କୋଲକାତା: ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (BJP) କୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ, ଯଦି ତାଙ୍କ ଦଳର ନେତା ଓ କାର୍ଯ୍ୟାଳୟ ଉପରେ ଅତ୍ୟାଚାର ଏବଂ ଆକ୍ରମଣ ବନ୍ଦ ନହୁଏ, ତେବେ ଟିଏମସି ନୂଆଦିଲ୍ଲୀରେ ବିଜେପି ନେତାଙ୍କ ବାସଭବନ ସାମ୍ନାରେ ଧାରଣା ଦେବ।  

କୋଲକାତାର କ୍ୟାମାକ୍ ଷ୍ଟ୍ରିଟସ୍ଥିତ TMC କାର୍ଯ୍ୟାଳୟରେ ଗୁରୁବାର ଭୋର ସମୟରେ ହୋଇଥିବା ଆକ୍ରମଣ ଏବଂ ଭଙ୍ଗାରୁଜା ପରେ ମମତା ବାନାର୍ଜୀ ଫେସବୁକ ଲାଇଭ୍‌ ମାଧ୍ୟମରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ସମର୍ଥିତ ଗୁଣ୍ଡାମାନେ କୋଲକାତା ପୁଲିସକୁ ଲଗାଇ ଦଳୀୟ କାର୍ଯ୍ୟାଳୟରେ ପଶି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଦସ୍ତାବିଜ୍ ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ ଲୁଟି ନେଇଛନ୍ତି।

କୋଲକାତା ଭଳି ସହରର ମଧ୍ୟଭାଗରେ ଯଦି ଆଇନ ଶୃଙ୍ଖଳାର ଏଭଳି ସ୍ଥିତି, ତେବେ ଗ୍ରାମାଞ୍ଚଳରେ କିପରି ପରିସ୍ଥିତି ଥିବ ତାହା ସହଜରେ ଅନୁମାନ କରାଯାଇପାରେ ବୋଲି ମମତା କହିଛନ୍ତି। ପଶ୍ଚିମବଙ୍ଗରେ ବିଜେପି ସମ୍ପୂର୍ଣ୍ଣ ଅରାଜକତା ସୃଷ୍ଟି କରୁଛି ବୋଲି ଅଭିଯୋଗ କରି ଯାଦବପୁର ବିଶ୍ୱବିଦ୍ୟାଳୟରେ ଘଟିଥିବା ହିଂସାକାଣ୍ଡକୁ ସେ ଗୁଣ୍ଡାଗର୍ଦ୍ଦି ବୋଲି ଆଖ୍ୟା ଦେଇଛନ୍ତି। ଏହାସହ ତାଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ଧମକ ଦିଆଯାଉଛି ବୋଲି ସେ ଦାବି କରିଛନ୍ତି।

Also Read: ମମତା ବାନାର୍ଜୀଙ୍କ ଝିଆରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତନାଘନା

ମମତାଙ୍କ ଚେତାବନୀ ପୂର୍ବରୁ, ଟିଏମସି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ସୋସିଆଲ ମିଡିଆରେ ଏକ ସିସିଟିଭି ଫୁଟେଜ୍ ସେୟାର କରିଥିଲେ। ଏଥିରେ ମୁଖା ପିନ୍ଧିଥିବା କିଛି ଦୁର୍ବୃତ୍ତ ହେଲମେଟ୍ ପିନ୍ଧି କାର୍ଯ୍ୟାଳୟରୁ ଟିଭି, ପ୍ରିଣ୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଉଥିବା ଏବଂ ଆସବାବପତ୍ର ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଥିବା ବେଳେ ଏହାକୁ ନେଇ ଟିଏମସି ଏବଂ ବିଜେପି ମଧ୍ୟରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ତୀବ୍ର ହୋଇଛି।