ଭୁବନେଶ୍ବର ୨୨।୬: ପ୍ରେମ, ପ୍ରତିଶ୍ରୁତି, ଟଙ୍କା, ପ୍ରତାରଣା । ଚର୍ଚ୍ଚାରେ ଡାକ୍ତର ବାବୁଙ୍କ ଡାର୍ଟି ପିକଚର । ରସିଆନ୍ ଝିଅଙ୍କ ଭିତରେ ବର୍ଥ ଡେ’ ସେଲିବ୍ରେସନର ସ୍ୱପ୍ନ ପୂରଣ କରିବାକୁ ମହିଳାଙ୍କୁ ଫସାଇଥିଲେ ଡାକ୍ତର । ମହିଳାଙ୍କୁ ଧୋକା ଦେଇ ଟଙ୍କା ଠକେଇ ଅଭିଯୋଗରେ ବନ୍ଧା ହେଲେ ଡାକ୍ତର ବାବୁ । ଡାକ୍ତର ବାବୁ ଦେଖିବାକୁ ହ୍ୟାଣ୍ଡସମ୍ ଆଉ ଷ୍ଟାଇଲିସ୍ ଲୁକ୍ । ଦେହରୁ ମୁଣ୍ଡ ଯାଏ ବ୍ରାଣ୍ଡେଡ୍ ଜିନିଷ । କିନ୍ତୁ ନିଜ ପଇସାରେ ନୁହେଁ । ମହିଳାଙ୍କୁ ମିଠା କଥା କହି ଫସଇଲେ । ଜଣେ ମହିଳାଙ୍କ ଟଙ୍କାରେ ନିଜକୁ କରୁଥିଲେ ମେଣ୍ଟେନ । ସୋସିଆଲ ମିଡିଆରୁ ଆରମ୍ଭ ହୋଇ ଜେଲ୍ର ଚାରିକାନ୍ଥ ଭିତରେ ସରିଛି ଜଣେ ଡାକ୍ତରଙ୍କ କଳା କାରନାମା । ଜଣେ ମହିଳାଙ୍କୁ ସୋସିଆଲ ମିଡିଆରେ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ପଠାଇବା ସହ ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଲେ । ଅଚେତ ମହିଳାଙ୍କ ଅଶ୍ଳୀଳ ଫଟୋ ଆଉ ଭିଡିଓ ଉତ୍ତୋଳନ କରି ବ୍ଲାକମେଲ୍ କଲେ ଡାକ୍ତର । ଦୁବାଇ ଯାଇ କ୍ରୁଜରେ ରସିଆନ୍ ଯୁବତୀଙ୍କ ଭିତରେ ନିଜର ବର୍ଥ ଡେ’ ପାର୍ଟି ପାଇଁ ଲକ୍ଷାଧିକ ଟଙ୍କା ନେଇଥିଲେ ଡାକ୍ତର ଅବିନାଶ ମହାନ୍ତି ।

ଅଭିଯୁକ୍ତ ଜଣକ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଉସ୍ତା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଥିଲେ ଡାକ୍ତର । ସେତିକି ନୁହେଁ ମହିଳାଙ୍କ ଠାରୁ ୨୫ ଲକ୍ଷ ଟଙ୍କା, ସୁନା ଚେନ, ଲକେଟ, ମୁଦି ଏବଂ ଗୋଲ୍ଡ ବ୍ରେସଲେଟ୍ ସହ ଆଇ ଫୋନ୍ ନେଇଥିଲେ ଡାକ୍ତର । ପରେ ଅନ୍ୟ ଯୁବତୀଙ୍କ ସହ ବିବାହ ସ୍ଥିର କରି ମହିଳାଙ୍କ ଠାରୁ ଦୂରେଇ ଯାଇଥିଲେ । ଏନେଇ ଏୟାରଫିଲ୍ଡ ଥାନାରେ ମହିଳାଙ୍କ ଅଭିଯୋଗ ପରେ ସୋମବାର ଅବିନାଶ ମହାନ୍ତିଙ୍କୁ ଗିରଫ କରିଛି ପୋଲିସ ।

Also Read:- ଗୁପ୍ତେଶ୍ବର ପୀଠକୁ ଯିବାବେଳେ ଗଛରେ ପିଟିହେଲା କାର୍ ; ଜଣଙ୍କର ମୃତ୍ୟୁ, ଦମ୍ପତି ଗୁରୁତର

ଡାକ୍ତରଙ୍କ ସହ ସମ୍ପର୍କରେ ଆସିବା ପରେ ପାଖାପାଖି ୨୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ମହିଳା କେବଳ ଦୁବାଇରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଗଞ୍ଜାମ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଉସ୍ତା ପ୍ରାଥମିକ ଚିକିତ୍ସାଳୟକୁ ଭୁବନେଶ୍ୱରରୁ ମାସିକିଆ ଗ୍ରୋସରି ମଧ୍ୟ ପଠାଉଥିଲେ ମହିଳା । କିନ୍ତୁ ଏତେ ସବୁ ପରେ ମଧ୍ୟ ହଠାତ ଡାକ୍ତରଙ୍କ ବାହାଘର ଠିକ୍ ହୋଇଥିବା ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ । ଇମୋସନାଲି ଆଟାଚ୍ ଥିବାରୁ ଡାକ୍ତରଙ୍କୁ ଅନେକ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ମନି ଗେମ୍ ଖେଳୁଥିବା ଡାକ୍ତର ପୀଡ଼ିତା ମହିଳାଙ୍କ ଠାରୁ ଦୂରେଇବାକୁ ଚେଷ୍ଟା କରିଥିଲେ । ପରେ ମହିଳା ଜଣକ ନିଜ ଟଙ୍କା ମାଗିବାରୁ ତାଙ୍କ ଅଶ୍ଳୀଳ ଫଟୋ ଆଉ ଭିଡିଓ ଭାଇରାଲ କରିବା ପାଇଁ ଧମକ ଦେଇଥିଲେ । ଶେଷରେ ମହିଳା ବାଟ ନପାଇ ଥାନାରେ ଅଭିଯୋଗ କରିଥିଲେ ।