ତିରୁଅନନ୍ତପୁରମ: କେରଳ ରାଜଧାନୀ ତିରୁଅନନ୍ତପୁରମ ନିକଟସ୍ଥ ୱେମବାୟମ ହ୍ୟାପିଲ୍ୟାଣ୍ଡ ଆମ୍ୟୁଜମେଣ୍ଟ ପାର୍କରେ ଗୁରୁବାର ଅଘଟଣ ଘଟିଛି। ଏହି ପାର୍କରେ ପରିଦର୍ଶକଙ୍କ ମନୋରଞ୍ଜନ କରୁଥିବା ଜାଏଣ୍ଟ ହ୍ୱିଲ ଭାଙ୍ଗି ପଡିଛି। ଫଳରେ ୨ ଜଣ ପିଲାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ପୋଲିସ ଅନୁସାରେ ଏହି ଦୁର୍ଘଟଣା ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ହୋଇଛି। ଏବେ ଗ୍ରୀଷ୍ମବକାସ ଥିବା ବେଳେ ବିଦ୍ୟାଳୟ ଛୁଟି ଯୋଗୁ ପାର୍କରେ ଲୋକଙ୍କ ଗହଳିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ୱେଞ୍ଜାରାମୁଡୁ ପୋଲିସ ଥାନା ମାମଲାର ତଦନ୍ତ ଆରମ୍ଭ କରିଛି।

କୁହାଯାଉଛି ଜାଏଣ୍ଟ ହ୍ୱିଲ ସଞ୍ଚାଳନ କାଳରେ ଅଚାନକ ଲୁହାକୁ ସପୋର୍ଟ ଦେଉଥିବା ଅଂଶଟି ଭାଙ୍ଗିପଡିଥିଲା। ଫଳରେ ଏଥିରେ ବସିଥିବା ଲୋକେ ତଳକୁ ଖସିପଡିଥିଲେ। ଏଥି ଯୋଗୁ ମନୋରଥୀ (୫୪), ସୀମାନୀ(୪୯), ଶ୍ୟାମ ଡାନିୟଲ (୧୪) ଓ ରୋଜ (୧୬) ଆହତ ହୋଇଛନ୍ତି। ସମସ୍ତ ଆହତ ତାମିଲନାଡୁ ନାଗରକୋଏଲରୁ ଭ୍ରମଣରେ ଆସିଥିବା ପର୍ଯ୍ୟଟକ ବୋଲି ଜଣାପଡିଛନ୍ତି। ଦୁର୍ଘଟଣା ପରେ ପରେ କେରଳ ପୋଲିସ, ଦମକଳ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା।

ପୋଲିସ ଅନୁସାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ତିରୁଅନନ୍ତପୁରମର ସରକାରୀ ମେଡିକାଲ କଲେଜ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ବାକି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏଥିରୁ କିଛି ଲୋକଙ୍କ ଫ୍ୟାକ୍ଚର ହୋଇଥିବା ବେଳେ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ଏବେ ସ୍କୁଲ ଛୁଟି କାରଣରୁ ପାର୍କରେ ଭିଡ ଜମୁଛି। ଏଣୁ ଏହି ଦୁର୍ଘଟଣା ଆହୁରି ଭୟଙ୍କର ରୂପ ଧାରଣ କରିଥାନ୍ତା। ହେଲେ ସଠିକ ସମୟରେ ରିଲିଫ ଓ ଉଦ୍ଧାରକାରୀ ଦଳ ପହଞ୍ଚିଯିବାରୁ ବଡ଼ ବିପଦ ଟଳି ଯାଇଛି। ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପାର୍କରେ ଲାଗିଥିବା ଝୁଲା ଓ ଅନ୍ୟ ଉପକରଣର ନିୟମିତ ମେଣ୍ଟେନାନ୍ସ ହେଉଥିଲା କି ନା ସେ ନେଇ ଅଧିକାରୀ ଏବେ ତଦନ୍ତ କରୁଛନ୍ତି।