ଲଣ୍ଡନ : ଇଂଲଣ୍ଡର ଇଷ୍ଟ ସସେକ୍ସସ୍ଥିତ ଲୁଇସ୍ ରେଳ ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଘଟଣାରେ ଅତିକମରେ ୨୦ ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଗୁରୁବାର ‘ସଦର୍ନ’ ଟ୍ରେନଟି ଲଣ୍ଡନ ଭିକ୍ଟୋରିଆରୁ ଇଷ୍ଟବୋର୍ନ ଯାଉଥିବା ସମୟରେ ଲୁଇସ୍ ଷ୍ଟେସନ ନିକଟରେ ପ୍ରାୟ ୩ଟା ୪୪ ମିନିଟରେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍ର ପଛ ତିନୋଟି ବଗି ହଠାତ ରେଳଧାରଣାରୁ ଓଲଟି ପଡ଼ିଥିଲା। ସେତେବେଳେ ଟ୍ରେନରେ ପ୍ରାୟ ୧୫୦ ଜଣ ଯାତ୍ରୀ ଥିଲେ।

ଦୁର୍ଘଟଣା ପରେ ଅନେକ ଯାତ୍ରୀ ବଗି ଭିତରେ ଫସି ରହିଥିଲେ। ଅଗ୍ନିଶମ ବାହିନୀ, ପୋଲିସ ଓ ଆମ୍ବୁଲାନ୍ସ ସେବାର ଜରୁରୀକାଳୀନ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଦୁଇଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଏକ ପ୍ରମୁଖ ଟ୍ରମା ସେଣ୍ଟରକୁ ନିଆଯାଇଥିଲା ବୋଲି ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ମର୍ମନ୍ତୁଦ ଘଟଣାକୁ କର୍ତ୍ତୃପକ୍ଷ ‘ମେଜର ଇନ୍ସିଡେଣ୍ଟ’ ଭାବେ ଘୋଷଣା କରିଛନ୍ତି।

ଆମ୍ବୁଲାନ୍ସ ସେବା ଅନୁଯାୟୀ, ଟ୍ରେନରେ ପ୍ରାୟ ୧୫୦ ଜଣ ଯାତ୍ରୀ ଥିବାବେଳେ ଅପରାହ୍ନ ପ୍ରାୟ ୪ଟା ପୂର୍ବରୁ ଟ୍ରେନଟି ରେଳ ଧାରଣାରୁ ଖସି ଯାଇଥିଲା। ଘଟଣାସ୍ଥଳର ଭିଡିଓ ଫୁଟେଜରେ ଅତିକମରେ ତିନୋଟି ବଗି ଓଲଟି ପଡ଼ିଥିବା ଏବଂ ଘଟଣାସ୍ଥଳରେ ପାରାମେଡିକମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଟ୍ରେନ୍ ଲାଇନଚ୍ୟୁତ ହେବାର ପ୍ରକୃତ କାରଣ କିନ୍ତୁ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଡେପୁଟି ଚିଫ୍ ପାରାମେଡିକ୍ ଅଫିସର ମାଇକେଲ୍ ବ୍ରାଡଫିଲ୍ଡ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ହସ୍ପିଟାଲକୁ ନିଆଯାଇଥିବା ୨୦ ଜଣଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆହତ ରହିଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଏକ ପ୍ରମୁଖ ଟ୍ରମା ସେଣ୍ଟରକୁ ନିଆଯାଇଥିଲା।

ବ୍ରିଟିଶ୍ ଟ୍ରାନ୍ସପୋର୍ଟ ପୋଲିସ କହିଛି ଯେ ଘଟଣାଟି ଭୟଙ୍କର ଥିଲେ ମଧ୍ୟ କାହାରି ମୃତ୍ୟୁ ହୋଇନାହିଁ ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେଘଟଣାର ପ୍ରକୃତ କାରଣ ଓ ପରିସ୍ଥିତି ଜାଣିବା ପାଇଁ ସେମାନେ ରେଳ ଦୁର୍ଘଟଣା ତଦନ୍ତ ବ୍ରାଞ୍ଚ ସହ ଯୋଗାଯୋଗରେ ରହି କାମ କରୁଛନ୍ତି। ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରକୃତରେ ଘଟଣାଟି କିପରି ଘଟିଲା, ତା'ର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସମ୍ପର୍କରେ ନିଶ୍ଚିତ ଭାବେ କିଛି କୁହାଯାଇପାରୁନାହିଁ । ଦୁର୍ଘଟଣା ଯୋଗୁଁ ଦକ୍ଷିଣ-ପୂର୍ବ ଇଂଲଣ୍ଡର ଅନେକ ରେଳପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଉଦ୍ଧାର ଓ ତଦନ୍ତ କାର୍ଯ୍ୟ ଜାରି ଥିବାରୁ ରେଳ ସେବା ସ୍ୱାଭାବିକ ହେବାକୁ ସମୟ ଲାଗିପାରେ।