• ଯଦି ‘ହାଉସ୍ ୱାଇଫ’ (ଗୃହିଣୀ) ହୋଇ ପାରନ୍ତି, ତେବେ ‘ହାଉସ୍ ହଜବେଣ୍ଡ’ ମଧ୍ୟ ରହିବା ଦରକାର
  • କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ‘ହାଉସ୍ ହଜବେଣ୍ଡ’ ଅବଧାରଣାକୁ ଏବେ ଏକ ସାଧାରଣ କଥା ଭାବିବା ଦରକାର
  • ଏହା ଦ୍ୱାରା ବିବାହ ଓ ପରିବାର ସଂସ୍ଥାକୁ ବଞ୍ଚାଇ ରଖିବାକୁ ସହାୟତା ମିଳିବ

ଚେନ୍ନାଇ: ମାଡ୍ରାସ୍ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ଜନୈକ ଡାକ୍ତର ଦମ୍ପତ୍ତିଙ୍କ ବିବାହକୁ ପାରସ୍ପରିକ ସହମତିରେ ସମାପ୍ତ କରି ସମାଜରେ ‘ଲୈଙ୍ଗିକ’ ଭୂମିକାକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ‘ହାଉସ୍ ହଜବେଣ୍ଡ’ ଅବଧାରଣାକୁ ଏବେ ଏକ ସାଧାରଣ କଥା ଭାବିବା ଦରକାର। କୋର୍ଟ ଗୁରୁତ୍ୱ ଦେଇ କହିଛନ୍ତି ଯେ ‘ଘର ଓ ପରିବାରର ଦେଖାଶୁଣା କରୁଥିବା ବ୍ୟକ୍ତି, ତେଣିକି ସେ ମହିଳା ହୁଅନ୍ତୁ କି ପୁରୁଷଙ୍କ କାମର ଏକ ବଡ଼ ଆର୍ଥିକ ମୂଲ୍ୟ ଥାଏ’। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜି.ଆର.ସ୍ୱାମୀନାଥନ ଓ ଜଷ୍ଟିସ୍ ଏମ.ଡି.ସୁମତୀଙ୍କ ପୀଠ ଏହି ରାୟ ଦେଇଛନ୍ତି।

ଜାଣନ୍ତୁ ମାମଲା କ’ଣ?
ଏହା ପୁଡୁଚେରୀରେ କାର୍ଯ୍ୟରତ ଏକ ଡାକ୍ତର ଦମ୍ପତ୍ତିଙ୍କ ମାମଲା। ଏମାନେ ୨୦୧୧ ମସିହାରେ ବିବାହ କରିଥିଲେ। ବିବାହ ପରେ ଯେତେବେଳେ ସ୍ୱାମୀ ଉଚ୍ଚ ଚିକିତ୍ସା ଶିକ୍ଷା (ଏମଡି ଓ ଡିଏମ କାର୍ଡିୟୋଲୋଜି) ପୁରା କରୁଥିଲେ ସେତେବେଳେ ପତ୍ନୀ ତାଙ୍କ କ୍ୟାରିୟରକୁ ପଛରେ ପକେଇ ପିଲା ଓ ପରିବାରର ସବୁ ଦାୟିତ୍ୱ ବହନ କରିଥିଲେ। ତେବେ ପତି ବୃତ୍ତିରେ ସଫଳତା ହାସଲ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଗଭୀର ହୋଇଥିଲା ଓ ସେମାନେ ଗତ ୫ ବର୍ଷରୁ ଅଧିକ କାଳ ଧରି ପରସ୍ପରଠାରୁ ପୃଥକ ରହୁଥିଲେ।

ହୋମ ମେକର ଶବ୍ଦ ‘ଜେଣ୍ଡର-ନ୍ୟୁଟ୍ରଲ’
ମାମଲାର ଶୁଣାଣି କରି ହାଇକୋର୍ଟ ପୁରୁଷ ପ୍ରାଧାନ୍ୟ ଓ ପରିବାରରେ ଘରୋଇ ଦାୟିତ୍ୱର ଗୁରୁତ୍ୱ ଉପରେ ଚର୍ଚ୍ଚା କରିଥିଲେ। ଏଥିରେ କୋର୍ଟ ଦେଖିବାକୁ ପାଇଲେ ଯେ ପତି ତାଙ୍କ ପାଠ ପଢା କାଳରେ ପାରିବାରିକ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସହଜ ଥିଲେ, ହେଲେ ପେଷାରେ ସଫଳ ହେବା ପରେ ତାଙ୍କ ଠାରେ ପୁରୁଷ ଅହଂକାର ଭରି ଯାଇଥିଲା। ଯେଉଁ ବ୍ୟବସ୍ଥା ଏକ ଦଶନ୍ଧୀ ଧରି ଠିକ୍ ଠାକ୍ ଚାଲିଥିଲା ପରେ ତାକୁ ଅସ୍ୱୀକାର କରି ଦିଆଗଲା।

ପୀଠ କହିଛନ୍ତି ଯେ ଯଦି ‘ହାଉସ୍ ୱାଇଫ’ (ଗୃହିଣୀ) ହୋଇ ପାରନ୍ତି, ତେବେ ‘ହାଉସ୍ ହଜବେଣ୍ଡ’ ମଧ୍ୟ ରହିବା ଦରକାର । ଏହାକୁ ଏବେ ଏକ ନୂଆ ସାଧାରଣ କଥା ହେବାକୁ ଦିଅନ୍ତୁ। ଏହା ଦ୍ୱାରା ବିବାହ ଓ ପରିବାର ସଂସ୍ଥାକୁ ବଞ୍ଚାଇ ରଖିବାକୁ ସହାୟତା ମିଳିବ। ଅକ୍ସଫର୍ଡ ଡିକ୍ସିନାରୀ ଓ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟର ଉଦାହରଣ ଦେଇ ପୀଠ କହିଛନ୍ତି ଯେ ‘ହୋମ ମେକର’ (ଗୃହସ୍ଥ) ଶବ୍ଦ କୌଣସି ଏକ ଜେଣ୍ଡର ମଧ୍ୟରେ ସୀମିତ ନାହିଁ। ପରିବାରର ଦେଖାଶୁଣାରେ କଟିଥିବା ସମୟ ଓ ତ୍ୟାଗ ଅତ୍ୟନ୍ତ ମୂଲ୍ୟବାନ। କାରଣ ଯେତେବେଳେ ସ୍ୱାମୀ ନିଜ କ୍ୟାରିୟର ଗଢିବାକୁ ଧ୍ୟାନ ଦେଉଥିଲେ ସେତେବେଳେ ପତ୍ନୀଙ୍କ ବୃତ୍ତିଗତ କ୍ଷମତା ପରିବାର ଲାଗି ସୀମିତ ହୋଇଯାଇଥିଲା।

ରାୟ ଦେଲେ ହାଇକୋର୍ଟ
କୋର୍ଟ ଏ କଥାକୁ ସ୍ୱୀକାର କରିଛନ୍ତି ଯେ ବିବାହ ଏତେ ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି ଯେ ଏହାକୁ ତୁଲାଇବା ଆଉ ସମ୍ଭବ ନୁହଁ। ଏଣୁ ଫ୍ୟାମିଲି କୋର୍ଟଙ୍କ ପୂର୍ବ ରାୟକୁ ସମାପ୍ତ କରି ହାଇକୋର୍ଟ ହିନ୍ଦୁ ବିବାହ ଅଧିନିୟମ ଧାରା ୧୩-ବି ଅନୁସାରେ ପାରସ୍ପରିକ ସହମତିରେ ସେମାନଙ୍କ ଛାଡପତ୍ରକୁ ମଞ୍ଜୁର କରିବା ସହ ମୋକଦ୍ଦମା ଦୀର୍ଘ ସମୟରୁ ଲମ୍ବିତ ରହିବା କାରଣରୁ ୬ ମାସର କୁଲିଂ-ଅଫ ଅବଧିକୁ କ୍ଷମା କରିଦେଇଛନ୍ତି। କୋର୍ଟ ପତିଙ୍କୁ ପତ୍ନୀ ଓ ପିଲାଙ୍କ ନିମନ୍ତେ ମୋଟ ୨.୫ କୋଟି ଟଙ୍କା ଆର୍ଥିକ କ୍ଷତିପୂରଣ ସର୍ତ୍ତରେ ଛାଡପତ୍ର ଆଦେଶ ଜାରି କରିଛନ୍ତି।

ପତ୍ନୀଙ୍କ ଲାଗି କ୍ଷତିପୂରଣ
ପତିଙ୍କୁ ଆଦେଶ ମିଳିବାର ୩ ମାସ ମଧ୍ୟରେ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧.୫ କୋଟି ଟଙ୍କା ଜମା କରିବାକୁ ପଡିବ।

ପିଲାଙ୍କ ନାମରେ ଫିକ୍ସ ଡିପୋଜିଟ
ସେହିପରି ଆଗାମୀ ବର୍ଷକ ମଧ୍ୟରେ ୨ ନାବାଳକ ପିଲାଙ୍କ ନିମନ୍ତେ ୫୦ ଲକ୍ଷ ଟଙ୍କା ଲେଖାଏଁ ସାବଧି ଜମା (ଫିକ୍ସ ଡିପୋଜିଟ) କରିବାକୁ ପଡିବ।

ସୁଧ ଉଠାଣର ଅଧିକାର
ପତ୍ନୀଙ୍କୁ ପିଲାଙ୍କ ଜମା ରାଶିର ସୁଧ ପ୍ରତି ୬ ମାସରେ ଉଠାଣର ଅଧିକାର ରହିବ। ପିଲା ସାବଳକ ହେଲେ ସେମାନଙ୍କ ମୂଳ ରାଶି ଉଠାଇ ପାରିବେ।

ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ବିବାହ ବିଚ୍ଛେଦ ଡିକ୍ରି ସେତେବେଳେ ଲାଗୁ ମନେ କରାଯିବ ଯେତେବେଳେ ପତି ଏହି ସବୁ ଆର୍ଥିକ ସର୍ତ୍ତ ଓ ଆର୍ଥିକ ଦାୟିତ୍ୱ ସମ୍ପୂର୍ଣ୍ଣ ପାଳନ କରିବେ।