ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରାୟପୁରର ଏକ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ (PMLA) ଅଦାଲତରେ ଚାର୍ଜସିଟ୍ ଦାଖଲ କରି ଦାବି କରିଛି ଯେ, ବେଆଇନ୍ 'ମହାଦେବ ଅନ୍‌ଲାଇନ୍ ବେଟିଂ ଆପ୍' ଏବଂ ଏହାର ସହଯୋଗୀ ୱେବସାଇଟ୍‌ଗୁଡ଼ିକ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୯୪,୪୦୦ କୋଟି ଟଙ୍କାର ବେଆଇନ୍ ଅର୍ଥ ଆୟ କରିଛନ୍ତି। ଇଡି ନିଜର ଷଷ୍ଠ ଚାର୍ଜସିଟ୍‌ରେ ୪୨ ଜଣ ବ୍ୟକ୍ତି ଓ କମ୍ପାନୀଙ୍କୁ ଅଭିଯୁକ୍ତ ଭାବରେ ଦର୍ଶାଇବା ସହ ସ୍ପଷ୍ଟ କରିଛି ଯେ, ଏହି ଆପ୍‌ଟି ଏବେବି ସକ୍ରିୟ ରହିଛି ଏବଂ ବିପୁଳ ସଂଖ୍ୟାରେ ପ୍ୟାନେଲ୍ ଚଳାଉଛି। ଛତିଶଗଡ଼ର ମୁଖ୍ୟ ପ୍ରବର୍ତ୍ତକଙ୍କ ଦ୍ୱାରା ନିୟନ୍ତ୍ରିତ ଏହି ବେଆଇନ୍ ଆପ୍ ହ୍ୱାଟ୍ସଆପ୍, ଟେଲିଗ୍ରାମ୍ ଏବଂ ଫେସବୁକ୍ ପୃଷ୍ଠା ମାଧ୍ୟମରେ ସହଜରେ ରୋଜଗାରର ପ୍ରଲୋଭନ ଦେଖାଇ ହଜାର ହଜାର ଯୁବକଙ୍କୁ ବେଟିଂ ଜାଲରେ ଫସାଉଛି। 

ଆକଳନ ଅନୁଯାୟୀ, ଗତ ୭ ବର୍ଷ ମଧ୍ୟରେ କେବଳ ମହାଦେବ ଆପ୍‌ରୁ ୭୫,୦୦୦ରୁ ୮୦,୦୦୦ କୋଟି ଟଙ୍କା ଏବଂ ଏହାର ସହଯୋଗୀ ୱେବସାଇଟ୍‌ 'ସ୍କାଏଇଞ୍ଚେଞ୍ଜ' ରୁ ୧୧,୦୦୦ରୁ ୧୨,୦୦୦ କୋଟି ଓ 'ଲୋଟସ୩୬୫' ରୁ ୨,୪୦୦ କୋଟି ଟଙ୍କା ରୋଜଗାର କରାଯାଇଛି।   ଏହି ଆପ୍ ମାଧ୍ୟମରେ କ୍ରିକେଟ, ଫୁଟବଲ, ଟେନିସ୍ ଭଳି ଖେଳ ସମେତ ପୋକର, ତିନ୍ ପତ୍ତି, କାର୍ଡ ଗେମ୍ସ ଏବଂ ଭାରତର ବିଭିନ୍ନ ନିର୍ବାଚନ ଉପରେ ବେଆଇନ୍ ବେଟିଂ କରାଯାଉଥିଲା। ଛତିଶଗଡ଼ର କେତେକ ସ୍ଥାନୀୟ ପୋଲିସ, ଚାକିରିଆ ଏବଂ ରାଜନେତାଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ଲାଞ୍ଚ କାରବାର ଯୋଗୁଁ ଏହି ବେଆଇନ୍ ସାମ୍ରାଜ୍ୟ ନିର୍ବିଘ୍ନରେ ଚାଲିଥିଲା ବୋଲି ଇଡି ଅଦାଲତକୁ ଜଣାଇଛି। 

ଭିଲାଇ, ରାୟପୁର, ଭୋପାଳ ଓ ଦିଲ୍ଲୀର ପ୍ୟାନେଲ୍ ଅପରେଟରମାନେ ଏଥିରୁ ୩.୫ କୋଟିରୁ ୬୦ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ବିବାହ, ଜମିବାଡ଼ି, ସୁନା, ଦାମୀ ଗାଡ଼ି ଓ ଶାଢ଼ୀ କିଣିବାରେ ଖର୍ଚ୍ଚ କରିଛନ୍ତି। ଏହା ବ୍ୟତୀତ ଏହି ବେଟିଂ ଆପର ପ୍ରଚାର କରିଥିବା ଜଣେ ଟିଭି ଆଙ୍କରଙ୍କ ଆକାଉଣ୍ଟରୁ ୧.୫ କୋଟି ଟଙ୍କା ମଧ୍ୟ ବେଆଇନ୍ ଅର୍ଥ ଭାବରେ ଚିହ୍ନଟ କରାଯାଇ ଜବତ କରାଯାଇଛି। ଏପର୍ଯ୍ୟନ୍ତ ଇଡି ଏହି ମାମଲାରେ ୧୪ ଜଣଙ୍କୁ ଗିରଫ କରିବା ସହ ୨,୧୦୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି, ୧୧୬ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି ଏବଂ ଦେଶବ୍ୟାପୀ ୧୯୦ଟି ସ୍ଥାନରେ ଚଢ଼ାଉ କରିଛି।