ନୂଆଦିଲ୍ଲୀ: ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ଆକ୍ରମଣ ଅଭିଯୋଗରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କାଳୀଘାଟରେ କାଳୀ ପୂଜା ପାଳନରେ ବିଜେପି ସମସ୍ୟା ସୃଷ୍ଟି କରିବାକୁ ଚାହୁଁଥିବା ମମତା ଅଭିଯୋଗ କରିଛନ୍ତି।

ଶନିବାର ମଧ୍ୟ ରାତ୍ରୀରେ ଅଭିଷେକ ବାନାର୍ଜୀଙ୍କ ବାସଭବନରେ ଆକ୍ରମଣ ନେଇ ଅଭିଷେକ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଏହାପରେ ମମତା ନିଜେ ଯାଇ ଅଭିଷେକଙ୍କ ଘର ଦେଖି ଆସିବା ପରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ସମାଲୋଚନା କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି “ତୁମ ପାଖରେ କେତେ ବୁଲଡୋଜର ଅଛି ଆଣ, ମୁଁ ତୁମ ସାମ୍ନାରେ ଛିଡ଼ା ହୋଇଛି। ମୋ ଉପରେ ମୋ ଛାତି ଉପରେ ବୁଲ୍ଡୋଜର ଚଢ଼ାଇ ଦେଖାଅ। ମୁଁ ବି ଦେଖିବି ଯେ ତୁମେ କେତେ ସାହସୀ।”

Also Read- ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯିବେ ଅଖିଳେଶ, ଟାର୍ଗେଟ୍ କଲା ବିଜେପି, କହିଲା...

ଘଟଣା ନେଇ ଡାଇମଣ୍ଡ ହାରବର ସାଂସଦ ଅଭିଷେକ ବାନାର୍ଜୀ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଟିଏମ୍ସି କର୍ମୀମାନଙ୍କ ଝଗଡ଼ା ପରେ ବିଜେପିର ଗୁଣ୍ଡାମାନେ ରାତି ୨ଟା ବେଳେ ତାଙ୍କ ଘର ଉପରେ ଆକ୍ରମଣ କରିଛନ୍ତି ବୋଲି ଅଭିୟୋଗ କରିଥିଲେ।

ଏକ୍ସରେ ପୋଷ୍ଟ କରି ସେ ଲେଖିଥିଲେ “ଗତ ଦୁଇ ଦିନ ଧରି ରେକି କରିବା ପରେ ଆଜି ରାତି ୨ଟା ସମୟରେ ବିଜେପି ଗୁଣ୍ଡାମାନେ କିଭଳି ମୋ ଘର ଉପରେ ଆକ୍ରମଣ କରିଛନ୍ତି ଦେଖନ୍ତୁ। ଫୁଟେଜ୍ ଦେଖନ୍ତୁ ଓ ନିଜେ ବୁଝନ୍ତୁ। ଯଦି ଜଣେ ନିର୍ବାଚିତ ସାଂସଦଙ୍କ ସହ ଏପରି ଘଟଣା ଘଟିପାରେ ତେବେ ପଶ୍ଚିମବଙ୍ଗରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ ? ତାହା କଳ୍ପନା କରନ୍ତୁ। ଗତ ମାସ ଭିତରେ ମୋତେ ହତ୍ୟା କରିବା ପାଇଁ ଏହା ଥିଲା ସପ୍ତମ ଉଦ୍ୟମ। ତଥାପି ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କି ନ୍ୟାୟିକ ହସ୍ତକ୍ଷେପ ମଧ୍ୟ ହୋଇ ନାହିଁ।”

କାଳୀଘାଟିରେ କାଳୀ ପୂଜା କରାଇବାକୁ ଦେଉନି ବିଜେପି !

କାଳୀ ପୂଜାରେ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ଆଣି ମମତା ବାନାର୍ଜୀ କହିଛନ୍ତି ଯେଉଁ ସ୍ଥାନଗୁଡ଼ିକର ଐତିହାସିକ ଭାବେ ଦୀର୍ଘଦିନ ହେଲା କାଳୀପୂଜା କରାଯାଉଛି ତାଙ୍କୁ ଅନୁମତି ଦିଆଯାଉ ନାହିଁ। ହେଲେ ନୂଆ କ୍ଲବଗୁଡ଼ିକୁ ପୂଜା ଓ ପ୍ରୋସେସନ ପାଇଁ ଅନୁମତି ମିଳୁଛି। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ନଷ୍ଟ କରିବା ପାଇଁ ବିଜେପି ଗୁଣ୍ଡାଗର୍ଦ୍ଦି କରୁଛି ବୋଲି ମମତା ଅଭିଯୋଗ କରିଛନ୍ତି।