କଣାସ: ବାତ୍ୟା 'ଅକଭାନ' ପୁରୀ ଜିଲ୍ଲା ନିକଟରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ଥିବାରୁ ଚିନ୍ତାରେ ଜିଲ୍ଲା ପ୍ରଶାସନ। ବାତ୍ୟାର ମୁକାବିଲା ପାଇଁ ଏବେଠାରୁ ସଜାଗ ହୋଇଛି କଣାସ ବ୍ଲକ ପ୍ରଶାସନ। କଣାସ ବ୍ଲକର ୨୮ଟି ଗ୍ରାମ ପଞ୍ଚାୟତରେ ଥିବା ୨୪ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୧୬ଟି ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି ପ୍ରାୟ ୨୨୦୦ ଲୋକଙ୍କୁ। ବିଶେଷ କରି ଚାଳଛପର ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଘରୁ ସ୍ଥାନାନ୍ତର କରାଯାଇଛି।

ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ପୁରୀ ଉପଜିଲ୍ଲାପାଳ ରାଜକିଶୋର ଜେନା, କଣାସ ବିଡିଓ ସୌମ୍ୟରଞ୍ଜନ ସ୍ୱାଇଁ ଓ ତହସିଲଦାର ହିମାଂଶୁ ଶେଖର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଲୋକଙ୍କ ସମସ୍ୟା ଓ ସୁବିଧା ଅନୁଧ୍ୟାନ କରୁଛନ୍ତି। ଅନ୍ୟପଟେ ପାନୀୟ ଜଳ ସଙ୍କଟ ଦୂର କରିବା ପାଇଁ ୧୫ ହଜାର ବୋତଲ ପାଣି ମହଜୁଦ ରଖାଯାଇଥିବା ବିଡିଓ ସୂଚନା ଦେଇଛନ୍ତି।

Also Read: ଟ୍ରେନ୍ ଚଳାଚଳରେ ‘ଅକଭାନ୍’ର ପ୍ରଭାବ ; ୩୯ ବାତିଲ, ୨୬ର ସମୟ ପରିବର୍ତ୍ତନ

ବାତ୍ୟାର ମୁକାବିଲା ପାଇଁ ଓଡ୍ରାଫ୍ ଟିମ୍, ଅଗ୍ନିଶମ ବାହିନୀ ଓ ସରକାରୀ କର୍ମଚାରୀମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି। ଏପଟେ ବାତ୍ୟାର ପ୍ରଭାବରେ ଆଜି ଦିନତମାମ ତୁହାକୁ ତୁହା ବର୍ଷା ସାଙ୍ଗକୁ କୋହଲା ପବନ ଲାଗି ରହିଛି। ଫଳରେ କଣାସ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏବେ ସମସ୍ତଙ୍କ ନଜର ବାତ୍ୟାର ଗତିପଥ ଓ ପ୍ରଶାସନର ପ୍ରସ୍ତୁତି ଉପରେ।

ସୂଚନାଯୋଗ୍ୟ, ବାତ୍ୟା ‘ଅକଭାନ’ ସମୁଦ୍ରରେ ବଳ ଗୋଟାଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ନରସାପୁର ଏବଂ ପୁରୀ ମଧ୍ୟରେ ଗୋପାଳୁର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ରହିବ। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।