ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ୍ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରାମ ପାଇଁ ସହମତି ହୋଇଥିଲା । କିନ୍ତୁ ଇସ୍ରାଏଲ ଏହି ସମୟରେ ଲେବାନନକୁ ଧୂଆଁ ଧୂଆଁ କରିପକାଇଛି । ଲେବାନନ୍ ଉପରେ ଏହି ଆକ୍ରମଣକୁ ଇରାନ ନିନ୍ଦା କରିଛି । ଏପରିକି ଶାନ୍ତି ଆଲୋଚନା ପୂର୍ବରୁ ଲେବାନନ ଉପରେ ଆକ୍ରମଣ ବନ୍ଦ ହେଉ ବୋଲି ଦାବି କରିଛି ଇରାନ । ଏହା ସହ ଇସଲାମାବାଦରେ ଶନିବାର ହେବାକୁ ଥିବା ଶାନ୍ତି ଆଲୋଚନାରେ ଲେବାନନକୁ ସାମିଲ କରିବାକୁ ତେହେରାନ କହିଥିଲା। ସେପଟେ ଲେବାନନ ପ୍ରଧାନମନ୍ତ୍ରୀ ଏହି ଆଲୋଚନାରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଲେବାନନ୍ ପ୍ରଧାନମନ୍ତ୍ରୀ ନୱାଫ୍ ସଲାମ୍ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଶାହବାଜ୍ ସରିଫଙ୍କୁ ଯୁଦ୍ଧବିରତି ଆଲୋଚନାରେ ସାମିଲ କରିବାକୁ ଅପିଲ କରିଛନ୍ତି । ଇସ୍ରାଏଲ ଆକ୍ରମଣରେ ୨୦୦ ରୁ ଅଧିକ ଲେବାନନ୍ ଲୋକଙ୍କ ମୃତ୍ୟୁ ହେବାର ଗୋଟିଏ ଦିନ ପରେ ସେ ଏହି ଅନୁରୋଧ କରିଛନ୍ତି। ସଲାମ୍ଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, ପ୍ରଧାନମନ୍ତ୍ରୀ ସଲାମ ପାକିସ୍ତାନ ପିଏମ ଶାହବାଜ୍ ସରିଫଙ୍କୁ ଫୋନ୍ କରିଥିଲେ । ଇସ୍ରାଏଲ ଆକ୍ରମଣର ପୁନରାବୃତ୍ତିକୁ ରୋକିବା ପାଇଁ ଲେବାନନ୍କୁ ଯୁଦ୍ଧବିରତିରେ ଅନ୍ତର୍ଭୁକ୍ତ କରିବାକଚ ସେ ଅପିଲ କରିଥିଲେ ।

ଯୁଦ୍ଧବିରତି ପରେ ଆକ୍ରମଣକୁ ନେଇ ଇରାନ ଅସନ୍ତୁଷ୍ଟ

ଇସ୍ରାଏଲ ଏବଂ ଆମେରିକା କହିଛନ୍ତି ଯେ, ଯୁଦ୍ଧବିରତିରେ ଲେବାନନ ଅନ୍ତର୍ଭୁକ୍ତ ନୁହେଁ । ସେପଟେ ଇସ୍ରାଏଲ ଘୋଷଣା କରିଛି ଯେ, ଆକ୍ରମଣ ଜାରି ରଖିବ। ଇରାନ ସଂସଦର ବାଚସ୍ପତି ଆଜି ସକାଳେ ଚେତାବନୀ ଦେଇଛନ୍ତି ଯେ, ତେହେରାନ ଲେବାନନକୁ ଅସ୍ତ୍ରବିରତିର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ବିବେଚନା କରୁଛି । ଲେବାନନକୁ ଯୁଦ୍ଧବିରତିରେ ସାମିଲ କରିବାକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚାପ ବୃଦ୍ଧି ପାଇଛି ।

ଚେତାବନୀ ଦେଲେ ଇରାନର ରାଷ୍ଟ୍ରପତି

ଇରାନର ରାଷ୍ଟ୍ରପତି ପେଜେସ୍କିୟାନ କହିଛନ୍ତି ଯେ, ଇରାନ କେବେବି ଏହାର ଲେବାନିଜ୍ ଭାଇଭଉଣୀମାନଙ୍କୁ ପରିତ୍ୟାଗ କରିବ ନାହିଁ। ଲେବାନନରେ ଇସ୍ରାଏଲର ପୁନଃ ଆକ୍ରମଣ ପ୍ରାରମ୍ଭିକ ଯୁଦ୍ଧବିରତି ଚୁକ୍ତିନାମାର ଏକ ସ୍ପଷ୍ଟ ଉଲ୍ଲଂଘନ। ଏହା ପ୍ରତାରଣାର ଏକ ବିପଦଜନକ ସଙ୍କେତ ଏବଂ ସମ୍ଭାବ୍ୟ ଚୁକ୍ତିନାମା ପ୍ରତି ପ୍ରତିଶ୍ରୁତିର ଅଭାବ। ଇସ୍ରାଏଲର ଏଭଳି କାର୍ଯ୍ୟ ଶାନ୍ତି ଆଲୋଚନାକୁ ଅର୍ଥହୀନ କରିଦେବ। ଏବେ ବି ଆମେ ଆକ୍ସନରେ ଅଛୁ ବୋଲି ଇରାନ ରାଷ୍ଟ୍ରପତି କହିଥିଲେ ।

୩୦ ବର୍ଷ ପରେ ସବୁଠୁ ବଡ଼ ଆକ୍ରମଣ

ଇସ୍ରାଏଲ ଲେବାନନରେ ସବୁଠାରୁ ବଡ ଆକ୍ରମଣ କରିଛି। ଇରାନ-ଆମେରିକା ଯୁଦ୍ଧବିରତିର ୨୪ ଘଣ୍ଟା ମଧ୍ୟରେ ୨୫୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୧୧୦୦ ରୁ ଅଧିକ ଆହତ ହୋଇଛନ୍ତି। ଏହା ୩୦ ବର୍ଷ ମଧ୍ୟରେ ଲେବାନନରେ ଇସ୍ରାଏଲର ସବୁଠାରୁ ଭୟଙ୍କର ଆକ୍ରମଣ। ଇସ୍ରାଏଲ ଦାବି କରିଛି ଯେ, ଏହାର ସେନା ଲେବାନନରେ ଇରାନ-ସମର୍ଥିତ ଆତଙ୍କବାଦୀଙ୍କ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଛି।