ନୂଆଦିଲ୍ଲୀ,୧୪/୦୮: ଅଗଷ୍ଟ ୧୫ରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ୍ ସିରିଜ୍ ଖେଳାଯିବ । ତେବେ ଏହି ସିରିଜ୍ ଭାରତୀୟ ଦଳର ଷ୍ଟାର୍ ବ୍ୟାଟର କେଏଲ ରାହୁଲଙ୍କ ପାଇଁ ଖୁବ୍ ଖାସ୍ । କାରଣ ସେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏକ ବଡ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି ।

ରାହୁଲଙ୍କ କ୍ୟାରିଅର

୨୦୧୪ ମସିହାରେ କେଏଲ ରାହୁଲ ଭାରତୀୟ ଦଳରେ ପାଦର୍ପଣ କରିଥିଲେ । ଏବେ ସେ ଶ୍ରୀଲଙ୍କାରେ ମୁକାବିଲା ଖେଳିବାକୁ ଯାଉଛନ୍ତି । ଏବେସୁଦ୍ଧା ସେ ୬୮ଟି ଟେଷ୍ଟ୍ ମୁକାବିଲାରେ ୪୧୫୩ରନ୍ ସ୍କୋର୍ କରିଛନ୍ତି । ତେବେ ତାଙ୍କୁ ଏବଡ ରେକର୍ଡ କରିବାକୁ ମାତ୍ର ଦୁଇ ରନ୍ ଦରକାର । ଯାହା ପରେ ସେ ଟେଷ୍ଟ୍ ରନ୍ ରେସରେ ଗମ୍ଭୀରଙ୍କୁ ପଛରେ ପକାଇଦେବେ ।

ଗମ୍ଭୀର କ୍ୟାରିଅରରେ ୫୮ଟି ଟେଷ୍ଟ୍ ମୁକାବିଲା ଖେଳିଛନ୍ତି । ଏହାସହ ତାଙ୍କ ବ୍ୟାଟରୁ ୪୧୫୪ରନ୍ ବାହାରିଛି । ଅର୍ଥାତ କେଏଲ ଗମ୍ଭୀରଙ୍କଠୁ ମାତ୍ର ଗୋଟିଏ ରନ୍ ପଛରେ ଅଛନ୍ତି । ଟେଷ୍ଟ୍ ସିରିଜରେ ରାହୁଲ ଏକ ରନ୍ କଲେ ଗମ୍ଭୀରଙ୍କ ମୋଟ୍ ରନ୍ ସହ ସମକକ୍ଷ ହେବେ । ଦୁଇ ରନ୍ କଲେ କୋଚଙ୍କୁ ଅତିକ୍ରମ କରିବେ । ତେବେ ଗମ୍ଭୀର ଭାରତୀୟ ପ୍ଲେଇଂ ଇଲେଭେନରେ ଶେଷ ଥର ପାଇଁ ୨୦୧୬ରେ ନଜର ଆସିଥିଲେ । ଏହାପରେ କେଏଲ ରାହୁଲ ଦଳରେ ନିୟନିତ ସଦସ୍ୟହେଲା ପରେ ଗମ୍ଭୀରଙ୍କୁ ସାଇଡ୍ ଲାଇନ୍ କରାଯାଇଥିଲା । ଗମ୍ଭୀର ଟେଷ୍ଟ୍ କ୍ୟାରିଅରରେ ୯ଟି ଶତକ ଏବଂ୨୨ଟି ଅର୍ଧଶତକ ଲଗାଇଥିବା ବେଳେ ରାହୁଲ ୧୨ଟି ଶତକ ଏବଂ ୨୦ଟି ଅର୍ଧଶତକ ହାସଲ କରିଛନ୍ତି ।

ସଚିନ ଆଗରେ

ଭାରତୀୟ ଦଳର ସର୍ବାଧିକ ଟେଷ୍ଟ୍ ରନ୍ ସଂଗ୍ରହକାରୀ ବ୍ୟାଟର ତାଲିକାରେ ଆଗରେ ସଚିନ ତେନ୍ଦୁଲକର ରହିଛନ୍ତି । ସେ ୧୫୯୨୧ରନ୍ ସଂଗ୍ରହ କରିଛନ୍ତି । ମୋଟ୍ ୨୦୦ମ୍ୟାଚ୍ ଖେଳିଛନ୍ତି ସଚିନ । ଦୁଇ ନମ୍ବର ସ୍ଥାନରେ ରାହୁଲ ଦ୍ରାବିଡ ରହିଛନ୍ତି । ସେ୧୩୨୬୫ରନ୍ ସଂଗ୍ରହ କରିଛନ୍ତି । ଦୁଇ ଖେଳାଳି ଦିନିକିଆ ଏବଂ ଟେଷ୍ଟ ଉଭୟ ଫର୍ମାଟରେ ଦଶ ହଜାରରୁ ଅଧିକ ରନ୍ କରିଛନ୍ତି । ଅନ୍ୟ ଦିଗରେ ଭେଟେରାନ ସୁନୀଲ ଗାଭାସ୍କର ୧୨୨ଟି ଟେଷ୍ଟରୁ ୧୦୧୨୨ରନ୍ ସ୍କୋର କରିଛନ୍ତି । ସେହିପରି କିଙ୍ଗ୍ ବିରାଟ କୋହଲି ୯୨୩୦ରନ୍ ସଂଗ୍ରହ କରି ଚାରି ନମ୍ବର ସ୍ଥାନରେ ରହିଛନ୍ତି ।