ପୁରୀ : ମାଡ଼ି ଆସୁଥିଲା ବାତ୍ୟା... ଅଶାନ୍ତ ହେଉଥିଲା ସମୁଦ୍ର । ଉଚ୍ଚ ଜୁଆର ସାଙ୍ଗକୁ ସୁ ସୁ ପବନ। ଆକାଶରୁ ଝରୁଥିଲା ଅବିଶ୍ରାନ୍ତ ବର୍ଷା। ଚାରିଆଡ଼େ ଥିଲା ଭୟ ଓ ଆଶଙ୍କାର ବାତାବରଣ। ଠିକ୍ ସେହି ସମୟରେ ପୁରୀ ବେଳାଭୂମିକୁ ଆସି ସମୁଦ୍ରକୁ ଅନେଇ ରହିଲେ ଶ୍ରୀଜଗନ୍ନାଥ। ବିକଳରେ ଭକ୍ତ ଡାକୁଥିଲେ ହେ ମହାପ୍ରଭୁ... ତୁମେ ରକ୍ଷାକର। କଣ ହେଲା କେଜାଣି। ହଠାତ୍ ଘଟିଲା ଚମତ୍କାର। ଶାନ୍ତ ପଡ଼ିଗଲା ସବୁକିଛି। ମହାବିପର୍ଯ୍ୟୟରୁ ରକ୍ଷା କଲେ ମହାପ୍ରଭୁ। ଭକ୍ତଙ୍କ କଥା ଶୁଣିଲେ ଭାବର ଠାକୁର।

ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଅକଭାନ୍। ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ବହୁଥିଲା ପବନ। ଆଶଙ୍କା ଥିଲା, ବାତ୍ୟା ତାଣ୍ଡବ ରଚିବ। ଉପକୂଳ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହେବ। ସମୁଦ୍ରର ଅଶାନ୍ତ ରୂପ ଦେଖି ଭୟଭୀତ ଥିଲେ ଲୋକ। ସେହି ସମୟରେ ଜଣେ ଲାଇଫଗାର୍ଡ ସମୁଦ୍ର କୂଳରେ ଥିବା ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ରଖିଥିଲେ। ପ୍ରାର୍ଥନା କରିବାକୁ ଲାଗିଲେ। ହେ ମହାପ୍ରଭୁ। ତୁମେ ହି ରକ୍ଷା କର। ହାତ ଯୋଡ଼ି ମହାପ୍ରଭୁଙ୍କୁ ପ୍ରଣାମ ଜଣାଇଲେ। ବାତ୍ୟାର ଭୟ, ସମୁଦ୍ରର ଅଶାନ୍ତ ରୂପ ଓ ପ୍ରକୃତିର ପ୍ରଳୟଙ୍କରୀ ଆଶଙ୍କା ମଧ୍ୟରେ ବେଳାଭୂମିରେ ଦେଖିବାକୁ ମିଳିଲା ଏକ ଭାବପୂର୍ଣ୍ଣ ଦୃଶ୍ୟ। ସେ ପରା ବିପତ୍ତି ବେଳର ବନ୍ଧୁ। ଆଶା ଓ ଆସ୍ଥାର ଆଧାର। ଭକ୍ତଙ୍କ ଡାକ ଶୁଣନ୍ତି ଭାବର ଠାକୁର ଶ୍ରୀଜଗନ୍ନାଥ। ସେପଟେ ସ୍ଥଳଭାଗ ଛୁଇଁବା ପୂର୍ବରୁ ହିଁ ଦୁର୍ବଳ ହେବାକୁ ଲାଗିଲା ବାତ୍ୟା। ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଅନୁଭୂତ ହୋଇଥିଲେ ମଧ୍ୟ ବଡ଼ଧରଣର କ୍ଷୟକ୍ଷତିର ଆଶଙ୍କା ଅନେକାଂଶରେ ଟଳିଯାଇଛି। ଏପଟେ ବାତ୍ୟାର ଭୟ କମିବା ପରେ ଆଶ୍ୱସ୍ତ ହୋଇଛନ୍ତି ଶ୍ରୀକ୍ଷେତ୍ରବାସୀ।

ଶୁକ୍ରବାର ସକାଳ ୧୧ଟା ୩୦ ସୁଦ୍ଧା ଅକଭାନ୍ ଗଭୀର ଅବପାତରେ ପରିଣତ ହୋଇଥିଲା। ଏହା ଆହୁରି ଦୁର୍ବଳ ବି ହେବ। ବାତ୍ୟାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ କିନ୍ତୁ ବଡ଼ ବର୍ଷାର ଆଶଙ୍କା ନାହିଁ। ବଡ଼ ବନ୍ୟାର ଆଶଙ୍କା ନାହିଁ ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ। ଓଡ଼ିଶାର କୌଣସି ଜିଲ୍ଲାକୁ ଆଉ ରେଡ୍ ଓ୍ୱାର୍ଣ୍ଣିଂ ନାହିଁ। ପାଗରେ ଖୁବ ଶୀଘ୍ର ସୁଧାର ଆସିବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।

 Also Read- ବିଜ୍ଞାନକୁ ଚକମା ଦେଲା ଅକଭାନ୍ ! କାହିଁକି ଦୁର୍ବଳ ହୋଇ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା?

ବାତ୍ୟା ଆସିଲା, ସମୁଦ୍ର ଅଶାନ୍ତ ହେଲା, ପବନ ଓ ବର୍ଷାରେ ଉପକୂଳ ଥରିଲା। ହେଲେ ମହାପ୍ରଭୁ ଭକ୍ତଙ୍କ ଡାକ ଶୁଣିଛନ୍ତି। ପ୍ରକୃତିର ଏହି ପରୀକ୍ଷା ଭିତରେ ମଣିଷର ସାହସ, ପ୍ରଶାସନର ପ୍ରସ୍ତୁତି ଆଉ ମହାପ୍ରଭୁଙ୍କ ପ୍ରତି ଅତୁଟ ବିଶ୍ୱାସ ପୁଣି ଥରେ ସାମ୍ନାକୁ ଆସିଛି। ସମୁଦ୍ର କୂଳରେ ଥାଇ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପି ଦେଇଥିଲେ ଲାଇଫ ଗାର୍ଡ। ଆଉ ଏବେ ଭକ୍ତଙ୍କ ମୁହଁରେ ଏବେ ଗୋଟିଏ କଥା... ହେ କାଳିଆ, ତୋ ଦୟାରୁ ଟଳିଗଲା ବିପଦ।