କୋଲକାତା: ତୃଣ ମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଦଳବଦଳ କରୁଥିବା ସାଂସଦ ଓ ବିଧାୟକଙ୍କୁ ନେଇ କହିଛନ୍ତି ଯେ ପାର୍ଟି ସହ ବିଶ୍ୱାସଘାତ ବେମାରୀରେ ମାଆକୁ ଛାଡି ପଳାଇବା ସହ ସମାନ। ଉତ୍ତର କୋଲକାତା ଜିଲ୍ଲା ଟିଏମସିର ଏକ ଭର୍ଚୁଆଲ ମିଟିଂକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦ୍ୱାରା ନିରନ୍ତର ଦମନ ମଧ୍ୟରେ କାର୍ଯ୍ୟକର୍ତ୍ତାମାନେ କର୍ମୀଙ୍କ ମଧ୍ୟରେ ସାହାସ ଭରନ୍ତୁ । ପାର୍ଟି ଛାଡିଥିବା ନେତାଙ୍କ ଉଲ୍ଲେଖ କରି ମମତା କହିଛନ୍ତି ଯେ ପାର୍ଟି ସେହି ମାଆ ଯିଏ ଏପର୍ଯ୍ୟନ୍ତ ଆପଣମାନଙ୍କୁ ପାଳି ପୋଷି ଆସୁଥିଲା।

ସେମାନେ ଆଜି ହୁଏତ ବର୍ତ୍ତିଯାଉଛନ୍ତି ହେଲେ ଭବିଷ୍ୟତରେ ଜନତା ଓ କାର୍ଯ୍ୟକର୍ତ୍ତା ସେମାନଙ୍କୁ ହିସାବ ନିଶ୍ଚିତ ମାଗିବେ। ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଶୁଭକାମନା ଜଣାଇ ନିଜ ସମ୍ବୋଧନ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଏବେକା ରାଜନୈତିକ ପରିସ୍ଥିତିକୁ ଭୟ ଓ ଆର୍ଥିକ ସଂକଟର ପରିସ୍ଥିତି ବୋଲି କହିଛନ୍ତି। ଏଥିରେ ସେ ଜୋର ଦେଇ କହିଛନ୍ତି ଯେ ଏକଜୁଟ ତୃଣମୂଳ ହିଁ ଏହି ସଂକଟର ମୁକାବିଲା କରିପାରିବ। ଏହି ସଂକଟ ବିଜେପି ସୃଷ୍ଟି କରିଛି ଆମେ ନୁହଁ, ଆପଣମାନେ ଜାଣନ୍ତି ଆମ କାର୍ଯ୍ୟକର୍ତ୍ତା କିପରି ସଂଘର୍ଷ କରିଛନ୍ତି। ବୁଥ ସ୍ତରର କାର୍ଯ୍ୟକର୍ତ୍ତା ଓ ବିଏଲଓଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ଜୀବନ ଓ ବଳିଦାନ ବଳରେ ଆଜିର ବିଜେତା ଶାସନକୁ ଆସିଛନ୍ତି।

ଟିଏମସି ମୁଖିଆ ଏବେ ପାର୍ଟି ବଦଳାଉଥିବା ନେତାଙ୍କ ସମ୍ପର୍କରେ କହିଛନ୍ତି ଯେ ଆଇନଗତ ମାମଲା ଓ ପାରିବାରିକ ସମ୍ପତ୍ତି ଡରରେ ସେମାନେ ଏପରି ପଦକ୍ଷେପ ନେଇଛନ୍ତି। ଏଥିରେ କିଛି ଲୋକ ନିଜକୁ ଓ ପରିବାରକୁ ବଞ୍ଚାଇବାକୁ ଯାଇ ପାର୍ଟି ଛାଡିଥିବା ସେ କହିଛନ୍ତି। ସେମାନଙ୍କ ମଧ୍ୟରେ ଧୈର୍ଯ୍ୟ ନଥିଲା, ଏଣୁ ଆମକୁ ଛାଡି ଯେଉଁମାନଙ୍କ ବିରୋଧରେ ଲଢୁଥିଲେ ସେମାନଙ୍କ ସହ ମିଶି ଯାଇଛନ୍ତି। ଏଣୁ ସେମାନେ ଯଦି ପାର୍ଟି ଛାଡି ସିଧାସଳଖ ବିଜେପିରେ ମିଶି ଯାଇଥାନ୍ତେ ଆମ୍ରର କିଛି ଆପତ୍ତି ନଥିଲା। ହେଲେ ପାର୍ଟି ସହ ସେମାନଙ୍କ ବିଶ୍ୱାସଘାତ କ୍ଷମାଯୋଗ୍ୟ ନୁହେଁ।

ଦଳ ବଦଳୁମାନଙ୍କୁ ମମତା କହିଛନ୍ତି ଯେ ଯଦି ଏବେବି ନିଜ ଭିତରେ କିଛି ବିଚାର ଶକ୍ତି ଅଛି ଫେରି ଆସ, ଯଦି ସେମାନେ ଭାବୁଥାନ୍ତି ସେମାନେ ଏହି ପରିସ୍ଥିତିରୁ ବର୍ତ୍ତିଯିବେ ସେମାନଙ୍କୁ ମୁଁ ଏତିକି ସ୍ପଷ୍ଟ କରିଦେବାକୁ ଚାହୁଁଛି ତୁମେ ଅନ୍ତତଃ କେଉଁଠିକାର ହେବନି ନା ଏପଟର ନା ସେପଟର। ଉଦବୋଧନରେ ମମତା ପାର୍ଟି ନିର୍ମାଣରେ ତୃଣ ମୂଳ ସ୍ତରର କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ବାରମ୍ବାର ପ୍ରଶଂସା କରିଛନ୍ତି। ମମତା କହିଛନ୍ତି ଯେ କଠିନ ସମୟରେ ଯେଉଁମାନେ ଆମକୁ ଛାଡି ଯାଇଛନ୍ତି ସେମାନେ ଯଦି ଆମ ସହ ଥାଆନ୍ତେ ତେବେ ବିଜେପି ଆମର କାର୍ଯ୍ୟକର୍ତ୍ତାଙ୍କ ଉପରେ ଏପରି ଅତ୍ୟାଚାର କରିବାକୁ ସାହାସ ପାଇ ନଥାନ୍ତା।