ନୂଆଦିଲ୍ଲୀ: ମାଲେସିଆ ସରକାର ସୋମବାରଠାରୁ ଦେଶରେ ଏକ ଐତିହାସିକ ତଥା ଅତି କଠୋର ଆଇନ ଲାଗୁ କରିଛନ୍ତି। ପିଲାମାନଙ୍କ ମଧ୍ୟରେ ସୋସିଆଲ ମିଡିଆର କୁପ୍ରଭାବ, ମାନସିକ ଅବସାଦ ଏବଂ ଅନଲାଇନ୍ ନିର୍ଯାତନା ମାମଲାକୁ ରୋକିବା ପାଇଁ ଏହି ବଡ଼ ପଦକ୍ଷେପ ନିଆଯାଇଛି। ନୂଆ ନିୟମ ଅନୁଯାୟୀ, ଏବେ ୧୬ ବର୍ଷରୁ କମ୍ ବୟସର ପିଲାମାନେ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିପାରିବେ ନାହିଁ।

କେଉଁ ସବୁ ଆପ୍‌ ଉପରେ ଲାଗୁ ହେବ ନିୟମ ?
ମାଲେସିଆ ସରକାରଙ୍କ ଏହି ନୂଆ ନିୟମ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ଲାଗୁ ହେବ ନାହିଁ। ଏହା କେବଳ ସେହି ଆପ୍‌ଗୁଡ଼ିକ ଉପରେ ଲାଗୁ ହେବ, ଯେଉଁମାନଙ୍କର ମାଲେସିଆରେ ୮୦ ଲକ୍ଷ (୮ ମିଲିୟନ) ରୁ ଅଧିକ ବ୍ୟବହାରକାରୀ ଅଛନ୍ତି। ଏହି ପରିସର ମଧ୍ୟରେ କେତେକ ପ୍ରମୁଖ ଆପ୍ ଫେସବୁକ୍ (Facebook),ଇନଷ୍ଟାଗ୍ରାମ (Instagram), ଟିକଟକ୍ (TikTok) ଏବଂ ୟୁଟ୍ୟୁବ୍ (YouTube) ସାମିଲ । ଏହି ସମସ୍ତ ବଡ଼ ଟେକ୍ କମ୍ପାନୀଗୁଡ଼ିକୁ ନିଜ ନିଜ ପ୍ଲାଟଫର୍ମରେ ଏକ ସୁଦୃଢ଼ 'ଏଜ୍-ଭେରିଫିକେସନ୍ ସିଷ୍ଟମ' ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି, ଯେପରି ୧୬ ବର୍ଷରୁ କମ୍ ବୟସର କୌଣସି ପିଲା ଭୁଲ୍ ତଥ୍ୟ ଦେଇ ଆକାଉଣ୍ଟ ଖୋଲିପାରିବେ ନାହିଁ।

ନିୟମ ଉଲ୍ଲଂଘନ କଲେ ୨୧ କୋଟି ଜରିମାନା
ମାଲେସିଆ ସରକାର ଏହି ଆଇନକୁ କଡ଼ାକଡ଼ି କରିବା ପାଇଁ ଆର୍ଥିକ ଦଣ୍ଡର ବ୍ୟବସ୍ଥା କରିଛନ୍ତି । ଯଦି କୌଣସି ଟେକ୍ କମ୍ପାନୀ ଏହି ସିଷ୍ଟମ ଲାଗୁ ନକରେ କିମ୍ବା ନିୟମ ଉଲ୍ଲଂଘନ କରେ, ତେବେ ତାହା ଉପରେ ମାଲେସିଆ ମୁଦ୍ରାରେ ୧ କୋଟି ରିଙ୍ଗିଟ୍‌ (ଭାରତୀୟ ମୁଦ୍ରାରେ ପ୍ରାୟ ୨୧ କୋଟି ଟଙ୍କା) ର ବଡ଼ ଜରିମାନା ଲଗାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି କୌଣସି ପିଲା ଲୁଚିଛପି ବା ମିଛ କହି ଆକାଉଣ୍ଟ ଖୋଲିଦିଏ, ତେବେ ସେଥିପାଇଁ ତାଙ୍କ ବାପା-ମାଆଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ ନାହିଁ କିମ୍ବା ଜରିମାନା ପଡ଼ିବ ନାହିଁ।

ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ କ’ଣ ?
ମାଲେସିଆ ସଞ୍ଚାର ଆୟୋଗ (MCMC) ସ୍ପଷ୍ଟ କରିଛି ଯେ, ସେମାନଙ୍କର ଉଦ୍ଦେଶ୍ୟ ପିଲାମାନଙ୍କୁ ଇଣ୍ଟରନେଟ୍ ବ୍ୟବହାର କରିବାରୁ ରୋକିବା ନୁହେଁ। ପିଲାମାନଙ୍କୁ ସେମାନଙ୍କ ବୟସ ଅନୁସାରେ ଅନୁପଯୁକ୍ତ ଏବଂ ବିପଦଜନକ ବିଷୟବସ୍ତୁ (Content) ଠାରୁ ଦୂରେଇ ରଖିବା, ଇଣ୍ଟରନେଟ୍‌ରେ ବଢ଼ୁଥିବା ସାଇବର ବୁଲିଙ୍ଗ୍ ଏବଂ ବ୍ଲାକମେଲିଂ ଉପରେ ସମ୍ପୂର୍ଣ୍ଣ ଲଗାମ ଲଗାଇବା ଏବଂ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ସହ ସୋସିଆଲ ମିଡିଆ ଆଡିକ୍ସନକୁ ସମାପ୍ତ କରିବା ଭଳି ତିନୋଟି ମୁଖ୍ୟ ଲକ୍ଷ୍ୟ ରଖିଛନ୍ତି ମାଲେସିଆ ସରକାର ।

ସେପଟେ ଏହି ବ୍ୟାନକୁ ନେଇ ଚିନ୍ତା ପ୍ରକାଶ କରିଛି ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମାଲିକାନା ସଂସ୍ଥା 'ମେଟା'। ମେଟାର କହିବା ଅନୁଯାୟୀ, ଯଦି ପିଲାମାନଙ୍କୁ ହଠାତ୍ ମୁଖ୍ୟ ସ୍ରୋତର ସୁରକ୍ଷିତ ଆପ୍‌ରୁ ବାହାର କରିଦିଆଯାଏ, ତେବେ ସେମାନେ ଇଣ୍ଟରନେଟ୍‌ର ଅନ୍ଧାର ଦୁନିଆ ଅର୍ଥାତ୍ 'ଡାର୍କ ୱେବ୍' (Dark Web) କିମ୍ବା ଅନିୟନ୍ତ୍ରିତ ୱେବସାଇଟ୍ ଆଡ଼କୁ ଆକର୍ଷିତ ହୋଇପାରନ୍ତି, ଯାହା ଆହୁରି ଅଧିକ ବିପଦଜନକ ହେବ।

ଅନ୍ୟ କେଉଁ କେଉଁ ଦେଶରେ ରହିଛି ପ୍ରତିବନ୍ଧକ ?
ମାଲେସିଆ ବିଶ୍ୱରେ ଏଭଳି ପଦକ୍ଷେପ ନେବାରେ ପ୍ରଥମ ଦେଶ ନୁହେଁ। ପିଲାଙ୍କ ସୁରକ୍ଷା ପାଇଁ ଅନେକ ଦେଶ ପୂର୍ବରୁ ଆଇନ ଆଣିଛନ୍ତି ଏବଂ କେତେକ ଦେଶ ଏହି ଦିଗରେ କାର୍ଯ୍ୟ କରୁଛନ୍ତି । ଅଷ୍ଟ୍ରେଲିଆ, ବ୍ରାଜିଲ, ଇଣ୍ଡୋନେସିଆ ଭଳି ଦେଶ ପୂର୍ବରୁ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଡ଼ା କଟକଣା ଓ ଆଇନ ଲାଗୁ କରିସାରିଛନ୍ତି। ବ୍ରିଟେନ୍, ଫ୍ରାନ୍ସ, ସ୍ପେନ୍, ଦକ୍ଷିଣ କୋରିଆ ଭଳି  ବିକଶିତ ଦେଶଗୁଡ଼ିକରେ ମଧ୍ୟ ବର୍ତ୍ତମାନ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ କରିବା ଦିଗରେ  ଚର୍ଚ୍ଚା ହେଉଛି । ଖୁବ୍ ଶୀଘ୍ର ସେଠାରେ ସ୍ୱତନ୍ତ୍ର ଆଇନ ପ୍ରଣୟନ ହୋଇପାରେ । ସେହିଭଳି ଡେନମାର୍କର ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆଠାରୁ ସିଗାରେଟ୍‌ ଭଲ ବୋଲି କହିଛନ୍ତି