Mamata Banerjee's convoy was attacked: ମୁଖ୍ୟମନ୍ତ୍ରୀ ଆସନ ଯିବା ପରେ ମମତା ବାନାର୍ଜୀଙ୍କୁ ରାଜ୍ୟରେ ନାନା ହଟହଟା ହେବାକୁ ପଡ଼ୁଛି। ଅନେକ ଜାଗାରେ ତାଙ୍କୁ ବିରୋଧ କରାଯାଉଛି। ଶନିବାର ପଶ୍ଚିମବଙ୍ଗର ହଲିଶହରରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ତୃଣମୂଳ କଂଗ୍ରେସ (TMC) କର୍ମୀ ବିର୍ଜୁ କେଓଟଙ୍କ ମୃତ୍ୟୁକୁ ନେଇ ବଢ଼ୁଥିବା ବିବାଦ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ବାନାର୍ଜୀଙ୍କ କାରକେଡ୍‌କୁ ପ୍ରତିବାଦକାରୀମାନେ ଅଟକାଇବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ରିପୋର୍ଟ ଅନୁସାରେ, ମମତାଙ୍କ ଗାଡ଼ିକୁ ପ୍ରତିବାଦକାରୀମାନେ ଘେରି ଯାଇଥିଲେ। ତାଙ୍କ କାର କାଚରେ କାଦୁଅ ଲିପିବା ସହ ଗାଡ଼ି ଉପରକୁ ପାଣି ବୋତଲ, ଜୋତା ଫିଙ୍ଗିଥିବା ଅଭିଯୋଗ ହୋଇଛି। ପ୍ରତିବାଦକାରୀମାନେ ମମତା ବାନାର୍ଜୀଙ୍କ ବିରୋଧରେ ନାରା ଦେଇ ତାଙ୍କୁ ‘ଚୋର’ ଏବଂ ‘ଡକାୟତଙ୍କ ରାଣୀ’ ବୋଲି ସମ୍ବୋଧନ କରିଥିବା ମଧ୍ୟ ଜଣାପଡ଼ିଛି।

TMC କର୍ମୀଙ୍କ ମୃତ୍ୟୁକୁ ନେଇ ବଢ଼ିଛି ବିବାଦ

ଟିଏମ୍‌ସି କର୍ମୀ ବିର୍ଜୁ କେଓଟଙ୍କ ମୃତ୍ୟୁକୁ ନେଇ ଏହି ପ୍ରତିବାଦ ଆରମ୍ଭ ହୋଇଛି। ପୁଲିସ ହେପାଜତରେ ଥିବା ସମୟରେ ତାଙ୍କୁ ମାଡ଼ ମରାଯାଇଥିବାରୁ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଅଭିଯୋଗ କରିଛି। ବିର୍ଜୁଙ୍କୁ ଦୁର୍ନୀତି ଓ ଚାନ୍ଦାବାଜି ଅଭିଯୋଗରେ ଗିରଫ କରାଯାଇଥିଲା। ପୁଲିସ ହେପାଜତରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁଲିସ ପକ୍ଷରୁ ସେ ହୃଦ୍‌ଘାତର ଶିକାର ହୋଇଥିବା କୁହାଯାଇଥିବା ବେଳେ, ବିର୍ଜୁଙ୍କ ପତ୍ନୀ ପୁଲିସ ହେପାଜତରେ ତାଙ୍କୁ ନିର୍ମମ ଭାବେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି। ଏହାପରେ ଘଟଣାର ନିରପେକ୍ଷ ତଦନ୍ତ ଦାବି ଜୋର ଧରିଛି।
​​​​​​​Also Read- ପରିସୀମନ ବିନା ମହିଳାଙ୍କ ଲାଗି କୋଟା ଚାହୁଁଛନ୍ତି ରାହୁଲ ଗାନ୍ଧି, ଏହି ୬ ଟି କାରଣରୁ ତାଙ୍କୁ ମନେଇ ପାରିଲେନି ରିଜିଜୁ

ପୁଲିସ ହସ୍ତକ୍ଷେପ, ମମତାଙ୍କ କାରକେଡ୍‌କୁ ସୁରକ୍ଷିତ ଭାବେ ବାହାର କରାଗଲା

ମମତା ବାନାର୍ଜୀ ବିର୍ଜୁ କେଓଟଙ୍କ ପରିବାରକୁ ଭେଟିବା ପାଇଁ ହଲିଶହର ଯାଇଥିଲେ। କିନ୍ତୁ ସେ ଘରେ ପହଞ୍ଚିବା ପୂର୍ବରୁ ପ୍ରତିବାଦକାରୀମାନେ ତାଙ୍କ କାରକେଡ୍‌କୁ ଅଟକାଇଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଓ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସୁରକ୍ଷାକର୍ମୀମାନେ ମମତାଙ୍କ କାରକେଡ୍‌କୁ ସେଠାରୁ ବାହାର କରି ନେଇଥିଲେ।

ଘଟଣାକୁ ନେଇ ମମତା ବାନାର୍ଜୀ ପୁଲିସ ଓ ବିରୋଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଉତ୍ତର ୨୪ ପରଗଣାରେ ବେରାକପୁରରେ ବିର୍ଜୁ କେଓଟଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିବା ସେ କହିଛନ୍ତି।

ମମତାଙ୍କ ଅଭିଯୋଗ ଅନୁସାରେ, ପୁଲିସ ସାମ୍ନାରେ ତାଙ୍କ ଗାଡ଼ି ଉପରକୁ ବଡ଼ ବଡ଼ ପଥର ଫିଙ୍ଗାଯାଇଥିଲା। ଗାଡ଼ିର ଝରକା ଖୋଲା ଥିଲେ ତାଙ୍କ ମୁଣ୍ଡ ଫାଟିଯାଇଥାନ୍ତା ବୋଲି ସେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାରେ ହସ୍ତକ୍ଷେପ ନକରି ବିଜେପିକୁ ସୁରକ୍ଷା ଦେଉଥିବା ମଧ୍ୟ ମମତା ଅଭିଯୋଗ ଆଣିଛନ୍ତି।

ବିଜେପିର ଆକ୍ରମଣ ଅଭିଯୋଗ ଖାରଜ

ଘଟଣାକୁ ନେଇ ବିଜେପି ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଆସିଛି। ପଶ୍ଚିମବଙ୍ଗ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟ ମମତାଙ୍କ କାରକେଡ୍‌ ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ଏଥିରେ ବିଜେପି କର୍ମୀଙ୍କ କୌଣସି ସମ୍ପୃକ୍ତି ନଥିବା କହିଛନ୍ତି। ସେ କହିଛନ୍ତି, ବିଜେପି କେବେ ମଧ୍ୟ ପଥର ଫିଙ୍ଗିବା, ମାଟି କିମ୍ବା ଜୋତା ଫିଙ୍ଗିବାକୁ ସମର୍ଥନ କରେ ନାହିଁ। ଏଭଳି ଘଟଣା ପଶ୍ଚିମବଙ୍ଗର ଛବିକୁ ଖରାପ କରୁଛି। ଏଥିରେ ଯେଉଁମାନେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସେ କହିଛନ୍ତି।

Also Read- JNUରେ ଉମର ଖାଲିଦଙ୍କ ପୁସ୍ତକ ଉପରେ ଚର୍ଚ୍ଚା କାର୍ଯ୍ୟକ୍ରମ ବାତିଲ, ଜାଣନ୍ତୁ କ’ଣ କହିଲା ପ୍ରଶାସନ?

ପଶ୍ଚିମବଙ୍ଗର ମନ୍ତ୍ରୀ ଅଗ୍ନିମିତ୍ରା ପଲ୍‌ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି। ବିଜେପିର ରାଜନୈତିକ ସଂସ୍କୃତିରେ ଏଭଳି ଘଟଣାର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି। ମମତା ବାନାର୍ଜୀଙ୍କ ଶାସନକାଳକୁ ସମାଲୋଚନା କରିବା ସତ୍ତ୍ୱେ ଜଣେ ରାଜନୈତିକ ପ୍ରତିପକ୍ଷଙ୍କୁ ଆକ୍ରମଣ, ହାରାସ୍‌ମେଣ୍ଟ କିମ୍ବା ମାଟି, କାଳି ଓ ଜୋତା ଫିଙ୍ଗିବାକୁ ବିଜେପି କିମ୍ବା ସରକାର ସମର୍ଥନ କରେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଜେପି ନାଁରେ କେହି ଏଭଳି କାର୍ଯ୍ୟ କରୁଥିଲେ, ସେମାନେ ଭୁଲ୍‌ କରୁଛନ୍ତି ବୋଲି ଅଗ୍ନିମିତ୍ରା କହିଛନ୍ତି।

ବିର୍ଜୁ କେଓଟଙ୍କ ମୃତ୍ୟୁକୁ ନେଇ ରାଜନୈତିକ ତାତି

ବିର୍ଜୁ କେଓଟଙ୍କ ମୃତ୍ୟୁ ଏବେ ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି। ଟିଏମ୍‌ସି ପକ୍ଷରୁ ପୁଲିସ ହେପାଜତରେ ନିର୍ଯାତନା ଅଭିଯୋଗ ଆଣି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଜବାବଦେହି ଦାବି କରାଯାଉଛି। ଅନ୍ୟପକ୍ଷରେ ବିଜେପି ଘଟଣାର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ଦାବି କରିଛି। ଏହି ମୃତ୍ୟୁକୁ ନେଇ ରାଜନୈତିକ ବୟାନବାଜି ମଧ୍ୟରେ ହଲିଶହରରେ ମମତା ବାନାର୍ଜୀଙ୍କ କାରକେଡ୍‌ ଉପରେ ଆକ୍ରମଣ ଘଟଣା ରାଜ୍ୟର ରାଜନୈତିକ ପରିସ୍ଥିତିକୁ ଆହୁରି ତୀବ୍ର କରିଛି।