କୋଲକାତା: ପଶ୍ଚିମବଙ୍ଗରେ ଏସଆଇଆର ପ୍ରକ୍ରିୟା ଜାରି ରହିଛି । ଏସଆଇଆରକୁ ନେଇ ପଶ୍ଚିମବଙ୍ଗରେ ପ୍ରତିଦିନ ନୂଆ ଘଟଣା ସାମ୍ନାକୁ ଆସୁଛି । ଆଜି (ଗୁରୁବାର) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଛନ୍ତି । ଯଦି ଭୋଟର ଲିଷ୍ଟରୁ ନାଁ କଟୁଛି, ତେବେ ରୋଷେଇ ଘରେ ରଖିଥିବା ମାରଣାସ୍ତ୍ର ସହ ପ୍ରସ୍ତୁତ ରୁହ ବୋଲି ରାଜ୍ୟର ମହିଳାମାନଙ୍କୁ କହିଛନ୍ତି ମମତା ବାନାର୍ଜୀ । ବେଙ୍ଗଲର କୃଷ୍ଣାନଗରରେ ଆୟୋଜିତ ଏକ ରାଲିରେ ମମତା ବାନାର୍ଜୀ କହିଛନ୍ତି, ‘ଯଦି ପୋଲିସ ରାଜ୍ୟର ମହିଳାଙ୍କୁ ଧମକାଉଛି ଏବଂ ଭୋଟର ଲିଷ୍ଟରୁ ନାଁ କାଟି ଦିଆଯାଉଛି, ତେବେ ଆପଣଙ୍କ ପାଖରେ ରୋଷେଇ ଘରେ ମାରଣାସ୍ତ୍ର ଅଛି । ମହିଳା ଆଗକୁ ଆସି ଲଢ଼ିବେ ଏବଂ ପୁରୁଷ ସେମାନଙ୍କ ପଛରେ ରହିବେ ।’

ମହିଳା ନା ବିଜେପି କିଏ ଅଧିକ ଶକ୍ତିଶାଳୀ ମୁଁ ଦେଖିବାକୁ ଚାହୁଁଛି ବୋଲି ମମତା କହିଛନ୍ତି । ମୁଁ ସାଂପ୍ରଦାୟିକତାରେ ବିଶ୍ବାସ କରେ ନାହିଁ । ଧର୍ମନିରପେକ୍ଷତା ଉପରେ ବିଶ୍ବାସ କରେ । ନିର୍ବାଚନ ଆସିଲେ ବିଜେପି ଟଙ୍କା ଦେଇ ଲୋକଙ୍କୁ ବାଣ୍ଟିବାକୁ ଚେଷ୍ଟା କରେ ବୋଲି ଅଭିଯୋଗ କରିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ।

ମମତା ବାନାର୍ଜୀ କହିଛନ୍ତି, ‘ଆମେ ଦରକାର ପଡ଼ିଲେ ଘରେ ଗୀତା ପାଠ କରନ୍ତି । ହୃଦୟରେ ଭଗବାନ ଅଛନ୍ତି । ଯିଏ ଆଲ୍ଲାଙ୍କୁ ପ୍ରାର୍ଥନା କରେ, ସେ ତା ହୃଦୟରେ ଆଲ୍ଲାଙ୍କୁ ପୂଜେ । ରମଜାନ ଏବଂ ଦୁର୍ଗା ପୂଜା ସମୟରେ ଆମେ ଏକାଠି ପ୍ରାର୍ଥନା କରୁ । ଯେଉଁମାନେ ଗୀତାକୁ ନେଇ ହୋହଲ୍ଲା କରୁଛନ୍ତି, ସେମାନଙ୍କୁ ପଚାରିବାକୁ ଚାହୁଁଛି, ଭଗବାନ କୃଷ୍ଣ କଣ କହିଥିଲେ ? ଧର୍ମର ଅର୍ଥ ପିବତ୍ରତା, ମାନବତା ଏବଂ ଶାନ୍ତି । ହିଂସା, ଭେଦଭାବ ଏବଂ ବିଭାଜନ ନୁହେଁ ।’

ବିଜେପ ଆଡ଼କୁ ଇସାରା କରି ମମତା କହିଛନ୍ତି, ‘ଦଙ୍ଗା କରୁଥିବା ଦଳ ନିକଟରେ ମୁଁ କ’ଣ ମୋର ନାଗରିକତାର ପ୍ରମାଣ ଦେବି ? ଆମ ପାଖରେ ଜଣେ କେନ୍ଦ୍ର ଗୃହମନ୍ତ୍ରୀ ଅଛନ୍ତି ।ଯିଏ ସବୁ ବେଙ୍ଗଲୀଙ୍କୁ ବାଂଲାଦେଶୀ ବୋଲି କହି ଡିଟେନ୍ସନ ସେଣ୍ଟର ପଠାଇ ଦେଉଛନ୍ତି । କିନ୍ତୁ ଆମେ କାହାକୁ ପଶ୍ଚିମବଙ୍ଗ ବାହାରକୁ ଯିବାକୁ ଦେବୁନି । ଯଦି କୌଣସି ଲୋକକୁ ଜବରଦସ୍ତି ବାହାର କରାଯାଉଛି, ତେବେ ସେମାନଙ୍କୁ କେମିତି ଫେରାଇ ଆଣିବାକୁ ହେବ ତାହା ଆମକୁ ଭଲ ଭାବରେ ଜଣା ଅଛି ।’