ନୂଆଦିଲ୍ଲୀ ୭।୩: ଦିଲ୍ଲୀରେ ଅନୁଷ୍ଠିତ ଏଆଇ ଇମ୍ପାକ୍ଟ ସମ୍ମିଟ କାଳରେ ହୋଇଥିବା ବିବାଦୀୟ ବିରୋଧ ପ୍ରଦର୍ଶନ ସମ୍ପର୍କିତ ମାମଲାରେ ବଡ଼ ଅପଡେଟ୍ ଆସିଛି। ପଟିୟାଲା ହାଉସ୍ କୋର୍ଟ ଏହି ମାମଲାର ଅଭିଯୁକ୍ତ ଛାତ୍ର କଂଗ୍ରେସ ନେତା ସିଦ୍ଧାର୍ଥ ଅବଧୂତଙ୍କୁ ଜେଲରୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। କୋର୍ଟ ମାର୍ଚ୍ଚ ୫ ତାରିଖରେ ସିଦ୍ଧାର୍ଥଙ୍କୁ ଜାମିନ ମଞ୍ଜୁର କରିଥିଲେ। ଏହା ପରେ ଏବେ ତାଙ୍କର ମୁକ୍ତି ପ୍ରକ୍ରିୟା ପୁରା କରାଯାଇଛି। ସିଦ୍ଧାର୍ଥଙ୍କୁ ହିମାଚଳ ପ୍ରଦେଶର ଶିମଲାସ୍ଥିତ ଏକ ରିସୋର୍ଟରୁ ଗିରଫ କରାଯାଇଥିଲା।

ଦିଲ୍ଲୀ ପୋଲିସ ଅନୁସାରେ ଜାତୀୟ ରାଜଧାନୀରେ ଅନୁଷ୍ଠିତ ଏଆଇ ଇମ୍ପାକ୍ଟ ସମ୍ମିଟରେ ବିରୋଧ ପ୍ରଦର୍ଶନ କରିବାକୁ ଆନ୍ଦୋଳନକାରୀ ବ୍ୟବହାର କରିଥିବା ଟି-ସାର୍ଟ ଡିଜାଇନ ଓ ପ୍ରିଣ୍ଟିଂରେ ସିଦ୍ଧାର୍ଥଙ୍କର ହାତ ଥିଲା। ଏହି ସମ୍ମିଳନୀରେ ଏନଏସୟୁଆଇ କାର୍ଯ୍ୟକର୍ତ୍ତାମାନେ ଅଚାନକ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ କାଳରେ କାର୍ଯ୍ୟକର୍ତ୍ତାମାନେ ଟି-ସାର୍ଟ ଖୋଲି ମଞ୍ଚ ସମ୍ମୁଖରେ ନଗ୍ନ ବିରୋଧ କରିଥିଲେ, ଫଳରେ କାର୍ଯ୍ୟକ୍ରମ ସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ପୋଲିସ ଅନୁସାରେ ଏହି ପ୍ରଦର୍ଶନ ନିମନ୍ତେ ବିକ୍ଷୋଭକାରୀ ପିନ୍ଧିଥିବା ଟି-ସାର୍ଟକୁ ଖାସ ବାର୍ତ୍ତା ସହିତ ପ୍ରସ୍ତୁତ କରାଯାଇଥିଲା।

ତଦନ୍ତରୁ ଜଣାପଡିଛି ଯେ ଏହି ଟି-ସାର୍ଟଗୁଡିକୁ ସିଦ୍ଧାର୍ଥ ଅବଧୂତ ଡିଜାଇନ ଓ ପ୍ରିଣ୍ଟିଂ କରିଥିଲେ। ଏହା ପରେ ଏହି ମାମଲାରେ ତାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଇଥିଲା।

ଏହି ଘଟଣା ପରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ କହିବା ମୁତାବକ ଏହି ବିରୋଧ ଲାଗି ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ତେବେ ସିଦ୍ଧାର୍ଥ ଅବଧୂତଙ୍କୁ ଏହି ମାମଲାରେ ଭୁଲ ଉପାୟରେ ଫଶା ଯାଇଥିବା ତାଙ୍କ ଓକିଲ କହିଛନ୍ତି। ତେବେ ମାମଲାରେ ଜାମିନ ମିଳିଯାଇଥିବାରୁ ସିଦ୍ଧାର୍ଥ ଅବଧୂତ ଆଶ୍ୱସ୍ତ ହୋଇଛନ୍ତି। ହେଲେ ମାମଲାରେ ଆଇନଗତ ପ୍ରକ୍ରିୟା ଆଗକୁ ବି ଜାରି ରହିବ। ତଦନ୍ତକାରୀ ସଂସ୍ଥା ଏହି ବିରୋଧ ପ୍ରଦର୍ଶନ ସମ୍ପର୍କିତ ଅନ୍ୟ ଦିଗର ଯାଞ୍ଚ କରୁଛନ୍ତି।