ନୂଆଦିଲ୍ଲୀ, ୦୪/୦୯: ଭୋଡାଫୋନ୍ର ଖୁବ୍ ଲୋକପ୍ରିୟ ବିଜ୍ଞାପନଗୁଡ଼ିକରେ ହୁଏତ ଏକ କୁକୁର ବିଶ୍ବସ୍ତ ଭାବେ ଏହାର ମାଲିକଙ୍କୁ ସବୁଆଡ଼େ ଅନୁସରଣ କରିଥାଇପାରେ। କିନ୍ତୁ ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କ ସହ ତାହା କରିବ ବୋଲି ଆଶା କରାଯାଇପାରିବନି ବୋଲି ମାଡ୍ରାସ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। ଏକ ପାରିବାରିକ ବିବାଦର ଶୁଣାଣି କରି ଜଷ୍ଟିସ୍ ଜି.ଆର୍ ସ୍ୱାମୀନାଥନ୍ ଏବଂ ଏମ୍.ଡି ସୁମତିଙ୍କ ଖଣ୍ଡପୀଠ କହିଛନ୍ତି, ସ୍ବାମୀ ଚାକିରି ପାଇଁ ଯେଉଁଠିକୁ ଯିବେ ସ୍ତ୍ରୀ ସେଠାକୁ ତାଙ୍କ ପଛେ ପଛେ ଯିବା ବାଧ୍ୟତାମୂଳକ ବୋଲି ଆଶା କରାଯିବା କଥା ନୁହେଁ ।

ଏହି ମାମଲା ଏକ ଦମ୍ପତ୍ତିଙ୍କ ସହ ଜଡ଼ିତ, ଯିଏ କି ପ୍ରାୟ ୧୬ ବର୍ଷ ହେଲା ଅଲଗା ରହୁଥିଲେ । ଉଭୟଙ୍କ ବିବାହ ୧୯୯୨ ମସିହାରେ ହୋଇଥିଲା। ସେମାନଙ୍କର ୪ ପିଲା ଅଛନ୍ତି। ଏବେ ସ୍ବାମୀଙ୍କ ବୟସ ୬୭ ବର୍ଷ। ପୂର୍ବରୁ ସ୍ଵାମୀ ଛାଡ଼ପତ୍ର ଆବେଦନ କରି ପରିବାର ଅଦାଲତକୁ ଯାଇଥିଲେ ହେଁ ତାହା ଖାରଜ ହୋଇଯାଇଥିଲା। ପରେ ସେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସ୍ବାମୀ ଚାକିରି ପାଇଁ ମୁମ୍ବାଇ ଯାଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ କିନ୍ତୁ ସାଙ୍ଗରେ ନେଇ ନ ଥିଲେ । ସ୍ତ୍ରୀଙ୍କ ପରକୀୟା ପ୍ରୀତି ଥିବା ଅଭିଯୋଗ କରି ସ୍ବାମୀ ଛାଡ଼ପତ୍ର ମାଗିଥିଲେ।

Also Read :- ପୁଣି ଲଘୁଚାପ : ଗଭୀର ଅବପାତର ରୂପ ନେବ ! ଖୁବ୍ ଶୀଘ୍ର ଆସିବ ସ୍ପଷ୍ଟ ଚିତ୍ର

ପରିବାର ଅଦାଲତ ରାୟ ଦେଇଥିଲେ ଯେ, ହିନ୍ଦୁ ବିବାହ ଆଇନର ଧାରା ୨୩(୧)(କ) ଅନୁଯାୟୀ ସ୍ତ୍ରୀଙ୍କୁ ସାଙ୍ଗରେ ନ ନେଇ ବ୍ୟକ୍ତି ଜଣକ ନିଜ ଭୁଲରୁ ଅନୁଚିତ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ଯୌନ ସମ୍ପର୍କ ଇଚ୍ଛା ଉପରେ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ କଷ୍ଟକର ହୋଇପାରେ ଏବଂ ସ୍ବାମୀ ଯେଉଁଆଡ଼େ ସ୍ଥାନାନ୍ତର ହେଲେ ବି ତାଙ୍କ ସ୍ତ୍ରୀଙ୍କୁ ସାଙ୍ଗରେ ନେଇଯିବା ତାଙ୍କର ପରମ ଦାୟିତ୍ଵ । ତେବେ ହାଇକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ସ୍ତ୍ରୀଙ୍କୁ ସବୁବେଳେ ସାଙ୍ଗରେ ନେଇଯିବା ସମ୍ଭବ ହୋଇ ନ ପାରେ। ପରିବାର ଅଦାଲତଙ୍କ ଯୁକ୍ତିକୁ ବିରୋଧ କରି ଖଣ୍ଡପୀଠ କହିଛନ୍ତି, କଠୋରପନ୍ଥୀ ନାରୀବାଦୀମାନେ ନିମ୍ନ ଅଦାଲତଙ୍କ ଏହି ଆଭିମୁଖ୍ୟକୁ ପ୍ରଶଂସା କରିପାରନ୍ତି କିନ୍ତୁ ହାଇକୋର୍ଟ ଏଥିରେ ମୋହର ମାରିପାରିବେ ନାହିଁ । ଅନ୍ୟପକ୍ଷରେ ହାଇକୋର୍ଟ ସ୍ତ୍ରୀଙ୍କ ଅନ୍ୟ କାହା ସହ ସମ୍ପର୍କ ଥିବା ଅଭିଯୋଗକୁ ମଧ୍ୟ ଗ୍ରହଣ କରି ନ ଥିଲେ।

ହାଇକୋର୍ଟ କହିଛନ୍ତି, ଏହି ଦମ୍ପତ୍ତିଙ୍କ ମଧ୍ୟରେ ବେଶ୍ ତିକ୍ତତା ଆସିଯାଇଛି ଏବଂ ସେମାନେ ଏକାଠି ରହିବାର ସମ୍ଭାବନା ଆଉ ନାହିଁ । ଦୀର୍ଘ ଦିନ ହେଲା ଅଲଗା ରହିବା କାରଣରୁ ସମ୍ପର୍କ ପ୍ରାୟ ଶେଷ ହୋଇଯାଇଛି କହି ପରିବାର ଅଦାଲତଙ୍କ ରାୟକୁ ଖଣ୍ଡପୀଠ ପଲଟାଇ ଦେଇଛନ୍ତି ଏବଂ ଛାଡ଼ପତ୍ର ଆବେଦନକୁ ମଞ୍ଜୁର କରିଛନ୍ତି। ତେବେ ସ୍ତ୍ରୀଙ୍କୁ ୭ ଲକ୍ଷ ଟଙ୍କାର ଭରଣପୋଷଣ ଭତ୍ତା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।