲକ୍ଷ ଗାଡ଼ିର ରେଜିଷ୍ଟ୍ରେସନ୍ : ଆହୁରି ହଟିବ ୩୦ ଲକ୍ଷ ଗାଡି ! ଆପଣ ବି କରନ୍ତୁ ଚେକ୍

ସୂଚନା ଅନୁସାରେ, ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) କ୍ୟାଡର ଅଧୀନରେ ଡ୍ରଗ୍ ଇନ୍ସପେକ୍ଟର, ଗ୍ରୁପ୍-ବି ପରୀକ୍ଷା ଗତ ମାର୍ଚ୍ଚ ୨୨ରେ ଅନୁଷ୍ଠିତ ହୋଇଥିଲା। ଜୁଲାଇରେ ଫଳାଫଳ ଘୋଷଣା କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶ୍ନପତ୍ର ଲିକ୍ ଖବର ସାମ୍ନାକୁ ଆସିବା ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା । କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ଲୋକେଶ ଓରଫ ଗୌରବ ରାଜେନ୍ଦ୍ର ପାଟିଲଙ୍କ ଋତୁଜା ପାଟିଲ ନାମକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା।

ଋତୁଜାଙ୍କୁ ଡ୍ରଗ୍ ଇନ୍ସପେକ୍ଟର ପରୀକ୍ଷାରେ ଉତ୍ତୀର୍ଣ କରାଇବାରେ ସାହାଯ୍ୟ କରିବା ଲାଗି ଲୋକେଶ ପ୍ରଶ୍ନପତ୍ର ହାସଲ କରିଥିଲେ। ଏହାକୁ ଋତୁଜାଙ୍କ ସମେତ ଅନ୍ୟ କେତେକ ପରୀକ୍ଷାର୍ଥୀଙ୍କୁ ଦେଇଥିଲେ। ପରେ ଋତୁଜା ଏଥିରେ କୃତକାର୍ଯ୍ୟ ମଧ୍ୟ ହୋଇଥିଲେ। କିନ୍ତୁ କିଛି ଦିନ ପରେ ଲୋକେଶ ଏବଂ ଋତୁଞ୍ଜଙ୍କ ବ୍ରେକ୍ ଅପ୍ ହୋଇଯାଇଥିଲା।

ପୁଲିସ ସନ୍ଦେହ କରୁଛି ଯେ, ବ୍ରେକ୍ ଅପ୍ ପରେ ଲୋକେଶ କ୍ରୋଧାନ୍ବିତ ହୋଇ ଏମପିଏସସିଙ୍କୁ ପ୍ରଶ୍ନପତ୍ର ଲିକ୍ ବାବଦରେ ଜଣାଇଥିଲେ। ଏହା ପରେ ମୁମ୍ବାଇ ପୁଲିସକୁ କମିଶନ ଅଭିଯୋଗ କରିଥିଲେ। ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଦାୟିତ୍ବ ନେଇଥିଲା । ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଋତୁଜାଙ୍କୁ ଏକ ନୋଟିସ୍ ଜାରି କରାଯାଇଛି। ଗିରଫ ୬ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ପରେ କ୍ରାଇମବ୍ରାଞ୍ଚ ସେମାନଙ୍କୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ହେପାଜତକୁ ନେଇଛି।

ସେମାନଙ୍କୁ ପଚରାଉଚରା ଜାରି ରହିଛି। ସେମାନଙ୍କ ବିରୋଧରେ ଏକାଧିକ ଧାରାରେ ମାମଲା ରୁଜୁ ହୋଇଛି। ପ୍ରଶ୍ନପତ୍ର ଲିକ୍ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଥିବା ଅର୍ଥ ନେଣଦେଣ ଏବଂ ଯୋଗାଯୋଗର ଲିଙ୍କର ତନାଘନା ମଧ୍ୟ ଚାଲିଛି ।