ଚିତ୍ତୁର: ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀର ଗୁରୁତର ରୋଗ ଏବଂ ପରିବାରର ଅନ୍ଧାର ଭବିଷ୍ୟତ ଚିନ୍ତାରେ ଜଣେ ବ୍ୟକ୍ତି ନିଜ ହାତରେ ସର୍ବନାଶ କରିଦେଇଛି। ପ୍ରଥମେ ନିଜ ସ୍ତ୍ରୀ ଓ ଦୁଇ ନିଷ୍ପାପ ସନ୍ତାନଙ୍କୁ ହତ୍ୟା କରିବା ପରେ ବ୍ୟକ୍ତି ଜଣକ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିବା ପୂର୍ବରୁ ସେ ଘରର ଟିଭି ସ୍କ୍ରିନରେ ଏକ ଆବେଗଭରା ସୁସାଇଡ୍ ନୋଟ୍ ଲେଖି ଯାଇଛନ୍ତି, ଯାହାକୁ ଦେଖିଲେ ଯେ କୌଣସି ଲୋକର ଆଖିରୁ ଲୁହ ବାହାରି ଆସିବ।

କଣ ଥିଲା ପୂରା ଘଟଣା ?

ମିଳିଥିବା ସୂଚନା ମୁତାବକ, ଚିତ୍ତୁର ଅଞ୍ଚଳରେ ରହୁଥିବା ୩୦ ବର୍ଷୀୟ ଦାମୁ ଜଣେ କନ୍ଷ୍ଟ୍ରକସନ ସୁପରଭାଇଜର ଭାବେ କାମ କରୁଥିଲେ। ତାଙ୍କ ପରିବାରରେ ସ୍ତ୍ରୀ ନିର୍ମଳା (୨୫), ପୁଅ ଦିଲୀପ ଓ ଝିଅ ଶ୍ରୀବିଦ୍ୟା ଥିଲେ। ସବୁ କିଛି ଠିକ୍ଠାକ୍ ଚାଲିଥିବା ବେଳେ ହଠାତ ନିର୍ମଳାଙ୍କୁ ମସ୍ତିଷ୍କ ଜନିତ ଏକ ମାରାତ୍ମକ ରୋଗ ହୋଇଥିଲା। ଅନେକ ବଡ଼ ବଡ଼ ଡାକ୍ତରଙ୍କୁ ଦେଖାଇବା ପରେ ମଧ୍ୟ ନିର୍ମଳା ସୁସ୍ଥ ହେବାର କୌଣସି ଆଶା ନଥିବା ଡାକ୍ତରମାନେ ସ୍ପଷ୍ଟ କରିଦେଇଥିଲେ।

Also Read: ଛତିଶଗଡ଼ର ରହସ୍ୟମୟୀ ମୃତ୍ୟୁ ଘଟଣା ଗାଁରେ ଖେଳାଉଛି ଆତଙ୍କ

ସ୍ତ୍ରୀର ଏଭଳି ଯନ୍ତ୍ରଣା ଦାମୁଙ୍କୁ ଭିତରୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲା। ନିଜ ଆଖି ଆଗରେ ସ୍ତ୍ରୀର କଷ୍ଟ ସେ ସହିପାରୁନଥିଲେ। ଅପରପକ୍ଷେ, ସ୍ତ୍ରୀର ମୃତ୍ୟୁ ପରେ ଦୁଇ ଛୋଟ ପିଲାଙ୍କ ଭବିଷ୍ୟତ କଣ ହେବ, ସେହି ଚିନ୍ତା ତାଙ୍କୁ କ୍ରମାଗତ ଘାରୁଥିଲା। ଏହି ମାନସିକ ଚାପ ସହ୍ୟ କରିନପାରି ଶେଷରେ ଦାମୁ ଏକ ସାଂଘାତିକ ପଦକ୍ଷେପ ନେଇଥିଲେ।

ଖାଦ୍ୟରେ ବିଷ ଦେଇ ମାରିଦେଲା

ପୋଲିସର ପ୍ରାଥମିକ ଅନୁସନ୍ଧାନ ଅନୁସାରେ, ଦାମୁ ପ୍ରଥମେ ନିଜ ସ୍ତ୍ରୀ ଏବଂ ଦୁଇ ପିଲାଙ୍କ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ। ସେମାନଙ୍କର ମୃତ୍ୟୁ ହେବା ପରେ ସେ ନିଜେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ସୋମବାର ସକାଳୁ ଘରର କବାଟ ଭିତରପଟୁ ବନ୍ଦ ରହିବା ଏବଂ କୌଣସି ଶବ୍ଦ ନମିଳିବାରୁ ପଡ଼ୋଶୀମାନେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଚାରିଜଣଙ୍କ ଶବ ଉଦ୍ଧାର କରିଛି।

Also Read: ଥାନା ସମ୍ମୁଖରେ ଯୁବକଙ୍କ ଚରମ ନିଷ୍ପତ୍ତି, ଗଛରେ ଗାମୁଛା ଲଗାଇ ଝୁଲିପଡିଲେ

ଟିଭି ସ୍କ୍ରିନରେ ଲେଖିଲା ସୁସାଇଡ୍ ନୋଟ୍

ଘଟଣାସ୍ଥଳରୁ ପୋଲିସକୁ କୌଣସି କାଗଜପତ୍ର ମିଳିନଥିଲା, ବରଂ ଘର ଭିତରେ ଚାଲିଥିବା ଟିଭି ସ୍କ୍ରିନରେ ଦାମୁ ଏକ ସୁସାଇଡ୍ ନୋଟ୍ ଟାଇପ୍ କରି ଛାଡ଼ି ଯାଇଥିଲେ। ସେଥିରେ ସେ ଲେଖିଥିଲେ ଯେ, ଏହି ମୃତ୍ୟୁ ପାଇଁ ଅନ୍ୟ କେହି ଦାୟୀ ନୁହନ୍ତି, ସେ ନିଜ ଇଚ୍ଛାରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ ଓ ଦୁଃଖର କଥା ହେଉଛି, ଦାମୁ ସେହି ସ୍କ୍ରିନରେ ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଏଟିଏମ୍ କାର୍ଡ ନମ୍ବର, ପିନ୍ (PIN) ଏବଂ ମୋବାଇଲ୍ ଡିଟେଲ୍ସ ମଧ୍ୟ ଲେଖିଯାଇଛନ୍ତି। ସେଥିରେ ସେ ଅନୁରୋଧ କରିଛନ୍ତି ଯେ, ତାଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ବାହାର କରି ପରିବାରର ସମସ୍ତ ୪ ଜଣ ସଦସ୍ୟଙ୍କର ଶେଷ ସତ୍କାର ଯେପରି ସଠିକ୍ ଭାବେ କରାଯାଏ।

ପୋଲିସ ଏହି ସମ୍ପର୍କରେ ଏକ ମାମଲା ରୁଜୁ କରି ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।