ମୁମ୍ଵାଇ ୨୫।୦୮: ବଲିଉଡର କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲା। ତାଙ୍କ ଜୀବନର ଅନାଲୋଚିତ ଅଧ୍ୟାୟକୁ ବଡ଼ ପରଦାରେ ଉପସ୍ଥାପନ କରିବାକୁ ଯାଉଛନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ। ମଧୁବାଲାଙ୍କ ଜୀବନୀ ଉପରେ ଆଧାରିତ ଏହି ବହୁ ପ୍ରତୀକ୍ଷିତ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ସାରା ଅର୍ଜୁନ। ଭଂସାଲୀ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଲଭ୍ ଆଣ୍ଡ ୱାର୍’ର ଶେଷ ପର୍ଯ୍ୟାୟର ସୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଶେଷ ଗୀତର ସୁଟିଂ ଆସନ୍ତା ସପ୍ତାହରେ ଶେଷ ହେବା ପରେ ସେ ମଧୁବାଲାଙ୍କ ବାୟୋପିକକୁ ସୁଟିଂ ଫ୍ଲୋରକୁ ନେବେ।

ସୂଚନା ଅନୁସାରେ, ଆସନ୍ତା ସେପ୍ଟେମ୍ବରରେ ମୁମ୍ବାଇର ଗୋରେଗାଓଁ ସ୍ଥିତ ରୟାଲ ପାମରେ ଫିଲ୍ମର ସୁଟିଂ ଆରମ୍ଭ ହେବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଜସମିତ କେ. ରିନ୍। ୨୦୨୨ରେ ମୁକ୍ତିଲାଭ କରିଥିବା ‘ଡାର୍ଲିଙ୍ଗ୍ସ’ ପାଇଁ ସେ ବେଶ୍ ପ୍ରଶଂସା ସାଉଁଟିଥିଲେ। ମଧୁବାଲାଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣର ଯୋଜନା ପୂର୍ବରୁ ଥିଲେ ମଧ୍ୟ ବଜେଟ୍ ସମସ୍ୟା କାରଣରୁ ପ୍ରକଳ୍ପଟି ବିଳମ୍ବିତ ହୋଇଥିଲା। ପରେ ସଂଜୟ ଲୀଲା ଭଂସାଲୀ ପ୍ରଯୋଜକ ଭାବେ ଏହି ପ୍ରକଳ୍ପ ସହ ଯୋଡ଼ି ହେବା ପରେ ଏହାର କାମ ପୁଣି ଆଗକୁ ବଢ଼ିଛି।

ଅନ୍ୟପକ୍ଷରେ,ମଧୁବାଲାଙ୍କ ଚରିତ୍ରକୁ ପରଦାରେ ଜୀବନ୍ତ କରିବା ପାଇଁ ସାରା ଅର୍ଜୁନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି। ମଧୁବାଲାଙ୍କ ବ୍ୟକ୍ତିତ୍ୱ, ବ୍ୟବହାର, ଚାଲିଚଳଣ, ଭାବଭଙ୍ଗୀ ଏବଂ ତାଙ୍କ ଜୀବନର ବିଭିନ୍ନ ଦିଗକୁ ବୁଝିବା ଉପରେ ସେ ଗୁରୁତ୍ୱ ଦେଉଛନ୍ତି। ନିର୍ଦ୍ଦେଶକ ଜସମିତ ମଧ୍ୟ ମଧୁବାଲାଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ ସମୟର ପରିବେଶକୁ ଗଭୀର ଭାବେ ବୁଝିବା ପାଇଁ ଗବେଷଣା କରୁଛନ୍ତି। ‘ଧୁରନ୍ଧର’ ଫିଲ୍ମରେ ନଜର ଆସିବାକୁ ଥିବା ସାରା ଅର୍ଜୁନଙ୍କ ପାଇଁ ମଧୁବାଲାଙ୍କ ଭଳି ଏକ କିମ୍ବଦନ୍ତୀ ଚରିତ୍ରରେ ଅଭିନୟ କରିବା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ ହେବ। ତେବେ ତାଙ୍କ ପ୍ରସ୍ତୁତି ଏବଂ ଭଂସାଲୀଙ୍କ ପ୍ରଯୋଜନାରେ ଏହି ବାୟୋପିକ୍ କିପରି ରୂପ ନେବ, ତାହାକୁ ନେଇ ଏବେଠାରୁ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

Also Read- Yash: ଟକ୍ସିକ ଇଭେଣ୍ଟରେ ସାଉଣ୍ଡ ବକ୍ସ ସେଟ୍ଆପ ପଡି ୨ ଛାତ୍ର ଆହତ, ଅଧାରୁ କାର୍ଯ୍ୟକ୍ରମ ବନ୍ଦ କଲେ ୟଶ