ବରଗଡ଼ ୨୦।୭: ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ । ରୋଗୀ ନେଇ ଆସିଥିବା ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ସୂଚନା । ଡାକ୍ତରଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ । ବରଗଡ଼ ପୁରୁଣା ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ଗତକାଲି ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିବା ଜଣାପଡିଛି । ଜଣେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ଯେ, ଗଙ୍ଗାଧର ନଗର ୱାର୍ଡ ନଂ–୧୪ର ବାସିନ୍ଦା ବିକି ସିଂ ନାମକ ଜଣେ ଯୁବକ ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆଣିଥିଲେ । କାର୍ଯ୍ୟରତ ଡାକ୍ତର ଡା. ସୁଦୀପ୍ତ କୁମାର ରାଉତ ରୋଗୀଙ୍କ ଚିକିତ୍ସା କରିବା ପରେ ବିକି ସିଂ ନିଜର ରକ୍ତଚାପ (ବ୍ଲଡ୍ ପ୍ରେସର) ଯାଞ୍ଚ କରିବାକୁ ଅନୁରୋଧ କରିଥିଲେ । ଦୌଡ଼ି ଆସିଥିବାରୁ କିଛି ସମୟ ବସି ବିଶ୍ରାମ ନେବା ପରେ ବ୍ଲଡ୍ ପ୍ରେସର ଯାଞ୍ଚ କରାଯିବ ବୋଲି ଡା. ରାଉତ ତାଙ୍କୁ କହିଥିଲେ । ମାତ୍ର ଏ କଥାକୁ ବିକି ସିଂ ଭଲ ଭାବେ ନବୁଝି ଉତ୍ତେଜିତ ହୋଇପଡ଼ିଥିଲେ । ଅଭିଯୋଗ ଅନୁଯାୟୀ, ନିକଟରେ ଥିବା ଏକ କାଠର ଷ୍ଟୁଲ ଉଠାଇ ସେ ଡା. ରାଉତଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ଡାକ୍ତରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା । ଏହାପରେ ଯୁବକ ଜଣକ ଡାକ୍ତରଖାନାର ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରି ସେଠାରୁ ଫେରାର ହୋଇଯାଇଥିଲା ।

Also Read:- ବଦଳି ଆଦେଶ ଅବମାନନା କରୁଥିବା ଅଧିକାରୀଙ୍କୁ ଝଟ୍‌କା, ଅର୍ଥ ବିଭାଗର କଡ଼ା ଚେତାବନୀ

ଆହତ ଡା. ରାଉତଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିବା ବେଳେ, ଘଟଣାକୁ ନେଇ ସିଏଚସିର ସମସ୍ତ କର୍ମଚାରୀ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇ କଠୋରରୁ କଠୋର ଦଣ୍ଡ ଦେବା ସହ ଡାକ୍ତରଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି । ଏହି ଅଭିଯୋଗ ପରେ ବରଗଡ଼ ଟାଉନ ପୋଲିସ ରାତିରେ ଚଢ଼ାଉ କରି ବିକି ସିଂଙ୍କୁ ତାଙ୍କ ବାସଭବନରୁ ଆଣି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ତେବେ ପୋଲିସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।