ଭୁବନେଶ୍ବର: ରାଜ୍ୟରେ ବଦଳିବ ଘର ଭଡ଼ା ନିୟମ। କାରଣ ରାଜ୍ୟ ସରକାର ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଡ୍ରାଫ୍ଟ ପ୍ରକାଶ କରିଛନ୍ତି। କେନ୍ଦ୍ରର ମଡେଲ ଟେନାନ୍ସି ଆକ୍ଟକୁ ଆଧାର କରି ପ୍ରସ୍ତୁତ ଏହା ପ୍ରସ୍ତୁତ କରାଯାଇଥିବା ବେଳେ, ଏଥିରେ ଘରମାଲିକ ଓ ଭଡ଼ାଟିଆଙ୍କ ଅଧିକାର, ଦାୟିତ୍ୱ ଓ ବିବାଦ ସମାଧାନ ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି।

ଭଡ଼ା ଚୁକ୍ତି ଲିଖିତ କରିବାକୁ ବାଧ୍ୟ, ଡିଜିଟାଲ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା କରାଯିବ

ଡ୍ରାଫ୍ଟ ଅନୁସାରରେ, ଏଣିକି ଆଉ ମୌଖିକ ଭାବରେ ଘର ଭଡ଼ା ଦେବା କିମ୍ବା ନେବା ହେବ ନାହିଁ। ଏଥିପାଇଁ ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଲିଖିତ ଚୁକ୍ତିନାମା କରିବା ବାଧ୍ୟତାମୂଳକ ହେବ। ଖାଲି ସେତିକି ନୁହେଁ ଏହି ଚୁକ୍ତିକୁ ପ୍ରତି ଦୁଇମାସ ମଧ୍ୟରେ ଭଡ଼ା ପ୍ରାଧିକରଣ ଓ ସ୍ଥାନୀୟ ଥାନାରେ ପଞ୍ଜୀକରଣ କରିବାକୁ ପଡ଼ିବ। ସେହିଭଳି ସରକାର ଏକ ଅନଲାଇନ୍ ପୋର୍ଟାଲ୍ ଖୋଲିବେ, ଯେଉଁଠାରେ ସମସ୍ତ ଭଡ଼ା ଚୁକ୍ତି ପଞ୍ଜୀକୃତ ହେବ।

Also Read: ପରାମର୍ଶ ଦେଲେ, ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ! ଶସ୍ତା କଣ୍ଟେଣ୍ଟରୁ ଦୂରେଇ ରୁହ, ଦେଶକୁ ଅସମ୍ମାନ କରିବା ଗ୍ରହଣୀୟ ନୁହେଁ

ସେହିଭଳି ଡ୍ରାଫ୍ଟରେ ଘର ଭଡ଼ା ନେଇ ମଧ୍ୟ ଅନେକ ବିଷୟକୁ ଗୁରୁତ୍ବ ଦିଆଯାଇଛି। ଏହା ଅନୁସାରେ, ଘରଭଡ଼ା ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ପାରସ୍ପରିକ ସହମତିରେ ସ୍ଥିର ହେବ। ଭଡ଼ା ନିର୍ଦ୍ଧାରଣ ପାଇଁ ସରକାର କୌଣସି ସୀମା ଧାର୍ଯ୍ୟ କରିବେ ନାହିଁ। ସେହିଭଳି ଚୁକ୍ତିରେ ଉଲ୍ଲେଖ ଥିଲେ ଘରମାଲିକ ଭଡ଼ା ବଢ଼ାଇପାରିବେ। ଘରର ଉନ୍ନତିକରଣ, ନୂଆ ନିର୍ମାଣ କିମ୍ବା ଗଠନମୂଳକ ପରିବର୍ତ୍ତନ ପରେ ମଧ୍ୟ ଭଡ଼ା ବୃଦ୍ଧିର ବ୍ୟବସ୍ଥା ରହିଛି। ତେବେ କେଉଁ କାମ ଘରମାଲିକ କରିବେ ଏବଂ କେଉଁ କାମ ଭଡ଼ାଟିଆ କରିବେ, ସେନେଇ ସ୍ପଷ୍ଟ ନିୟମ ରହିଛି। ଯାହା ମରାମତିକୁ କେନ୍ଦ୍ର କରି ହେଉଥିବା ବିବାଦକୁ କମାଇବ। ଆହୁରି ମଧ୍ୟ ଘରମାଲିକଙ୍କୁ ଭଡ଼ା ନେବା ପରେ ଭଡ଼ାଟିଆଙ୍କୁ ରସିଦ ପ୍ରଦାନ କରିବାକୁ ହେବ। ଏହା ଭଡ଼ା ଦେୟକୁ ନେଇ ଭବିଷ୍ୟତ ବିବାଦ ଏଡ଼ାଇବ।

ଅନ୍ୟାନ୍ୟ ନିୟମ

  • ଆଇନରେ ଘରମାଲିକ ଓ ଭଡ଼ାଟିଆଙ୍କ ପକ୍ଷର ଅଧିକାର ସ୍ପଷ୍ଟ
  • ଉପଭଡ଼ା ଉପରେ କଡ଼ା କଟକଣା
  • ସିକ୍ୟୁରିଟି ଡିପୋଜିଟ୍ ପାଇଁ ବ୍ୟବସ୍ଥା
  • ଭଡ଼ା ପ୍ରାଧିକରଣ ଗଠନ ହେବ
  • ଗଠନ ହେବ ଭଡ଼ା ନ୍ୟାୟାଳୟ ଓ ନ୍ୟାୟାଧିକରଣ
  • ଘର ଖାଲି ନକଲେ ବଢ଼ିବ ଭଡ଼ା
  • ଉତ୍ତରାଧିକାରୀଙ୍କ ଅଧିକାର ସୁରକ୍ଷିତ
  • ୧୯୬୭ର ପୁରୁଣା ଆଇନ ରଦ୍ଦ