ନୂଆଦିଲ୍ଲୀ, ୨୮/୦୯ : ପଞ୍ଜାବର ଫଗୱାଡ଼ାସ୍ଥିତ ଲଭଲି ପ୍ରଫେସନାଲ ୟୁନିଭର୍ସିଟି (ଏଲପିୟୁ)ରେ ରବିବାର ଭୀଷଣ ଲଙ୍କାକାଣ୍ଡ ଘଟିଛି। ୟୁନିଭର୍ସିଟି କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯିବାକୁ ନେଇ ସୋସିଆଲ ମିଡିଆରେ ଗୁଜବ ହେବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଶନିବାର ରାତିରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ରବିବାର ହିଂସାତ୍ମକ ରୂପ ନେଇଥିଲା। ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ ସହ ଛାତ୍ରଛାତ୍ରୀଙ୍କର ମୁହାଁମୁହିଁ ହୋଇଥିଲା। କିଛି ଛାତ୍ରଛାତ୍ରୀ ପୁଲିସ ଉପରେ ପଥରମାଡ଼ ସହ ଗାଡି ପୋଡ଼ାଜଳା କରିଥିଲେ। ପୁଲିସ ରବିବାର ରାତିରେ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା। ସେମାନଙ୍କୁ ତଡ଼ିବା ଲାଗି ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଡିଆଇଜି ନବୀନ ସିଙ୍ଗଲା ଏଲପିୟୁ କ୍ୟାମ୍ପସରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ।

Also Read :- ଆତଙ୍କବାଦୀଙ୍କୁ ଛାଡିବୁ ନାହିଁ, ଭାରତ ଆଡ଼କୁ ଆଖି ଉଠାଇଲେ ବରଦାସ୍ତ କରାଯିବନି

ସୂଚନା ମୁତାବକ, ୟୁନିଭର୍ସିଟି କ୍ୟାମ୍ପସ ସ୍ଥିତ ଗାର୍ଲସ ହଷ୍ଟେଲରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯିବା ନେଇ ଖବର ଶନିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏମିତି କି ପୀଡ଼ିତା ଛାତ୍ରୀ ଆତ୍ମହତ୍ୟା କରିଥିବା ନେଇ ମଧ୍ୟ ଗୁଜବ ହୋଇଥିଲା। ଏହାପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇ କ୍ୟାମ୍ପସରେ ଭଙ୍ଗାରୁଜା ସହ ଏକ ସ୍ଥାନରେ ନିଆଁ ଲଗାଇ ଦେଇଥିଲେ। ରବିବାର ସକାଳ ୭ଟାରେ ଦିଲ୍ଲୀ-ଅମୃତସର ଜାତୀୟ ରାଜପଥରେ ଧାରଣା ଦେଇ ଟ୍ରାଫିକ୍ ଜାମ୍ କରିଦେଇଥିଲେ। ପୁଲିସ ଦୁଷ୍କର୍ମ ନେଇ କୌଣସି ମାମଲା ହୋଇ ନ ଥିବା ସେମାନଙ୍କୁ କହିଥିଲା । କିନ୍ତୁ ସେମାନେ ଶୁଣି ନ ଥିଲେ। ଏହାପରେ ବିବାଦ ବଢ଼ିବାକୁ ଦେଖି ପୁଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର୍ କରିଥିଲା।

ଡିଆଇଜି ନବୀନ ସିଙ୍ଗଲାଙ୍କ ଅନୁସାରେ ଏଫଆଇଆର୍ ପରେ ତଦନ୍ତ ଲାଗି ଏସଆଇଟି ବି ଗଠନ ହୋଇଥିଲା। ଏଥିରେ ୫ ଜଣ ଛାତ୍ରଛାତ୍ରୀ ସଦସ୍ୟ ରହିଥିଲେ। ଏହାସତ୍ତ୍ୱେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠି ନ ଥିଲେ। ଏହାକୁ ଦେଖି ପୁଲିସ ୟୁନିଭର୍ସିଟିର ସବୁ ପ୍ରବେଶ ପଥ ସିଲ୍ କରିଦେଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଆହୁରି କ୍ରୋଧାନ୍ବିତ ହୋଇଯାଇଥିଲେ। ସେମାନେ ଗୋଟିଏ ଫାଟକକୁ ଭାଙ୍ଗି ଦେଇଥିଲେ ।

ପରୀକ୍ଷା ବାତିଲ, ୟୁନିଭର୍ସିଟି ବନ୍ଦ

ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ୨୮ରୁ ୧୦ ଦିନ ଯାଏଁ ନିୟମିତ କ୍ଲାସକୁ ସ୍ଥଗିତ ରଖାଯାଇଛି । ଆଗାମୀ ସୂଚନା ଯାଏଁ ପରୀକ୍ଷା ମଧ୍ୟ ହେବ ନାହିଁ । ପରୀକ୍ଷାର ସଂଶୋଧିତ କାର୍ଯ୍ୟସୂଚୀ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ । ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ଚାହିଁଲେ ଘରକୁ ଯାଇପାରିବେ । ଯେଉଁମାନେ ହଷ୍ଟେଲରେ ଅଛନ୍ତି ସେମାନଙ୍କୁ ବାହାରକୁ ନ ବାହାରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।