ଭୁବନେଶ୍ୱର/ଖୋର୍ଦ୍ଧା: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମିକୁ ନେଇ ଆସିଛି ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଖବର । ଶ୍ରୀମନ୍ଦିର ପ୍ରଶାସନ ତଥା ଜଗନ୍ନାଥ ପ୍ରେମୀଙ୍କ ପାଇଁ ଏକ ବଡ଼ ବିଜୟ ସ୍ୱରୂପ, ମହାପ୍ରଭୁଙ୍କ ଖାତାକୁ ଫେରିଆସିଛି ପ୍ରାୟ ୫୭ ଏକର ମୂଲ୍ୟବାନ ଜମି । ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ମାମଲାରେ ଓଡ଼ିଶା ରାଜସ୍ୱ ପର୍ଷଦ ଏକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ରାଜସ୍ୱ ପର୍ଷଦ ବହୁ ପୁରୁଣା ଅର୍ଥାତ୍ ୧୯୬୧ ମସିହାରେ ଦିଆଯାଇଥିବା ଏକ ଲିଜ୍କୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି ।

୩୦୦ କୋଟି ଟଙ୍କାର ଜମି

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ନୂଆସାହି ମୌଜାରେ ଥିବା ମହାପ୍ରଭୁଙ୍କର ଏହି ୫୭ ଏକର ଜମିକୁ ୧୯୬୧ ମସିହାରେ ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଲିଜ୍ରେ ଦିଆଯାଇଥିଲା । ବର୍ତ୍ତମାନର ବଜାର ମୂଲ୍ୟ ଅନୁସାରେ ଏହି ମୂଲ୍ୟବାନ ଜମିର ଆନୁମାନିକ ଦାମ୍ ପ୍ରାୟ ୩୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ବହୁ ବର୍ଷ ଧରି ଏହି ଜମିର ଆଇନଗତ ବିବାଦ ଚାଲିଥିବା ବେଳେ ଏବେ ମହାପ୍ରଭୁଙ୍କ ସପକ୍ଷରେ ବଡ଼ ରାୟ ଆସିଛି ।

ଏଣ୍ଡୋମେଣ୍ଟ ଆକ୍ଟ ୧୯୫୧ର ହୋଇଥିଲା ଖୋଲା ଉଲ୍ଲଂଘନ

ରାଜସ୍ୱ ପର୍ଷଦ ନିଜ ଶୁଣାଣିରେ ସ୍ପଷ୍ଟ କରିଛନ୍ତି ଯେ, ୧୯୬୧ ମସିହାରେ ଏହି ଜମିକୁ ଲିଜ୍ ଦେବା ସମୟରେ ପ୍ରଚଳିତ ହିନ୍ଦୁ ସେବାୟତ ଓ ଦେବୋତ୍ତର ଆଇନ (Endowment Act 1951) ର ନିୟମକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଥିଲା । ଦେବୋତ୍ତର ଜମିର ହସ୍ତାନ୍ତର କିମ୍ବା ଲିଜ୍ ପ୍ରକ୍ରିୟାରେ ଆଇନଗତ ନିୟମ ପାଳନ ହୋଇନଥିବା ସ୍ପଷ୍ଟ ହେବା ପରେ, ରାଜସ୍ୱ ପର୍ଷଦ ଏହି ଲିଜ୍କୁ ବେଆଇନ ଘୋଷଣା କରି ସେହି ସମସ୍ତ ୫୭ ଏକର ଜମିକୁ ପୁଣିଥରେ ଶ୍ରୀ ଜଗନ୍ନାଥଙ୍କ ନାମରେ ନାମଜାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସରକାର ଓ ପ୍ରଶାସନର ଏହି କଡ଼ା ଆଭିମୁଖ୍ୟ ଯୋଗୁଁ ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଜବରଦଖଲ ବା ଲିଜ୍ରେ ଥିବା ମହାପ୍ରଭୁଙ୍କ ଅନ୍ୟ ସମ୍ପତ୍ତି ଗୁଡ଼ିକୁ ମଧ୍ୟ ଉଦ୍ଧାର କରାଯାଇପାରିବ ବୋଲି ଆଶା ସୃଷ୍ଟି ହୋଇଛି ।