ଭୁବନେଶ୍ୱର: ରାଜ୍ୟରେ ଅସ୍ଵାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି ମ୍ୟାଲେରିଆ ସଂକ୍ରମଣ। ବିଶେଷ କରି ରାଜ୍ୟର ୭ଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ସଂକ୍ରମଣ ସବୁଠାରୁ ଚିନ୍ତାଜନକ ସ୍ତରରେ ପହଞ୍ଚିଛି। ସାରା ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୨୪ ପ୍ରତିଶତ କେବଳ ମାଲକାନଗିରି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ରଙ୍କ ସୂଚନା ଅନୁଯାୟୀ, ଜୁନ୍ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମ୍ୟାଲେରିଆର 'ପିକ୍ ସିଜିନ୍' ବା ମୁଖ୍ୟ ଋତୁ ହୋଇଥିବାରୁ ଏହି ସମୟରେ ମାମଲା ଅଧିକ ସାମ୍ନାକୁ ଆସିଥାଏ। ମାଲକାନଗିରି ଏକ ବହୁତ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଏଠାରେ ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି। ତେବେ ସେପ୍ଟେମ୍ବର ମାସ ପରେ ପରିସ୍ଥିତିରେ ସୁଧାର ଆସିବ ଏବଂ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବ ବୋଲି ସ୍ୱାସ୍ଥ୍ୟ ବିଭାଗ ଆଶା ପ୍ରକାଶ କରିଛି।

Also Read: କଟକ SCBରେ ଦେଢ଼ କୋଟିର କେଳେଙ୍କାରୀ ଅଭିଯୋଗ, ଅଡିଟ୍ ଟିମ୍ର ଖୋଳତାଡ଼

ଉପାନ୍ତ ଅଞ୍ଚଳରେ ମ୍ୟାଲେରିଆ ବ୍ୟାପିବାକୁ ରୋକିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ପଦକ୍ଷେପ ନିଆଯାଉଛି। ସଂକ୍ରମିତ ଅଞ୍ଚଳଗୁଡ଼ିକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିରନ୍ତର ସ୍ୱେଚ୍ଛାସେବୀ ଓ ବିଶେଷଜ୍ଞ ଡାକ୍ତରୀ ଦଳ ପଠାଯାଉଛି। ଏହାସହ ମ୍ୟାଲେରିଆ ନିରାକରଣ ପାଇଁ 'ଦମନ୍' ଭଳି ସ୍ୱେଚ୍ଛାସେବୀ ଓ ଜନସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ନିରନ୍ତର ଚାଲୁରହିଛି।

ସଂକ୍ରମଣରୁ ବଞ୍ଚିବା ପାଇଁ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଔଷଧଯୁକ୍ତ ମସାରୀ ବଣ୍ଟନ କରାଯାଇଛି। ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ଲୋକଙ୍କୁ ସଚେତନ ରହିବାକୁ ଏବଂ ଜ୍ୱର ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି।