ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିକୁ ନେଇ ଆସିଲା ବଡ଼ ଖବର। ଦୀର୍ଘ ବର୍ଷ ଧରି ରାଜସ୍ୱ ରେକର୍ଡରେ ରହିଥିବା ବିବାଦର ଅନ୍ତ ଘଟିଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ୫୨.୨୨୦ ଏକର ଜମିର ରେକର୍ଡ ସଂଶୋଧନ ହୋଇଛି। ଏବେ ପୁନର୍ବାର ଏହି ଜମି ମହାପ୍ରଭୁଙ୍କ ନାମରେ ରେକର୍ଡଭୁକ୍ତ ହୋଇଛି।

ସୂଚନା ଅନୁଯାୟୀ, ୧୯୨୭ ମସିହାର ସାବିକ ରାଜସ୍ୱ ରେକର୍ଡରେ ପୁରୀ ତହସିଲ ଅନ୍ତର୍ଗତ ଦାମୋଦରପୁର ଶାସନ ମୌଜାର ୫୨.୨୨୦ ଏକର ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିଲା। କିନ୍ତୁ ୧୯୭୭ ମସିହାର ହାଲ୍ ରେକର୍ଡରେ ଏହି ଜମି ଦକ୍ଷିଣ ପାର୍ଶ୍ୱ ମଠର ଜଣେ ବ୍ୟକ୍ତିଙ୍କ ନାମରେ ରେକର୍ଡଭୁକ୍ତ ହୋଇଥିଲା। ଏହାକୁ ନେଇ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଥିଲା।

ଏହି ମାମଲାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏସ୍.ଆର୍.ପି. କେସ୍ ନଂ ୧୦୩/୨୦୨୩ ଦାଖଲ କରାଯାଇଥିଲା। ମାମଲାର ବିସ୍ତୃତ ଶୁଣାଣି, ବିଭିନ୍ନ ରାଜସ୍ୱ ଦସ୍ତାବିଜର ଯାଞ୍ଚ ଓ ଆଇନଗତ ତର୍ଜମା ପରେ ରାଜସ୍ୱ ପର୍ଷଦ, ଓଡ଼ିଶାର ସଦସ୍ୟ ସତ୍ୟବ୍ରତ ସାହୁଙ୍କ ନ୍ୟାୟିକ ହସ୍ତକ୍ଷେପରେ ରେକର୍ଡ ସଂଶୋଧନ ପାଇଁ ରାୟ ପ୍ରକାଶ ପାଇଥିଲା।

ରାଜସ୍ୱ ପର୍ଷଦଙ୍କ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରି ପୁରୀ ତହସିଲଦାର ସମ୍ପୃକ୍ତ ୫୨.୨୨୦ ଏକର ଜମିର ରାଜସ୍ୱ ରେକର୍ଡ ସଂଶୋଧନ କରିଛନ୍ତି। ଦେବସମ୍ପତ୍ତିର ସୁରକ୍ଷା ଓ ରାଜସ୍ୱ ରେକର୍ଡର ସଠିକତା ଦୃଷ୍ଟିରୁ ଏହି ନିଷ୍ପତ୍ତିକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।