ଅଯୋଧ୍ୟା: ରାମ ମନ୍ଦିର ଦାନ ଅର୍ଥ ହଡ଼ପକାରୀଙ୍କ ପକ୍ଷରୁ କେହିବି ଓକିଲ କୋର୍ଟରେ ମୋକଦ୍ଦମା ଲଢିବେନି। ଫୈଜାବାଦ ବାର ଆସୋସିଏସନ ସୋମବାର ଏହି ନିଷ୍ପତ୍ତି ନେଇଛି। ସେହିପରି ଓକିଲଙ୍କ ସଙ୍ଗଠନ ରାମମନ୍ଦିର ପଦାଧିକାରୀ ଚମ୍ପତ ରାୟ, ଅନିଲ ମିଶ୍ର ଓ ଗୋପାଲ ରାୟଙ୍କୁ ଅଯୋଧ୍ୟା ଛାଡିବାକୁ ୩ ଦିନ ସମୟ ଦେଇଛି। ଯଦି ଏହି ସମୟରେ ସେମାନେ ଅଯୋଧ୍ୟା ନ ଛାଡନ୍ତି ତେବେ ଓକିଲମାନେ ସାରା ସହର ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏହାଛଡା ବାର ଆସୋସିଏସନର କୌଣସି ସଦସ୍ୟ ଯଦି ଏହି ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ କୋର୍ଟରେ ପ୍ରତିନିଧିତ୍ୱ କରିବାକୁ ଚାହିଁବେ ତେବେ ତାଙ୍କୁ ବାର ଆସୋସିଏନରେ ଅଭିଯୁକ୍ତ ପିଛା ୫ ଲକ୍ଷ ଟଙ୍କା ଜମା କରିବାକୁ ପଡିବ। ଶ୍ରଦ୍ଧାଳୁଙ୍କ ଦାନର କଥିତ ହଡପକୁ ନେଇ ଜାରି ବିବାଦରେ ବାର ଆସୋସିଏସନ ଜେନେରାଲ ବଡି ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଚମ୍ପତ ରାୟ, ଅନିଲ ମିଶ୍ର ଓ ଗୋପାଳ ରାଓ ମନ୍ଦିର ପ୍ରବନ୍ଧନରେ ଥିଲେ। ହେଲେ ପୋଲିସରେ ରୁଜୁ ଏଫଆଇଆରରେ ଏମାନଙ୍କ ମଧ୍ୟରୁ କାହାରିକୁ ହେଲେ ଅଭିଯୁକ୍ତ କରାଯାଇ ନାହିଁ। ଏଣୁ ବାର ଆସୋସିଏସନ ସେମାନଙ୍କୁ ୩ ଦିନ ମଧ୍ୟରେ ସହର ଛାଡିବାକୁ ନିର୍ଦ୍ଦେଶ ଦେଇଛି।

ଯଦି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଏହି ଲୋକେ ସହର ନଛାଡନ୍ତି ତେବେ ଓକିଲ ଅଯୋଧ୍ୟା ଅବରୋଧ କରିବେ ଓ ସହରକୁ ଲୋକଙ୍କ ପ୍ରବେଶ କରାଇ ଦେବେନି ବୋଲି ସଂଘ ଚେତାବନୀ ଦେଇଛି। ଏହା ଛଡା ଆସୋସିଏସନ ତୀର୍ଥକ୍ଷେତ୍ର ଟ୍ରଷ୍ଟର ୩ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଭାରତୀୟ ନ୍ୟାୟସଂହିତା (ବିଏନଏସ୍) ଧାରା ୧୫୬ (୩)ରେ ଏଫଆଇଆର ରୁଜୁ କରିବାକୁ ସଂକଳ୍ପ କରିଛି। ବାର ଆସୋସିଏସନ ଅଧ୍ୟକ୍ଷ କାଳିକା ପ୍ରସାଦ ମିଶ୍ର କହିଛନ୍ତି ଯେ ଆସୋସିଏସନ ପ୍ରଥମେ ଏ ନେଇ ପୋଲିସ ନିକଟକୁ ଯିବ ଯଦି କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ କୋର୍ଟକୁ ଯିବ।

ଓକିଲମାନେ ଆଲହାବାଦ ହାଇକୋର୍ଟ ଯଦି ଆବଶ୍ୟକ ପଡେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ଦାଖଲ କରି ମାମଲାର ସିବିଆଇ ତଦନ୍ତ ଦାବି କରିବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଏଥି ମଧ୍ୟରେ ପୋଲିସ ଅଧିକାରୀକ ଆଦେସ ଜାରି କରି ସୋମବାର ସକାଳଠାରୁ ରାମ ମନ୍ଦିର ମୁଖ୍ୟ ଦ୍ୱାର ବାହାରେ ମିଡିଆ କଭରେଜ ଉପରେ ରୋକ ଲଗାଇ ଦେଇଛି।