ନୂଆଦିଲ୍ଲୀ: ବଜେଟ ମୂଲ୍ୟରେ ବିମାନ ସେବା ଯୋଗାଉଥିବା ଆମେରିକୀୟ ଏୟାରଲାଇନ କମ୍ପାନି ସ୍ପିରିଟ ଏୟାରଲାଇନ୍ସ ବନ୍ଦ ହୋଇଛି। ଶନିବାର କମ୍ପାନ ପକ୍ଷରୁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି। କମ୍ପାନି କହିଛି, ଜେଟ ଇନ୍ଧନ ଦାମରେ ଅଧିକ ବୃଦ୍ଧି ଯୋଗୁ ବିମାନ ପରିଚାଳନାକୁ ବ୍ୟବସ୍ଥିତ ଭାବରେ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଆଉ ଏହି କ୍ରମରେ କମ୍ପାନି ସବୁ ଉଡ଼ାଣ ରଦ୍ଦ କରିଛି।

ବଡ଼ କଥା ଏହି ଘୋଷଣା ଏଭଳି ଏକ ସମୟରେ ଆସିଛି ଯେତେବେଳେ ବର୍ଷକ ମଧ୍ୟରେ କମ୍ପାନି ଦ୍ବିତୀୟ ଥର ଦେବାଳିଆ ପରସ୍ଥିତିରୁ ବାହାରିବାକୁ ପ୍ରସ୍ତୁତି କରୁଥିଲା। ସେହିଭଳି ହ୍ବାଇଟ ହାଉସରୁ ମଧ୍ୟ ଆର୍ଥିକ ସହାୟତା ପାଇବାରେ ବିଫଳ ହୋଇଛି କମ୍ପାନି। ଆଉ ଏବେ ତେଲ ସଙ୍କଟ ଯୋଗୁ କମ୍ପାନି ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାର ମୂଳ କମ୍ପାନି ସ୍ପିରିଟ ଆଭିଏସନ ହୋଲ୍ଡିଂସ ମଧ୍ୟ ସ୍ପଷ୍ଟ କରିଛି ଯେ, ଏହି ବନ୍ଦ ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି।

ତେବେ ପୂର୍ବରୁ ଥିବା ବୁକିଂକୁ ଅନ୍ୟ କୌଣସି ଏୟାରଲାଇନ୍ସ ସହଯୋଗରେ କାର୍ଯ୍ୟକାରୀ କରାଯିବନାହିଁ। କିନ୍ତୁ ସ୍ପିରିଟ ମାଧ୍ୟମରେ ବୁକ କରାଯାଇଥିବା ଉଡ଼ାଣର ରିଫଣ୍ଡ ଦିଆଯିବ। ସୂଚନାଥାଉକି, କମ୍ପାନି ପ୍ରାୟ ୩୩ ବର୍ଷରୁ ଅଲ୍ଟ୍ରା- ଲୋ- କଷ୍ଟ ମଡେଲରେ ସେବା ଯୋଗାଇ ଆସୁଥିଲା।

Also Read: ସହି ହେଲାନି ଇନ୍ଧନ ଖର୍ଚ୍ଚ, ଦୈନିକ ୧୦୦ ବିମାନ ଉଡ଼ାଣ ହ୍ରାସ କରିବ ଏୟାର ଇଣ୍ଡିଆ

ଇରାନ ଯୁଦ୍ଧ ସାଜିଲା ବୋଝ ଉପରେ ନଳିତା ବିଡ଼ା

ସୂଚନାଥାଉକି, ଇରାନ ଯୁଦ୍ଧ କାରଣରୁ ଇନ୍ଧନ ମୂଲ୍ୟରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଫଳରେ ଏୟାରଲାଇନ୍ସଙ୍କୁ ବର୍ତ୍ତମାନ ଅତିରିକ୍ତ ଆର୍ଥିକ ବୋଝ ପଡ଼ିଛି। ଏମିତିରେ ପୂର୍ବରୁ ଦେବାଳିଆ ପରିସ୍ଥିତିର ସାମ୍ନା କରୁଥିବା ସ୍ପିରିଟ ଏୟାର ପାଇଁ ଏହା ବୋଝ ଉପରେ ନଳିତ ବିଡ଼ା ଭଳି ହୋଇଥିଲା। ଫଳରେ କମ୍ପାନି ବନ୍ଦ ନିଷ୍ପତ୍ତି ନେଇଛି। ସ୍ପିରିଟ ଏୟାରଲାଇନ୍ସର ଅଧ୍ୟକ୍ଷ ଏବଂ ସିଇଓ ଡେଭ ଡେଭିସ କହିଛନ୍ତି କମ୍ପାନି ‘‘ କମ୍ପାନି ବଣ୍ଡ୍ଧାରୀଙ୍କ ସହ ଏକ ପୁନର୍ଗଠନ ଯୋଜନା ଉପରେ ଚୁକ୍ତି କରିଛି। ଏହାଦ୍ବାରା ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ ହେବ।’’

ସେ ଆହୁରି କହିଛନ୍ତି ‘‘ କିଛିଦିନ ହେବ ଇନ୍ଧନ ଦାମରେ ହଠାତ ବୃଦ୍ଧି ଯୋଗୁ, ଆମ ପାଖରେ କମ୍ପାନିକୁ ବ୍ୟବସ୍ଥିତ ଭାବରେ ବନ୍ଦ କରିବା ବ୍ୟତୀତ କୌଣସି ବିକଳ୍ପ ନାହିଁ । ବ୍ୟବସାୟକୁ ସ୍ଥିର ରଖିବା ପାଇଁ କୋଟି କୋଟି ଟଙ୍କାର ନଗଦର ଆବଶ୍ୟକ ଥିଲା। ଯାହା ସ୍ପିରିଟ ପାଖରେ ନାହିଁ କିମ୍ବା ଯୋଗାଡ଼ ମଧ୍ୟ ହୋଇପାରିଲା ନାହିଁ। ଏହା ଖୁବ୍ ନିରାଶାଜନକ ଏବଂ ଏଭଳି ପରିଣାମ ଆମେ ଚାହୁଁନଥିଲୁ।’’

‘ଶେଷ ପ୍ରସ୍ତାବ’

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଏୟାରଲାଇନକୁ ବେଲଆଉଟ ପାଇଁ ଏକ ଅନ୍ତିମ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଏହା ଏକ କାର୍ଯ୍ୟକାରୀ ଚୁକ୍ତି କି ନାହିଁ ତାହା ଉପରେ ସମର୍ଥନ ନିର୍ଭର କରିବ ବୋଲି ସେ ସୂଚିତ କରିଛନ୍ତି।

Also Read: Jet Fuel Price Hike ମହଙ୍ଗା ହେବ ଅନ୍ତର୍ଜାତୀୟ ବିମାନ ଯାତ୍ରା, ଜାଣନ୍ତୁ ATF ଦର ବଢିଲା କେତେ?

ସେପଟେ ପ୍ରତିନ୍ଦ୍ବନ୍ଦ୍ବୀ ଏୟାରଲାଇନ୍ସମାନେ ଅସୁବିଧାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଆମେରିକାନ ଏୟାରଲାଇନ୍ସ ପ୍ରଭାବିତ ହେବାକୁ ଥିବା ମାର୍ଗରେ ରିହାତି ମୂଲ୍ୟରେ ବିମାନ ସେବା ଯୋଗାଉବା ଆରମ୍ଭ କରିଛି। ସେହିଭଳି ୟୁନାଇଟେଡ ଏୟାରଲାଇନ ମଧ୍ୟ ସ୍ପିରିଟ ଏୟାରଲାଇନ୍ସ ସେବା ଯୋଗାଉଥିବା ରୁଟରେ ଡିସ୍କାଉଣ୍ଟ ମୂଲ୍ୟରେ ଏକତରଫା ଟିକେଟ ଉପଲବ୍ଧ କରୁଛି।

ଉଲ୍ଲେଖଯୋଗ୍ୟ, ୧୯୯୨ରେ ସ୍ଥାପିତ ସ୍ପିରିଟ ଏୟାରଲାଇନ୍ସ ଅଲ୍ଟ୍ରା ଲୋ କଷ୍ଟ (ଅତି କମ୍ ଖର୍ଚ୍ଚ) ମଡେଲ ଏବଂ ବିଶିଷ୍ଟ ହଳଦିଆ ବିମାନ ପାଇଁ ପରିଚିତ ହୋଇଥିଲା। ୨୦୨୪ ପର୍ଯ୍ୟନ୍ତ ଏଥିରେ ୧୧ ହଜାରରୁ ଅଧିକ ଲୋକେ କାର୍ଯ୍ୟରତ ଥିଲେ। ଏମିତିରେ ଏହା ବନ୍ଦ ହେବା ବିମାନ କ୍ଷେତ୍ର ପାଇଁ ଏକ ବଡ଼ ଝଟକା।