ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲୀଗଞ୍ଜ ଅଞ୍ଚଳରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଘଟଣାର ଚାଞ୍ଚଲ୍ୟକର ତଥା ଛାତିଥରା କଥା କହିଛନ୍ତି। ବିଲ୍ଡିଂ ଭିତରେ ଫସି ରହିଥିବା ମହମ୍ମଦ ଆସିଫ୍ ନାମକ ଜଣେ କଳାକାର ନିଜର ଜଳିଯାଇଥିବା ହାତ ଦେଖାଇ କହିଛନ୍ତି ଯେ, ସେଠାରେ ଅବସ୍ଥା ଏତେ ଭୟଙ୍କର ଥିଲା ଯେ ବାହାରକୁ ଆସିବା ପାଇଁ କୌଣସି ରାସ୍ତା ନଥିଲା। ଶେଷରେ ଜୀବନ ବଞ୍ଚାଇବାକୁ ଯାଇ ସେମାନଙ୍କୁ ନିଆଁ ଜଳୁଥିବା କେବୁଲ୍ ତାର ସାହାରାରେ ତଳକୁ ଡେଇଁବାକୁ ପଡ଼ିଥିଲା।

ହଠାତ୍ ମାଡ଼ି ଆସିଲା କଳା ଧୂଆଁ, ବନ୍ଦ ହୋଇଗଲା ରାସ୍ତା

ଆସିଫଙ୍କ କହିବା ଅନୁଯାୟୀ, ସେ ସେହି ବିଲ୍ଡିଂର ଦ୍ୱିତୀୟ ମହଲାରେ ଥିବା ଏକ ଗେମିଂ ଷ୍ଟୁଡିଓରେ 3D ଆର୍ଟିଷ୍ଟ ଭାବେ କାମ କରୁଥିଲେ। ସେଠାରେ ପ୍ରାୟ ୨୫ ରୁ ୩୦ ଜଣ ପ୍ରଫେସନାଲ କାମ କରୁଥିଲେ। ହଠାତ୍ ତାଙ୍କ ସିନିୟର ଆସି କହିଲେ ଯେ ତଳ ମହଲାରେ ନିଆଁ ଲାଗିଯାଇଛି, ତେଣୁ ସିଷ୍ଟମ୍ ବନ୍ଦ କରି ତୁରନ୍ତ ବାହାରକୁ ବାହାରି ପଡ଼। ପ୍ରଥମେ କେହି ଭାବିନଥିଲେ ଯେ ନିଆଁ ଏତେ ଶୀଘ୍ର ମାଡ଼ିଯିବ। କିନ୍ତୁ ସେମାନେ ବାହାରକୁ ଆସିବା ବେଳକୁ ପୂରା କରିଡର କଳା ଧୂଆଁରେ ଗୁରୁମୁରୁ ହୋଇଯାଇଥିଲା ଏବଂ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା।

Also Read: ରସିଆନ୍ ଝିଅଙ୍କ ସହ ବର୍ଥ ଡେ’ ସେଲିବ୍ରେସନର ସ୍ୱପ୍ନ, ମହିଳାଙ୍କ ଅଶ୍ଳୀଳ ଫଟୋ ଆଉ ଭିଡିଓ କରି ତାଙ୍କ ଟଙ୍କାରେ ମଉଜ                                               

କୌଣସି ଜରୁରୀକାଳୀନ ଦ୍ୱାର ନଥିଲା

ଆସିଫ୍ ଅଭିଯୋଗ କରିଛନ୍ତି ଯେ, ସେହି ବହୁତଳ ପ୍ରାସାଦରେ କୌଣସି ଜରୁରୀକାଳୀନ ନିଷ୍କାସନ ଦ୍ୱାର ନଥିଲା। ନିଆଁ ତଳୁ ଉପର ଆଡ଼କୁ ଖୁବ୍ ଜୋରରେ ମାଡ଼ି ଚାଲିଥିଲା। ବାହାରକୁ ବାହାରିବା ସମ୍ଭବ ନହେବାରୁ କିଛି ଲୋକ ବାଥରୁମ୍ ଭିତରେ ଯାଇ ଲୁଚି ଯାଇଥିଲେ ତ ଆଉ କିଛି ଲୋକ ଝରକା କଡ଼କୁ ଚାଲିଯାଇଥିଲେ।

ଜଳୁଥିବା ତାର ଧରି ତଳକୁ ଡେଇଁଲେ

ଜୀବନ ବିକଳରେ ଆସିଫ୍ ଏବଂ ତାଙ୍କର କିଛି ସାଥୀ ବିଲ୍ଡିଂର ପଛ ପଟକୁ ଯାଇ ସେଠାରେ ଝୁଲୁଥିବା ବିଦ୍ୟୁତ ଓ ଇଣ୍ଟରନେଟ୍ କେବୁଲ୍ ତାରକୁ ଧରି ତଳକୁ ଡେଇଁବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳକୁ ସେହି ତାରଗୁଡ଼ିକରେ ମଧ୍ୟ ନିଆଁ ଲାଗି ସାରିଥିଲା। ଜଳୁଥିବା ତାରକୁ ଜାବୁଡ଼ି ଧରି ତଳକୁ ଖସିବା ଯୋଗୁଁ ଆସିଫଙ୍କ ହାତ ଏବଂ ଆଙ୍ଗୁଠି ଗୁଡ଼ିକ ଗୁରୁତର ଭାବେ ଜଯାଇଛି। ସେ କହିଛନ୍ତି ଯେ, କେବଳ ୧୦ ରୁ ୧୧ ଜଣ ଲୋକ ହିଁ କୌଣସି ମତେ ବାହାରକୁ ଆସିପାରିଥିଲେ, ବାକି ସମସ୍ତେ ଭିତରେ ଫସି ରହିଥିଲେ।

Also Read: ‘ମୋ ଆକାଉଣ୍ଟ ଟଙ୍କାରୁ କରିବ ଅନ୍ତିମ ସଂସ୍କାର’, ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କଲେ ଯୁବକ

ପେଟ୍ ଶପରୁ ଲାଗିଥିଲା ନିଆଁ

ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ଏକ ପେଟ୍ ଶପ୍ (ପୋଷା ଜୀବଜନ୍ତୁଙ୍କ ଦୋକାନ) ଏବଂ କ୍ଲିନିକ୍ ଥିଲା। ସେହି ଦୋକାନର ଗୋଦାମ ଗୃହରେ ସର୍ଟ ସର୍କିଟ୍ ଯୋଗୁଁ ପ୍ରଥମେ ନିଆଁ ଲାଗିଥିଲା, ଯେଉଁଠାରେ ପ୍ରଚୁର ପରିମାଣରେ ଡଗ୍ ଫୁଡ୍ (କୁକୁର ଖାଦ୍ୟ) ରଖାଯାଇଥିଲା। ସେଠାରୁ ନିଆଁ ଉଗ୍ର ରୂପ ଧାରଣ କରି ଉପର ମହଲାରେ ଥିବା ଗେମିଂ ଜୋନ୍ ଏବଂ କୋଚିଂ ସେଣ୍ଟର ଆଡ଼କୁ ବ୍ୟାପି ଯାଇଥିଲା। ବର୍ତ୍ତମାନ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।