ନୂଆଦିଲ୍ଲୀ: ଫେଷ୍ଟିଭ ସିଜନ ଓ ବମ୍ପର ସେଲ ମଧ୍ୟରେ ଇ-କମର୍ସ କମ୍ପାନୀ ଆମାଜନରେ କର୍ମଚାରୀ ଛଟେଇ ମଧ୍ୟ ଚାଲିଛି। ଏଥିରେ ବ୍ରିଟେନ, ଆମେରିକା ଓ ଭାରତୀୟ କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ‘ବିଜନେସ ଇନସାଇଡର’ ରିପୋର୍ଟ ଅନୁସାରେ ଏହି ବୈଶ୍ୱିକ ଛଟେଇରେ ୧୦୦୦ରୁ ଅଧିକ କର୍ମଚାରୀ ନିଯୁକ୍ତି ହରେଇବାର ଆଶଙ୍କା ସୃଷ୍ଟି ହୋଇଛି। ଆମାଜନ ମଧ୍ୟ ଛଟେଇ ପୁଷ୍ଟି କରିଛି, ତେବେ ଏହା ବଡ଼ ଧରଣର ନୁହେଁ ଓ ଛୋଟିଆ ପରିବର୍ତ୍ତନ ବୋଲି କହିଛି।

ଉଲ୍ଲେଖଯୋଗ୍ୟ ଯେ ଏହି କର୍ମଚାରୀ ଛଟେଇ କମ୍ପାନୀର ଷ୍ଟୋର୍ସ ବିଜନେସ୍ ରେ କରାଯାଇଛି। ପ୍ରଭାବିତ ହୋଇଥିବା ବିଭାଗରେ କଷ୍ଟମର ସର୍ଭିସ୍, ସେଲିଂ ପାର୍ଟନର ସର୍ଭିସେସ୍, ମାର୍କେଟ ପ୍ଲେସ୍ ସପୋର୍ଟ ଓ ରିଟେଲ ଅପରେସନ ସମ୍ପର୍କିତ ଇଞ୍ଜିନିୟରିଂ ରୋଲସ ରହିଛି। ତେବେ ଧ୍ୟାନଦେବା ଯୋଗ୍ୟ ବିଷୟ ହେଉଛି ଯେ ଏହି ଛଟେଇ ସେତେବେଳେ ହେଉଛି ଯେତେବେଳେ ଭାରତରେ ଆମାଜନର ସବୁଠୁ ବଡ଼ ‘ଗ୍ରେଟ ଇଣ୍ଡିଆନ ଫେଷ୍ଟିଭଲ ୨୦୨୬’ ସେଲ୍ ଚାଲିଛି। ଅନେକ କର୍ମଚାରୀ ଇଣ୍ଟରନାଲ କମ୍ୟୁନିକେସନ ଚ୍ୟାନେଲ ସ୍ଲାକ୍ ମାଧ୍ୟମରେ ଚାକିରି ହରେଇଥିବାର ଖବର ସେୟାର କରିଛନ୍ତି।

ଆମାଜନ ଖର୍ଚ୍ଚ ହ୍ରାସ କରିବା ଓ ବ୍ୟବସ୍ଥାକୁ ଶରଳ କରିବା ପାଇଁ ପ୍ରଥମେ ଲେଟ୍ ୨୦୨୫ରୁ ଜାନୁୟାରୀ ୨୦୨୬ ମଧ୍ୟରେ ପାଖାପାଖି ୩ ହଜାର କର୍ପୋରେଟ ନିଯୁକ୍ତି ସମାପ୍ତ କରିଥିଲା। ଏବେକା ଛଟେଇ ଯଦିଓ ସଂକ୍ଷିପ୍ତ ହେଲେ ଏହା ଦେଖାଉଛି କମ୍ପାନୀର ରି ଷ୍ଟ୍ରକ୍ଚରିଂ ସମୟ ଏବେବି ଜାରି ରହିଛି। ହୁଏତ ଆମାଜନ ଛଟେଇ ଆରମ୍ଭ କରିଛି, ହେଲେ ଏହାର ଅର୍ଥ ନୁହେଁ କମ୍ପାନୀ ଭାରତରେ ପଛକୁ ହଟୁଛି। ଗତ ମାର୍ଚ୍ଚ ମାସରେ ଆମାଜନ ବେଙ୍ଗାଲୁରରେ ନିଜର ନୂଆ ତଥା ବିଶାଳ କ୍ୟାମ୍ପସ ଖୋଲିଛି, ଯାହା ଏସିଆରେ ଏହାର ଦ୍ୱିତୀୟ ସବୁଠୁ ବଡ଼ କାର୍ଯ୍ୟାଳୟ।