ମୁମ୍ବାଇ : ଶରଦ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ବଡ଼ଧରଣର ଅଦଳବଦଳ ହୋଇଛି। ୪ ଅଗଷ୍ଟ ମଙ୍ଗଳବାର ପାର୍ଟି ମୁଖପାତ୍ର ପଦବୀରେ ହୋଇଥିବା ସମସ୍ତ ନିଯୁକ୍ତିକୁ ବାତିଲ କରିଦିଆଯାଇଛି। ଶରଦ ପାୱାରଙ୍କ ଏନସିପିରେ ଏବେ କେବଳ ୨ ଜଣ ମୁଖପାତ୍ରଙ୍କୁ ପଦରେ ରଖା ଯାଇଛି। ପାର୍ଟି ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସୂଚନା ଦେଇଥିବା ବେଳେ ପାର୍ଟିର ଏହି ନିଷ୍ପତ୍ତିକୁ ମହାରାଷ୍ଟ୍ର ୟୁନିଟ୍ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଶଶିକାନ୍ତ ସିନ୍ଦେ ମଞ୍ଜୁରି ଦେଇଛନ୍ତି।

ଏହି ନିଷ୍ପତ୍ତି ଅନୁସାରେ ପୂର୍ବତନ ବିଧାୟକ ବିଦ୍ୟା ଚୌହାନ ଓ ମହେଶ ତାପସେ ପାର୍ଟିର ଅଧିକୃତ ମୁଖପାତ୍ର ଭାବେ ଗଣମାଧ୍ୟମ ଆଗରେ ପାର୍ଟିର ଅଧିକାରୀକ ପକ୍ଷ ରଖିବେ। ଏହି ପରିବର୍ତ୍ତନ ପାର୍ଟି ମଧ୍ୟରେ ଚାଲିଥିବା ରାଜନୈତିକ ଗତିବିଦ୍ଧି ମଧ୍ୟରେ ହୋଇଛି। ଏଥିରେ ଭବିଷ୍ୟତର ରଣନୀତି ଓ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରସଙ୍ଗରେ ଆନ୍ତରିକ ମତପାର୍ଥକ୍ୟର ଆକଳନ କରାଯାଉଛି। ପାର୍ଟିର ପୂର୍ବତନ ମୁଖପାତ୍ର ବିକାଶ ଲମ୍ବାଡେ ଏହି ନିଷ୍ପତ୍ତିକୁ ସ୍ୱୀକାର କରି କହିଛନ୍ତି ଯେ ସେ ପାର୍ଟି ଓ ବିଚାରଧାରା ପ୍ରତି ସଂକଳ୍ପବଦ୍ଧ।

ଲମ୍ବାଡେ ୨୦୧୫ ମସିହାରୁ ପାର୍ଟି ମୁଖପାତ୍ର ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏଥି ପାଇଁ ପାର୍ଟି ତାଙ୍କୁ ସୁଯୋଗ ଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ ସଙ୍ଗଠନକୁ ମଜଭୁତ କରିବା ଓ ଏହାର ଗଣତାନ୍ତ୍ରିକ, ପ୍ରଗତିଶୀଳ ଓ ଧର୍ମନୀରପେକ୍ଷ ଆଦର୍ଶ କାୟମ ରଖିବା ପାଇଁ ସେ ତାଙ୍କ କର୍ତ୍ତବ୍ୟ ପାଳନ କରି ଚାଲିବେ। ସେହିପରି ଜାତୀୟ ମୁଖପାତ୍ର ଅନିଶ ଗୱାଣ୍ଡେ ତାଙ୍କ ୨ ବର୍ଷର କାର୍ଯ୍ୟକାଳକୁ ମନେ ପକାଇ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି। ତାଙ୍କୁ ଏହି ଭୂମିକା ଦିଆଯାଇଥିବାରୁ ଶରଦ ପାୱାର ଓ ସାଂସଦ ସୁପ୍ରିୟା ସୁଲେଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।