କରଞ୍ଜିଆ ୦୯।୧୧ : ଶିମିଳିପାଳ ପାଦଦେଶରେ ବାଘ ଆତଙ୍କ ! ଗୋଟିଏ କି ଦୁଇଟି ନୁହେଁ, ୪ଟି ଛେଳିଙ୍କ ମୃତ୍ୟୁକୁ ନେଇ ତିଳବାଡ଼ି ଗାଁରେ ଭୟର ବାତାବରଣ। କଲରାପତରିଆ ବାଘ ଛେଳିଗୁଡ଼ିକୁ ମାରିଥିବା ସନ୍ଦେହ କରାଯାଉଛି। ଘଟଣା ପରେ ଗାଁ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ।

ଶିମିଳିପାଳ ପାଦଦେଶରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ତିଳବାଡ଼ି ଗାଁରେ ୪ଟି ଛେଳିଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଛେଳିଗୁଡ଼ିକୁ କଲରାପତରିଆ ବାଘ ଆକ୍ରମଣ କରି ମାରିଥିବା ସନ୍ଦେହ କରାଯାଉଛି। ଘଟଣା ପରେ ତିଳବାଡ଼ି ଗାଁରେ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ। ଗାଁ ଆଖପାଖରେ ବାଘ ବୁଲୁଥିବା ନେଇ ସନ୍ଦେହ ବଢ଼ିଥିବା ବେଳେ ସତର୍କ ହୋଇଛି ବନ ବିଭାଗ। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ସହକାରୀ ବନ୍ୟପ୍ରାଣୀ ସଂରକ୍ଷକ ଫାଲ୍ଗୁନୀ ବେହେରା।

Also Read:-ବାଣ ଫୁଟାଇବାକୁ ବାରଣ କରିବାରୁ ମହିଳା ଏସିପିଙ୍କୁ ଦୁର୍ବ୍ୟବହାର, ୯ ଜଣଙ୍କୁ ଅଟକ ରଖିଲା ପୋଲିସ

ତେବେ ମୃତ ଛେଳିଗୁଡ଼ିକର ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଗାଁ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ। ଜଙ୍ଗଲ ନିକଟକୁ ଏକୁଟିଆ ନଯିବା ସହ ରାତି ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ତିଳବାଡ଼ି ଅଞ୍ଚଳରେ କଲରାପତରିଆ ବାଘର ଉପସ୍ଥିତି ରହିଛି କି ନାହିଁ, ତାହା ପୋଷ୍ଟମର୍ଟମ ରିପୋର୍ଟ ଓ ବନ ବିଭାଗର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।