ମୁମ୍ବାଇ: ମହାରାଷ୍ଟ୍ରରେ ଖାଦ୍ୟ ସୁରକ୍ଷା ଓ ପ୍ରଶାସନ (FDA) ପକ୍ଷରୁ ଚାଲିଥିବା ଅଭିଯାନ ଏକ ନୂଆ ମୋଡ଼ ନେଇଛି। କେବଳ ବେସରକାରୀ ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ସରକାରୀ କ୍ୟାଣ୍ଟିନଗୁଡ଼ିକୁ କାହିଁକି ଛାଡ଼ି ଦିଆଯାଉଛି ବୋଲି ବମ୍ବେ ହାଇକୋର୍ଟ  ପ୍ରଶ୍ନ ଉଠାଇବା ପରେ ଏବେ ହାଇକୋର୍ଟ ପରିସରରେ ଥିବା କ୍ୟାଣ୍ଟିନ୍‌ଗୁଡ଼ିକରେ ଚଢ଼ାଉ କରାଯାଇଛି। ବିଶେଷ କଥା ହେଉଛି, ଯାଞ୍ଚ ସମୟରେ ହାଇକୋର୍ଟର ତିନୋଟିଯାକ କ୍ୟାଣ୍ଟିନରେ ନିୟମ ବ୍ୟତିକ୍ରମ ହୋଇଥିବା ପଦାକୁ ଆସିଛି। 

FDAର ଲାଇସେନ୍ସ ରଦ୍ଦ ନିଷ୍ପତ୍ତିକୁ ବିରୋଧ କରି କିଛି ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି ସମୟରେ ମୁଖ୍ୟ ବିଚାରପତି ରବୀନ୍ଦ୍ର ଘୁଗେ ଏବଂ ବିଚାରପତି ଗୌତମ ଅଙ୍କଦଙ୍କ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ, ‘ନିୟମ କ’ଣ କେବଳ ବେସରକାରୀ ସଂସ୍ଥା ପାଇଁ ?’ କୋର୍ଟ କହିଥିଲେ ଯେ, ହାଇକୋର୍ଟ ଏବଂ ମନ୍ତ୍ରାଳୟ ଭଳି ସରକାରୀ ସଂସ୍ଥାରେ ଥିବା କ୍ୟାଣ୍ଟିନଗୁଡ଼ିକରେ ବିଚାରପତି, ଓକିଲ, ସରକାରୀ କର୍ମଚାରୀ ଓ ସାଧାରଣ ଜନତା ଖାଦ୍ୟ ଖାଇଥାନ୍ତି। ତେଣୁ ଏଠାରେ ମଧ୍ୟ ଖାଦ୍ୟ ସୁରକ୍ଷା ନିୟମ କଡ଼ାକଡ଼ି ଭାବେ ପାଳନ ହେବା ଜରୁରୀ। ଏହାପରେ କୋର୍ଟ ସରକାରୀ ଓ ଅର୍ଦ୍ଧ-ସରକାରୀ କ୍ୟାଣ୍ଟିନଗୁଡ଼ିକର ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ FDAକୁ ନିର୍ଦ୍ଦେଶ ଦେଇଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ ପରେ FDA ଟିମ୍ ବମ୍ବେ ହାଇକୋର୍ଟ ପରିସରରେ ଥିବା ୩ଟି କ୍ୟାଣ୍ଟିନ୍‌ରେ ଯାଞ୍ଚ କରିଥିଲା । ଦୁଇଟି କ୍ୟାଣ୍ଟିନ୍ ପାଖରେ FSSAI (ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ)ର ବୈଧ ଲାଇସେନ୍ସ ନଥିବା ଜଣାପଡ଼ିବା ପରେ ସେଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତୃତୀୟ କ୍ୟାଣ୍ଟିନ୍ ପାଖରେ ଲାଇସେନ୍ସ ଥିଲେ ମଧ୍ୟ ସେଠାରେ ସ୍ୱଚ୍ଛତା ଓ ଅନ୍ୟାନ୍ୟ ନିୟମର ଅଭାବ ଦେଖିବାକୁ ମିଳିଥିଲା । 

FDA କମିଶନରଙ୍କ ସ୍ପଷ୍ଟୀକରଣ
ମହାରାଷ୍ଟ୍ର FDA କମିଶନର ତୁକାରାମ ମୁଣ୍ଢେ କୋର୍ଟଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଖାଦ୍ୟ ସୁରକ୍ଷା ଆଇନ ସମସ୍ତଙ୍କ ପାଇଁ ସମାନ। କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନକୁ ଏଥିରୁ ବାଦ୍‌ ଦିଆଯିବ ନାହିଁ। ହାଇକୋର୍ଟ ପରେ ଏବେ ମନ୍ତ୍ରାଳୟ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଥିବା କ୍ୟାଣ୍ଟିନ୍‌ଗୁଡ଼ିକର ମଧ୍ୟ ଯାଞ୍ଚ କରାଯିବ। ତୁକାରାମ FDA କମିଶନର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।